ସ୍କୁଲ ଫିସ୍‍ ନଦେବାରୁ ୫୦ଛାତ୍ରୀଙ୍କୁ ବନ୍ଧକ

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଘଟଣା ଦେଶର ଶିକ୍ଷା ବ୍ୟବସ୍ଥାର ପାରଦର୍ଶିତାକୁ ଦୋହଲାଇ ଦେଇଛି। ସ୍କୁଲ ଫିସ୍‍ ପୈଠ ନକରିବାରୁ ସ୍କୁଲ କର୍ତ୍ତୁପକ୍ଷ ୫୦ଜଣ ଛାତ୍ରୀଙ୍କୁ ସ୍କୁଲର ବେସମେଣ୍ଟରେ ଦୀର୍ଘ ୫ଘଣ୍ଟା କାଳ ବନ୍ଧକ ରଖିଥିଲେ। ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ସ୍ଥିତ ରାବିୟା ଗାର୍ଲ୍‍ସ ପବ୍ଲିକ ସ୍କୁଲରେ ଏଭଳି ଘଟଣା ଘଟିଛି। ଅଭିଭାବକଙ୍କଠାରୁ ଫିସ୍‍ ଆଦାୟ କରିବାକୁ ସ୍କୁଲ କର୍ତ୍ତୁପକ୍ଷ ୫୦ଜଣ ଛାତ୍ରୀଙ୍କୁ ସ୍କୁଲ ବେସମେଣ୍ଟରେ ବନ୍ଧକ ବନାଇ ରଖିବା ଘଟଣା ପୁଣି ଥରେ ଦେଶର ଘରୋଇ ଶିକ୍ଷା ପ୍ରଣାଳୀ ଉପରେ ଅଙ୍ଗୁଠି ନିର୍ଦେଶ କରୁଛି।
ଏହି ଛାତ୍ରୀଙ୍କୁ ସକାଳ ୭.୩୦ମିରୁ ସ୍କୁଲର ବେସମେଣ୍ଟରେ ରଖାଯାଇ ଥିଲା। ସ୍କୁଲ ଛୁଟି ହେବା ପରେ ବେସମେଣ୍ଟରେ ବନ୍ଧକ ଅବସ୍ଥାରେ ଥିବା ଛାତ୍ରୀମାନେ ବାହାରକୁ ନବାହାରିବାରୁ ଅଭିଭାବକମାନେ ଏ ସମ୍ପର୍କରେ ଜାଣିବାକୁ ପାରିଥିଲେ। ସେମାନଙ୍କଠାରୁ ସ୍କୁଲ କର୍ତ୍ତୁପକ୍ଷ ଫିସ ନପାଇଥିବାରୁ ଛାତ୍ରୀମାନଙ୍କୁ ଦୀର୍ଘ ୫ଘଣ୍ଟାରୁ ଊଦ୍ଧ୍ୱର୍ ବନ୍ଧକ ରଖାଯାଇ ଥିବାବେଳେ ସ୍କୁଲ ଖାତାରେ ସେମାନଙ୍କୁ ଅନୁପସ୍ଥିତ ଥିବା ଦର୍ଶାଯାଇ ଥିଲା। ଏହି ସମୟସୀମା ମଧ୍ୟରେ ଛାତ୍ରୀଙ୍କୁ କିଛି ଖାଇବାକୁ ମଧ୍ୟ ଦିଆଯାଇ ନଥିଲା। ସ୍କୁଲ ଛୁଟି ପରେ ଅଭିଭାବକମାନେ ତାଙ୍କ ପିଲାଙ୍କୁ ଖୋଜାଖୋଜି କରିବା ପରେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ।
ଏହି ଘଟଣାକୁ ନେଇ ଦିଲ୍ଲୀରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘଟଣାର ବସ୍ତୃତ ରିପୋର୍ଟ ମାଗିବା ସହ ଶିକ୍ଷା ସଚିବଙ୍କୁ ଡାକି ଆଲୋଚନା କରିଛନ୍ତି। ଅପରପକ୍ଷରେ ଅଭିଭାବକଙ୍କ ପକ୍ଷରୁ ସ୍କୁଲ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ପରିସ୍ଥିତିକୁ ଦେଖି ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ବନ୍ଧକ ବନାଇବା ଘଟଣାକୁ ଅସ୍ୱୀକାର କରିଛନ୍ତି।

Leave A Reply