ସ୍ପାନିଶ ସୁପର କପ୍‍ : ବାର୍ସେଲୋନା ଚମ୍ପିଆନ

0

ମାଦ୍ରିଦ : ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ବାର୍ସେଲୋନା କ୍ଲବ ଚଳିତବର୍ଷ ସ୍ପାନିଶ ସୁପର କପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାର୍ସେଲୋନା ୨-୧ ଗୋଲରେ ସେଭିଲା କ୍ଲବକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ୯ ମିନିଟରେ ପାବ୍‍ଲୋ ସରାବ୍ୟା ଗୋଲ ସ୍କୋର କରି ସେଭିଲାକୁ ୧-୦ରେ ଆଗୁଆ କରିଥିଲେ। ବାର୍ସେଲୋନା ଖେଳାଳି ଏହାର ପ୍ରତିବାଦ କରିବା ଫଳରେ ରେଫରି ଭିଡିଓ ଆନାଲିଷ୍ଟଙ୍କ ସହାୟତା ଲୋଡିଥିଲେ। ତେବେ ୪୨ମିନିଟରେ ବାର୍ସେଲୋନା ପକ୍ଷରୁ ଜେରାର୍ଡ ପିକ୍‍ ଗୋଲ ପରିଶୋଧ କରିଥିଲେ। ଲିଓନେଲ ମେସିଙ୍କ ଏକ ଫ୍ରିକିକ୍‍ ସେଭିଲା ଗୋଲପୋଷ୍ଟର ସାଇଡ୍‍ ବାର୍‍ରେ ବାଜି ଫେରିଆସିବାପରେ ପିକ୍‍ ରିବାଉଣ୍ଡରୁ ସଟ୍‍ ମାରି ଦର୍ଶନୀୟ ଗୋଲ ସ୍କୋର କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ୭୮ ମିନିଟରେ ଡେମ୍ବଲେଙ୍କ ଶକ୍ତିଶାଳୀ ସଟ୍‍ ସେଭିଲା ଗୋଲପୋଷ୍ଟର କ୍ରସ୍‍ବାରରେ ବାଜି ଭିତରକୁ ପ୍ରବେଶ କରିବା ଫଳରେ ବାର୍ସେଲୋନା ୨-୧ ଗୋଲରେ ଆଗୁଆ ରହିଥିଲା। ୮୯ ମିନଟରେ ସେଭିଲା ଦଳକୁ ପେନାଲଟି କିକ୍‍ ମିଳିଥିଲା। ତେବେ ବଦଳ ଖେଳାଳି ୱିଜାମ୍‍ ବେନ୍‍ ୟେଡେରଙ୍କ ଦୁର୍ବଳ ସଟ୍‍କୁ ବାର୍ସେଲୋନା ଗୋଲରକ୍ଷକ ମାର୍କ ଆନ୍ଦ୍ରେ ଷ୍ଟିଜେନ୍‍ ଏହାକୁ ଅନାୟାସରେ ଅଟକାଇଥିଲେ। ଫଳରେ ସେଭିଲା ଆଉ ଏକ ଗୋଲରୁ ବଞ୍ଚିତ ହୋଇଥିବାବେଳେ ବାର୍ସେଲୋନା ଶେଷରେ ୨-୧ ଗୋଲରେ ବିଜୟୀ ହୋଇଥିଲା।

Leave A Reply