ମ୍ୟାଁମାର ସାମରିକ ବିଦ୍ରୋହ ଓ ଭାରତ

- ବିପିନ ବିହାରୀ ମିଶ୍ର (ପୂର୍ବତନ ଡିଜି)

0

ମ୍ୟାଁମାର (ବର୍ମା)ରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କୁ ଶାସନରୁ ବେଦଖଲ କରି ସାମରିକ ବାହିନୀ ଏବେ ଦେଶକୁ କବ୍‌ଜାକୁ ନେଇଗଲେ। ପ୍ରବଳ ଜନବିକ୍ଷୋଭ ହେଉଛି, କାରଣ ପଦଚ୍ୟୁତ ହୋଇଥିବା ମୁଖ୍ୟ ଅଙ୍ଗ ସାନ୍‌ ସୁ କୀ ବହୁତ ଲୋକପ୍ରିୟ ଥିଲେ ଓ ୧୯୯୧ ମସିହାରେ ସେ ନୋବେଲ ପୁରସ୍କାର ପାଇଥିଲେ। ୨୦୧୭ରେ ତାଙ୍କର ଖ୍ୟାତି ସାମାନ୍ୟ ମଳିନ ପଡ଼ିଗଲା। ଯେତେବେଳେ ରୋହିଙ୍ଗ୍ୟାମାନଙ୍କୁ ସାମରିକ ବାହିନୀ ଦୃଢ଼ ହସ୍ତରେ ଦମନ କଲେ ଓ ଅଙ୍ଗ୍‌ ମହାଶୟା ସେନାକୁ ସମର୍ଥନ କଲେ। ରୋହିଙ୍ଗ୍ୟା ଦମନର ଯଥାର୍ଥତା ଏକ ଭିନ୍ନ ପ୍ରସଙ୍ଗ, କିନ୍ତୁ ଏତିିକିମାତ୍ର ବର୍ତ୍ତମାନ କୁହାଯାଇ ପାରେ ଯେ ସେମାନଙ୍କ ମଧ୍ୟରେ ବହୁତ କଠୋରପନ୍ଥୀ ମୁସଲମାନ ଅଛନ୍ତି ଯାହାଙ୍କର ବୌଦ୍ଧ ଧର୍ମାବଲମ୍ବୀ (ବର୍ମାର ଅଧିକାଂଶ ବାସିନ୍ଦା ହେଉଛନ୍ତି ବୌଦ୍ଧ)ଙ୍କ ସହିତ ବିବାଦ ଲାଗି ରହିଛି।

ଭାରତ ସହିତ ବର୍ମାର ସମ୍ପର୍କ ବହୁ କାଳରୁ। ଇଂରେଜମାନେ ବର୍ମା ବିଜୟ କରି ଭାରତରେ ମିଶାଇଲେ ଓ ଆମ ଦେଶରୁ ବହୁତ ସରକାରୀ କର୍ମଚାରୀ ଓ ଶ୍ରମିକ ବର୍ମାରେ କାମ କରିଥିଲେ। ବିଶ୍ବ ବିଖ୍ୟାତ ଲେଖକ ଜର୍ଜ ଓରୱେଲ ବର୍ମାରେ ଅନେକ ଦିନ ଏସ୍‌ପି ଥିଲେ ଓ ସେ ଅଧିବାସୀଙ୍କ ଜୀବନଶୈଳୀ ଉପରେ ବର୍ମୀଜ୍‌ ଡେଜ୍‌ ନାମକ ବିଖ୍ୟାତ ବହି ଲେଖିଛନ୍ତି। ୧୯୩୭ ମସିହାରେ ଇଂରେଜମାନେ ବର୍ମାକୁ ଭାରତରୁ ଅଲଗା କରିଦେଲେ। ଏହା ଏକ ସୁଚିନ୍ତିତ ଚତୁର ଯୋଜନା। ବର୍ମାରୁ ଭାରତକୁ ଅଲଗା କରିବା ଅନିଷ୍ଟକର ଯୋଜନାର ପାକିସ୍ତାନ ଗଠନ ପଛରେ କେତେ ଅବଦାନ ଅଛି, ସେ ବିଷୟରେ ଐତିହାସିକମାନେ ବିଶେଷ ଦୃଷ୍ଟିପାତ କରିନାହାନ୍ତି। ୧୯୪୮ରେ ବର୍ମା ସ୍ବାଧୀନ ହେଲା ଓ ଜଣେ ଭାରତୀୟ (ସାର୍‌ ବେନିଗୁଲ ନରସିଂହ ରାଓ) ତା’ର ସମ୍ବିଧାନ ଚିଠା ପ୍ରସ୍ତୁତ କରିଥିଲେ। ସେଇ ସମ୍ବିଧାନ ଅନୁସାରେ ବର୍ମା ଥିଲା ଏକ ଗଣତାନ୍ତ୍ରିକ ଦେଶ ଓ ୟୁନୁ ଥିଲେ ନିର୍ବାଚିତ ଶାସକ। ସେତେବେଳେ ଭାରତ ସାଙ୍ଗେ ବର୍ମାର ସମ୍ପର୍କ ଖୁବ୍‌ ଭଲ ଥିଲା। ଭାରତୀୟମାନେ ବ୍ୟବସାୟ କରୁଥିଲେ ଓ ତାଙ୍କୁ ଭଲ ଚାକିରି ମିଳୁଥିଲା; କିନ୍ତୁ ପାକିସ୍ତାନରେ ସାମରିକ ଶାସନ ବୋଧହୁଏ ବର୍ମା ସୈନିକଙ୍କୁ ପ୍ରେରଣା ଦେଲା ଓ ୟୁନୁଙ୍କୁ ଜେଲ୍‌ରେ ରଖି ଜେନେରାଲ ଦେ ଉଇନ୍‌ ଶାସନ ଦଖଲ କଲେ। କେତେକ ଦେଶ ପ୍ରତିବାଦ କଲେ କିନ୍ତୁ ତାହା କ୍ଷୀଣ ଥିଲା। ଦେ ଉଇନ୍‌ ଚୀନ ସାଙ୍ଗରେ ସୀମା ବିବାଦ ନେଇ ଏକ ବୁଝାମଣା ଚୁକ୍ତି କଲେ; ସେଇ ବୁଝାମଣା ଅନୁସାରେ ଚୀନ୍‌ ବିଖ୍ୟାତ ମ୍ୟାକ୍‌ମୋହନ ଲାଇନ୍‌କୁ ସ୍ବୀକାର କଲା ଅଥଚ ଭାରତ ବିଷୟରେ ମ୍ୟାକ୍‌ମୋହନ ଲାଇନ୍‌କୁ ଅସ୍ବୀକାର କରୁଛି। ବର୍ମାକୁ ଲାଗିଥିବା ଆମର ତିନିଟି ପ୍ରଦେଶ (ସେତେବେଳେ ଆସାମର ଅଙ୍ଗ ଥିବା ନାଗାଲାଣ୍ଡ, ମଣିପୁର ଓ ମିଜୋରାମ)ରେ ଏକଦା ଭାରତ ବିରୋଧୀ ବିଦ୍ରୋହ ହେଉଥିଲା। ବିଦ୍ରୋହୀମାନେ ବର୍ମାର ଆରାକନ୍‌ ବାଟ ଦେଇ ଚୀନ୍‌କୁ ଯାଉଥିଲେ ଓ ସେଇଠାରେ ସାମରିକ ତାଲିମ୍‌ ପାଇଲେ। ସେମାନେ ଧନୁଶର ଓ ଖଣ୍ଡା ଛାଡ଼ି ଉନ୍ନତ ଶ୍ରେଣୀର ବନ୍ଧୁକ ଧରିଲେ। ୧୯୬୨ ମସିହା ଯୁଦ୍ଧ ପରେ ଭାରତ ଓ ଚୀନ୍‌ର ସମ୍ପର୍କ ବହୁତ ତିକ୍ତ ହୋଇଗଲା ଓ ନାଗାଲାଣ୍ଡ ଇତ୍ୟାଦିରେ ହୋଇଥିବା ଉପଦ୍ରବର ସଂପୂର୍ଣ୍ଣ ସୁଯୋଗ ନେବାପାଇଁ ଚୀନ୍‌ ଚାହିଁଲା। ସେଥିପାଇଁ ବର୍ମାର ସହଯୋଗ ନିହାତି ଆବଶ୍ୟକ। ଭାରତର ସେତେବେଳେ ଅସୁବିଧା ଥିଲା ଯେ ପୂର୍ବପଟେ ସାମରିକ ଶାସନ (ବର୍ମା) ଓ ପଶ୍ଚିମ ପଟେ (ପାକିସ୍ତାନ) ସେଇ ଅବସ୍ଥା। ବର୍ମାର ଚୀନ୍‌ ସାଙ୍ଗରେ କୌଣସି ବିବାଦ କିମ୍ବା ମତଭେଦ ରହିଲା ନାହିଁ କାରଣ ସୀମା ବିବାଦ ତୁଟିଗଲା ଓ ଚୀନ୍‌ରେ ବର୍ମା ପରି ଏକଛତ୍ରବାଦ ଶାସନ ଚାଲିଲା (ଏବେ ମଧ୍ୟ ଅଛି)। ଭାରତ ବର୍ମା ସାଙ୍ଗେ ସୁସମ୍ପର୍କ ରଖିବାପାଇଁ ସଦାବେଳେ ଚେଷ୍ଟା କରିଛି; କିନ୍ତୁୁ ଏକ ଦୃଢ଼ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ସମ୍ପର୍କ ନିବିଡ଼ ହେବାପାଇଁ କେବେ ଦେଇ ନାହିଁ। ଜାତୀୟ ସ୍ବାର୍ଥ ପାଇଁ ଯେତିକି ସମ୍ପର୍କ ଦରକାର କେବଳ ସେତିକି ରଖିଥାଏ। ଏ ସମ୍ପର୍କରେ ଆମେରିକାର ଆଭିମୁଖ୍ୟ ବିଷୟରେ ସମ୍ୟକ୍‌ ଆଲୋଚନା କରାଯାଇପାରେ।
ଆମେରିକା ସାରା ବିଶ୍ବରେ ଗଣତନ୍ତ୍ରକୁ ସମର୍ଥନ କରିବ ବୋଲି ୨୦୦ବର୍ଷ ହେଲା କହିଆସୁଛି କିନ୍ତୁ ମଧ୍ୟ ଏସିଆରୁ ତୁର୍କୀର ଖଲିଫାକୁ ବିଚ୍ୟୁତ କରିବା ପାଇଁ ୧୯୨୭ରେ ଜଣେ ବେଦୁଇନ୍‌ ଓ କୁଖ୍ୟାତ ଡକାୟତ ସର୍ଦାରଙ୍କୁ ଶାସକ ଭାବରେ ଅବସ୍ଥାପିତ କରିବାରେ ଇଂଲଣ୍ଡ ଓ ଆମେରିକା ପ୍ରମୁଖ ଭୂମିକା ନେଇଥିଲେ। ଲରେନ୍ସ ବୋଲି ଜଣେ ସାମରିକ ଅଫିସରଙ୍କୁ ଏ ଦାୟିତ୍ବ ଦିଆଯାଇଥିଲା। ସମୟ ଓ ନିଜର ଆବଶ୍ୟକତାକୁ ଦେଖି ଆମେରିକା ତା’ର ବୈଦେଶିକ ନୀତି ନିର୍ଣ୍ଣୟ କରେ। ଗଣତନ୍ତ୍ରକୁ ସମର୍ଥନ କରିବାକୁ କହେ ଅଥବା ସାମରିକ ବାହିନୀ କବ୍‌ଜାରେ ଥିବା ପାକିସ୍ତାନକୁ ଆର୍ଥିକ କୂଟନୈତିକ ଓ ସାମରିକ ସାହାଯ୍ୟ କରେ। ସେହିପରି ଇରାନ୍‌ର ଶାହା (ସମ୍ରାଟ) ଇରାକ୍‌ର ଶାସକ ସଦ୍ଦାମ ହୁସେନ ଲିବିୟାର ଗଦ୍ଦାଫି, ଜୋର୍ଡାନ୍‌ର ବିଙ୍ଗ୍‌ ହୁସେନ୍‌ ଇତ୍ୟାଦି ଆମେରିକାଠାରୁ ସାହାଯ୍ୟ ଓ ସମର୍ଥନ ପାଉଥିଲେ; ଅଥଚ ଆମେରିକା ସବୁବେଳେ ଦୃଢ଼ ଦାବି କରିଛି ବର୍ମାରେ ଗଣତାନ୍ତ୍ରିକ ଶାସନ ଚାଲୁ। ଭାରତ ଏଭଳି ହୁରି ପକେଇ ନାହିଁ, କାରଣ ତାହା କଲେ ବର୍ମା ଭୟଭୀତ ହୋଇ ଚୀନ୍‌ ସହିତ ଅଧିକ ବନ୍ଧୁତା କରିବ। ଯାହାହେଉ ବର୍ମାରେ ଅଙ୍ଗ ସାନ ସୁ କୀ ଗଣତନ୍ତ୍ର ପାଇଁ ଆନ୍ଦୋଳନ କଲେ। ସେ ଦିଲ୍ଲୀରେ ପାଠ ପଢ଼ିଥିଲେ ଓ ଆମର ଶାସନରେ ଥିବା ବହୁ ଉଚ୍ଚାଧିକାରୀ ଓ ଅନେକ ରାଜନୀତିଜ୍ଞଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ ବନ୍ଧୁତା ଅଛି। ସେଭଳି ବନ୍ଧୁତା ଚୀନ୍‌ର କୌଣସି ପ୍ରଭାବଶାଳୀ ଲୋକଙ୍କ ସାଙ୍ଗେ ନାହିଁ। ୨୦୧୧ରେ ସେ ଶାସନକୁ ଆସିଲେ ଓ ନିକଟ ଅତୀତରେ ହୋଇଥିବା ନିର୍ବାଚନରେ ଜିତିଲେ। ବର୍ମାର ସମ୍ବିଧାନ ଆଉ ବେନିଗଲ ରାଓ ସମ୍ବିଧାନ ହୋଇ ରହିନାହିଁ ଓ ଇତି ମଧ୍ୟରେ ତା’ର ଅନେକ ପରିବର୍ତ୍ତନ ହୋଇସାରିଲାଣି। ଏକ ଅଦ୍ଭୁତ ବ୍ୟବସ୍ଥା ଅଛି ଯେ ସେନାର ମନୋନୀତ କେତେକ ଅଫିସର ତାଙ୍କର ସଂସଦର ସଭ୍ୟ ହେବେ। ତେଣୁ ସେଠାରେ ଦେଶରକ୍ଷା କରିବା ଯାହାର କାମ, ସେହି ସୈନ୍ୟବାହିନୀର ରାଜନୀତିରେ ମଧ୍ୟ ଭୂମିକା ଅଛି। ସୀମା ଜଗିବା ପରିବର୍ତ୍ତେ ରାଜନୀତିରେ ପଶିବାଟା ସେମାନଙ୍କ ପାଇଁ ବେଶ୍‌ ଭଲ; କାରଣ ସମ୍ମାନ ପ୍ରତିପତ୍ତି ସହିତ ଭଲ ରୋଜଗାର ବି ହେବ। ଏଇ କଥା ପାକିସ୍ତାନରେ ଚାଲିଛି। ଭାରତର ଏକ ସୈନ୍ୟବାହିନୀ ଅଛି, ପାକିସ୍ତାନରେ ସୈନ୍ୟବାହିନୀର ଏକ ଦେଶ ଅଛି। ସେ ଦେଶରେ ପ୍ରାୟ ସବୁ ଉଚ୍ଚ ସାମରିକ କର୍ମଚାରୀଙ୍କର ଇଂଲଣ୍ଡ, ଦୁବାଇରେ ବଡ଼ବଡ଼ କୋଠା ଅଛି। ବର୍ମାର ସାମରିକ ଅଫିସରଙ୍କର ମଧ୍ୟ ସିଙ୍ଗାପୁର, ହଂକଂରେ ସମ୍ପତ୍ତି ଅଛି। ଗଣତାନ୍ତ୍ରିକ ପଦ୍ଧତି ପାଇଁ ଆମେରିକା ବ୍ରିଟେନ ଅନ୍ୟ କେତେକ ଦେଶର ଉପଦେଶକୁ ଭ୍ରୂକ୍ଷେପ ନକରି ସାମରିକ ବାହିନୀ ଶାସନ ଚଳାଇଥିଲେ। ଅଙ୍ଗ ସାନ୍‌ ସୁ କୀ ଶାସନକୁ ଆସିବାରୁ ସାମରିକ ବାହିନୀର ପକେଟ ଶୂନ୍ୟ ହେଲା ଓ ପ୍ରତିପତ୍ତି କମିଲା। ୨୦୧୭ରେ ସେମାନେ ଦୃଷ୍ଟିକୁ ଆସିଲେ ଯେତେବେଳେ ରୋହିଙ୍ଗ୍ୟାଙ୍କ ଉତ୍ପାତ ବଢ଼ିଲା। ସେତେବେଳେ ସୁ କୀ ତାଙ୍କ ଉପରେ ନିର୍ଭର କଲେ। ଭାରତ ଏଇ ସମୟରେ ବର୍ମାକୁ ମୃଦୁଭାଷାରେ ଉପଦେଶ ଦେଲା ସିନା, କିନ୍ତୁ ଭର୍ତ୍ସନା କଲାନାହିଁ। ଭାରତ ଉପଲବ୍ଧି କରିଛି ଯେ ଶାସନ କ୍ଷେତ୍ରରେ କେତେବେଳେ କୃଷ୍ଣପକ୍ଷ ତ କେତେବେଳେ ଶୁକ୍ଳପକ୍ଷ। ତେଣୁ ସାମରିକ ବାହିନୀ ସହିତ ଭଲ ସମ୍ପର୍କ ରଖିବା ଉଚିତ ବୋଲି ମନେ କରିଛି।
ବର୍ମାରେ ୨୬ଟି ସନ୍ତ୍ରାସବାଦୀ ଗୋଷ୍ଠୀ ଅଛନ୍ତି। ସଂଖ୍ୟା ଅଧିକ ହୋଇପାରେ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁପ୍ତଭାବରେ କାମ କରୁଛନ୍ତି। ଚୀନ ଏମାନଙ୍କୁ ସମର୍ଥନ ଓ ସାହାଯ୍ୟ ଯୋଗାଉଛି ଓ ସାମରିକ ଶିକ୍ଷା ମଧ୍ୟ ଦେଉଛି। ଏମାନଙ୍କୁ ବର୍ମା ସାହାଯ୍ୟ ନକରି ଦମନ କରୁଛି ଓ ସେଥିପାଇଁ ଭାରତର ସହଯୋଗ ମାଗିଛି। ବାଲାକୋଟ ଘଟଣା ସମୟ‌େ‌ର ଭାରତୀୟ ସୈନ୍ୟବାହିନୀ ବର୍ମାରେ ପଶି ଦୁଇଟି ସନ୍ତ୍ରାସବାଦୀ ଘାଟିକୁ ଧ୍ବଂସ କରିଥିଲେ ଓ ଅନେକ ସନ୍ତ୍ରାସବାଦୀଙ୍କୁ ମାରିଦେଲେ। ସେଥିପାଇଁ ବର୍ମାର ସହଯୋଗ ମଧ୍ୟ ମିଳିଥିଲା। ଏ ବିଷୟରେ ଭାରତ ଓ ବର୍ମା ଉଭୟ ଚୁପ୍‌ ରହିଲେ ଓ ଚୀନ୍‌ କ୍ଷୁବ୍ଧ ହେଲା। ଚୀନ୍‌ କେତେକ ବିଦ୍ରୋହୀଙ୍କୁ ବିମାନ ଖସାଇବା ଅସ୍ତ୍ର ଡ୍ରୋନ୍‌, ଏପରିକି ହେଲିକପ୍ଟର ଯୋଗେଇଛି। ଅଥଚ ସରକାରୀ ସ୍ତରରେ ବର୍ମା ସାଙ୍ଗେ ଭଲ ସମ୍ପର୍କ ରଖିବାପାଇଁ ଚେଷ୍ଟା କରିଛି ଓ ବର୍ମା ଭାରତ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ସବୁବେଳେ ଯତ୍ନଶୀଳ। ଚୀନ୍‌ର ଯୋଜନା ହେଉଛି ଯେ ବର୍ମାର ସିତୁ ୱେ ଓ ୟ୍ୟାଙ୍ଗୁନ୍‌ (ରେଙ୍ଗୁନ)କୁ ରାସ୍ତା ତିଆରି କରିବ ଓ ବନ୍ଦର କରିବ। ସିତୁ ୱେରେ ବନ୍ଦର କଲେ ଆମର ଚାନ୍ଦିପୁର, ଖଡ଼ଗପୁର ଉପରେ ଦୃଢ଼ ନଜର ରଖିପାରିବ ଏବଂ ରେଙ୍ଗୁନ୍‌ରେ ନୌବାହିନୀ ଘାଟି କଲେ ବିଶାଖାପାଟଣାର ନୌଘାଟି ଓ ଶ୍ରୀହରିକୋଟା (ରକେଟ କ୍ଷେପଣ କେନ୍ଦ୍ର) ଉପରେ ଦୃଷ୍ଟିପାତ କରିହେବ। ସେଥିପାଇଁ ଅଙ୍ଗ ସାନ୍‌ ସୁ କୀ ନିଜ ଦେଶସ୍ବାର୍ଥ ଦୃଷ୍ଟିରୁ ଆଲୋଚନା କରିବାକୁ ପ୍ରସ୍ତୁୁତ ଥିଲେ।
ଇତି ମଧ୍ୟରେ ନିର୍ବାଚନ ହେଲା ଓ ସେନା ଅଭିଯୋଗ କଲା ଯେ ନିର୍ବାଚନରେ ବିିଭିନ୍ନ ଅନିୟମିତତା କରାଯାଇଛି। ବହୁଦିନ ପରେ ସେନା ପୁଣି ରାଜନୀତିରେ ନାକ ପୂରେଇଲା ଏବଂ ହଠାତ୍‌ ଶାସନ ଦଖଲ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ବିଶିଷ୍ଟ ଲୋକଙ୍କୁ ଗିରଫ କଲା। ଆମେରିକା, ୟୁରୋପ, ଇଂଲଣ୍ଡ, ପ୍ରତିବାଦ କରିଛନ୍ତି ଓ ବର୍ମା ଉପରେ ବିଭିନ୍ନ କଟକଣା ମଧ୍ୟ ଲଗେଇଛନ୍ତି; କିନ୍ତୁ ଜାତିସଂଘର ନିରାପତ୍ତା ପରିଷଦ ବର୍ମା ବିରୋଧରେ କଟକଣା ଜାରି କରାଇ ପାରିଲେ ନାହିଁ, କାରଣ ଚୀନ୍‌ ଓ ରୁଷିଆ ଭେଟୋ ପ୍ରୟୋଗ କଲେ। ଏକଦା ଚୀନ୍‌ ରୁଷିଆର ହାତ ଧରି ଚାଲୁଥିଲା। ଏବେ ପରିସ୍ଥିତି ବଦଳିବାରୁ ରୁଷିଆ ଚୀନ୍‌ର ଆଙ୍ଗୁଠି ଧରି ଚାଲୁଛି। ବର୍ମାର ଘଟଣାକୁ ଚୀନ୍‌ ଏହା ଏକ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇଛି ବୋଲି କହୁଛି। ନିଜ ସ୍ବାର୍ଥ ଦୃଷ୍ଟିରୁ ଏହା କହୁଥିବା ସମସ୍ତେ ଉପଲବ୍ଧି କରିଛନ୍ତି; କିନ୍ତୁ ଚୀନ୍‌ କେବେ ଅନ୍ୟମାନଙ୍କର ମତକୁ ସମ୍ମାନ ଦିଏନାହିଁ। ବର୍ମା, ଆମେରିକା, ୟୁରୋପ, ବ୍ରିଟେନ ଏମାନଙ୍କଠୁ ସବୁବେଳେ ଦୂରେଇ ରହୁଛି ଓ ସେ ସବୁବେଳେ ଚାହୁଁଛି ଦକ୍ଷିଣପୂର୍ବ ଏସିଆ ସାଙ୍ଗେ ଭଲ ସମ୍ପର୍କ ରଖିବାପାଇଁ। ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଜରାଲ ବୈଦେଶିକ ନୀତିକୁ ପୂର୍ବମୁହାଁ କରିବାପାଇଁ ଘୋଷଣା କରିଥିଲେ। ସେଥିପାଇଁ ନାଗାଲାଣ୍ଡ, ମଣିପୁର ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଗଲା ଓ ବର୍ମା, ଥାଇଲାଣ୍ଡ ଦେଶ ସଙ୍ଗେ ସମ୍ପର୍କ ନିବିଡ଼ କରିବାପାଇଁ ଚେଷ୍ଟା କରାଗଲା। ବାଣିଜ୍ୟକୁ ବିସ୍ତାର କରିବା ପାଇଁ ଆମ ପୂର୍ବ ସୀମାନ୍ତରୁ ଏକ ରାସ୍ତା ବର୍ମା ଥାଇଲାଣ୍ଡ ଦେଇ ସିଙ୍ଗାପୁର ପର୍ଯ୍ୟନ୍ତ ନେବାପାଇଁ ଏବେ ମିଳିତ ଯୋଜନା ହୋଇଛି। ତା’ହେଲେ ପୂର୍ବ ଭାରତର ଆବଶ୍ୟକ ବସ୍ତୁ ସେଇ ରାସ୍ତା ଦେଇ ଆଣିହେବ ଓ ଅନେକ ବସ୍ତୁ ରପ୍ତାନୀ କରିହେବ। ଭାରତ, ବର୍ମା, ଥାଇଲାଣ୍ଡ ଉପକୃତ ହେବେ ଓ ସର୍ବଦା ବନ୍ଧୁତା ରହିବ। ଆମର ଅନେକ ଏକଛତ୍ରବାଦ ଶାସନ ସହିତ ଭଲ ସମ୍ପର୍କ ଅଛି, ଯଥା- ଆରବ ଦେଶସମୂହ। ତେଣୁ ବର୍ମାର ସାମରିକ ଶାସନ ସହିତ ଭଲ ସମ୍ପର୍କ ରଖିଲେ ପୃଥିବୀ ପ୍ରଳୟ ହେବନାହିଁ ବରଂ ଚୀନ୍‌କୁ ରୋକିହେବ। ଚୀନ୍‌ ଏବେ ଲଦାଖରୁ ସୈନ୍ୟବାହିନୀ ପ୍ରତ୍ୟାହାର କରି ନେଉଛି। ଅସୁବିଧା ହେଲେ ବନ୍ଧୁତାର ଛଳନା କରିବା ସୈନ୍ୟବାହିନୀକୁ ଫେରେଇ ଆଣିବ; କିନ୍ତୁ ଠିକ୍‌ ସମୟରେ ଆକ୍ରମଣ କରି ଶତ୍ରୁକୁ ବିଧ୍ବସ୍ତ କରିଦେବ। ଏଇ ନୀତି ଚାଣକ୍ୟଙ୍କର ଥିଲା। ଏବେ ଚୀନ୍ ତାକୁ ଗ୍ରହଣ କରିଛି। ସେଥିପାଇଁ ଭାରତକୁ କ୍ଷୁର ଧାରରେ ଚାଲିବାକୁ ପଡ଼ିବ। ଏବେ ବର୍ମାରେ ଯେଉଁ ବିଭିନ୍ନ ପ୍ରତିବାଦ ଚାଲିଛି ତାକୁ ଗୁପ୍ତରେ ସମର୍ଥନ କଲେ ଭବିଷ୍ୟତରେ ଗଣତାନ୍ତ୍ରିକ ଶାସନ ଫେରି ଆସିଲେ ଆମ ସମ୍ପର୍କରେ କିଛି ବାଧା ହେବନାହିଁ।

The following factors and conditions increase the risk:. vgrmalaysia.net In addition, certain medications raise the likelihood of sexual dysfunction.

Leave A Reply