ବିହାର ସରକାରୀ ସୁଧାର ଗୃହରେ ୩୪ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

0

ପାଟନା: ବିହାର ମୁଜାଫରପୁର ସରକାରୀ ସୁଧାର ଗୃହରେ ୩୪ଜଣ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗରେ ବିହାର ପୁଲିସ ଉକ୍ତ ଗୃହର ପରିଚାରିକା ସମେତ ୧୦ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଅପରପକ୍ଷରେ ଏଭଳି ମାମଲା ଲୋକଲୋଚନକୁ ଆସିବା ପରେ ନୀତିଶ ସରକାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଟାଟା ଇନ୍ସଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ପକ୍ଷରୁ ଏହି ସୁଧାର ଗୃହରେ ଚାଲିଥିବା ଏକ ଅଡିଟରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଥିଲା। ଏଭଳି ଅଭିଯୋଗ ଆସିବା ପରେ ଗୃହର ୪୨ଜଣ ନାବାଳିକାଙ୍କ ଡାକ୍ତରି ମଇନା କରାଯାଇ ଥିଲା। ସେମାନଙ୍କ ମଧ୍ୟରୁ ୩୪ଜଣ ବଳାତ୍କାରର ଶିକାର ହୋଇଥିବା ରିପୋର୍ଟ ଆସିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହି ଘଟଣା ଉକ୍ତ ଗୃହରେ ଦୀର୍ଘ ଦିନ ଧରି ଚାଲିଥିଲେ ମଧ୍ୟ ଏହାର ସୁରାକ କେହି ପାଇ ନଥିଲେ। ସରକାରୀ ଆବାସ ପରିଚାଳନା ଦାୟିତ୍ୱରେ ଥିବା ସ୍ୱୟଂସେବା ସଂଗଠନ ଓ ଜିଲାର ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ଘଟଣାଟି ଲୋକଲୋଚନକୁ ଆସି ନଥିଲା। ଉଭୟଙ୍କ ସମେତ ୧୦ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଏହି ଘଟଣାରେ ଆହୁରି ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ବିହାର ସରକାରଙ୍କୁ ଏହି ଘଟଣାରେ ନୋଟିସ ପ୍ରଦାନ କରାଯାଇଛି।

Leave A Reply