ଜାମ୍ମୁ କାଶ୍ମୀରରେ ତୁଷାରପାତ ଓ ହିମସ୍ଖଳନରେ ୭ ମୃତ, ୫ ନିଖୋଜ

0

ନୂଆଦିଲ୍ଲୀ/ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ହିମସ୍ଖଳନ ହେଉଥିବାର ଖବଳ ମିଳୁଛି। ଜାମ୍ମୁ- ଶ୍ରୀନଗର ରାଜପଥର ଜାବାହାରଲାଲ ଟେନେଲରେ ଫସି ରହିଥିବା ୧୦ ପୁଲିସ୍‍ କର୍ମୀଙ୍କ ମଧ୍ୟରୁ ଶୁକ୍ରବାର ୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଅନ୍ୟ ୩ ପୁଲିସ୍‍ କର୍ମୀଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ୪ ଜଣ ନିଖୋଜ ଅଛନ୍ତି। ଗୁରୁବାର ହିମସ୍ଖଳନ ଯୋଗୁଁ ଟନେଲ ମଧ୍ୟରେ ୧୦ ଜଣ ପୁଲିସ୍‍ କର୍ମୀ ଫସି ରହିଥିଲେ। ପ୍ରଚଣ୍ଡ ତୁଷାରପାତ ଏବଂ ହିମସ୍ଖଳନ ଯୋଗୁଁ ପୃଥକ ପୃଥକ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ସେନାଠାରୁ ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ପ୍ରବଳ ବେଗରେ ପବନ ଏବଂ ତୁଷାରପାତ ଯୋଗୁଁ ସୁଢଙ୍ଗ କର୍ଯ୍ୟନ୍ତ ପହଞ୍ଚିବାକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା। ନିଖୋଜ ପୁଲିସ୍‍ କର୍ମୀଙ୍କୁ ଖୋଜିବା ପାଇଁ ସେନା ହେଲିକପ୍ଟରର ସାହଯ୍ୟ ଲୋଡ଼ିଛି। ଜାମ୍ମୁ କାଶ୍ମୀରର ରାମସୁ, ରାମବନ ସେକ୍ଟରରେ ହିମସ୍ଖଳନରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଦ୍ୱୟଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ସଂଜୀତ ଲଗଡ଼ା ଏବଂ ଅନ୍ୟ ଜଣେ ହିମାଚଳପ୍ରଦେଶରେ ପ୍ରମୋଦ ନମକୋଟିଆ ବୋଲି ଚିହ୍ନଟ କରାଯାଇଛି। ଅନନ୍ତନାଗ ଜିଲାର କୋକରନାଗ ଅଞ୍ଚଳରେ ହିମସ୍ଖଳନରେ ଏକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଛି। କାଶ୍ମୀର ଘାଟିରେ ଗୁରୁବାରରୁ ପ୍ରବଳ ତୁଷାରପାତ ଜାରି ରହିଛି। ସୂଚନା ଅନୁସାରେ କେତେକ ସ୍ଥାନରେ ୫ ଫୁଟ୍‍ ପର୍ଯ୍ୟନ୍ତ ତୁଷାରପାତ ହୋଇଛି। ହିମସ୍ଖଳନ ଯୋଗୁଁ ଜାମ୍ମୁ- ଶ୍ରୀନଗର ରାଜପଥ ବନ୍ଦ ରହିଛି। ଲେହ ଅଞ୍ଚଳକୁ ସଡ଼କ ପଥ ବନ୍ଦ ହୋଇଯାଇଛି। ଏବେ ଲେହ ପ୍ରାୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଡିସେମ୍ବରରୁ ଏପର୍ଯ୍ୟନ୍ତ ଲେହକୁ ରାସ୍ତା ଖୋଲା ଯାଇପାରିନାହିଁ।

Leave A Reply