ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଭୁଲ୍‍: ଅମରିନ୍ଦର ସିଂହ

0

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ନାପସନ୍ଦ କରିଛନ୍ତି। ରବିବାର ଅମରିନ୍ଦର କହିଛନ୍ତି ଯେ ଜେନେରାଲ ଜାଭେଦଙ୍କୁ ସିଧୁ ଆଲିଙ୍ଗନ କରିବା ଭୁଲ୍‍। ସିଧୁ ଏବେ ଅମରିନ୍ଦରଙ୍କ ନେତୃତ୍ୱ ପଞ୍ଜାବ ସରକାରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି। ଅମରିନ୍ଦର କହିଛନ୍ତି ଯେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ଯୋଗଦେବାକୁ ନେଇ ତାଙ୍କ ସରକାରର କିଛି କହିବାର ନାହିଁ। ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି।
ଅନ୍ୟପଟେ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଘଟଣାକୁ ସିଧୁ ଯଥାର୍ଥ ବୋଲି କହିଛନ୍ତି। ସିଧୁ କହିଛନ୍ତି ଯେ ଜଣେ ନିଜକୁ ସମାନ ସମ୍ପ୍ରଦାୟର କହି ଆଲିଙ୍ଗନ କରିବାକୁ କହିଲେ କ’ଣ ତାକୁ ଅଗ୍ରାହ୍ୟ କରାଯାଇପାରିବ। ଶପଥ ଗ୍ରହଣ ଉତ୍ସବରେ ସିଧୁ ପାକିସ୍ତାନ ଅଧିକୃତ କାଶ୍ମୀରର ଅଧ୍ୟକ୍ଷ ମାସୁଦ ଖାଁଙ୍କ ସହିତ ଆଗ ଧାଡିରେ ବସିଥିଲେ ଓ ତାଙ୍କ ସହିତ ଅନ୍ତରଙ୍ଗ ଆଳାପ ଚଳାଇଥିଲେ। ମାସୁଦ ଖାଁଙ୍କ ସହିତ ବସିବାକୁ ନେଇ ସିଧୁ କହିଛନ୍ତି ଯେ ମୋତେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ତେଣୁ ମୋତେ ଯେଉଁଠାରେ ବସିବାକୁ କୁହାଯାଇଥିଲା ମୁଁ ସେହିଠାରେ ବସିଥିଲି। ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ଯୋଗଦେବା ଓ ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବାକୁ ବିଜେପି ବିରୋଧ କରିଛି। ପଞ୍ଜାବ ବିଜେପି ମୁଖ୍ୟ କହିଛନ୍ତି ଯେ ପାକ୍‍ ସେନାମୁଖ୍ୟଙ୍କୁ ସିଧୁ ଆଲିଙ୍ଗନ କରିବା ଅତ୍ୟନ୍ତ ଲଜ୍ଜାଜନକ। ପାକିସ୍ତାନ ସେନା ଭାରତର ଯବାନଙ୍କୁ ହତ୍ୟା କରୁଥିବାବେଳେ ସିଧୁ ଏହାର ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଧନ୍ୟବାଦ ସଦୃଶ।

Leave A Reply