ବ୍ୟଭିଚାର ଆଇନ ଲିଙ୍ଗଗତ ସମାନତାର ଉଲ୍ଲଙ୍ଘନ ହେଉଛି : ସୁପ୍ରିମକୋର୍ଟ

0
-ପରକୀୟା ପ୍ରୀତି ଲାଗି ଦୋମୁହାଁ ଦଣ୍ଡବିଧି , -ପୁରୁଷ ପାଉଛନ୍ତି ଦଣ୍ଡ; ମହିଳାଙ୍କୁ ଛାଡ଼ , -ଆଇପିସିର ଧାରା ୪୯୭ରେ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ବିବାହର ପବିତ୍ରତା ରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପବିତ୍ରତା ରକ୍ଷା କରିବା ଉଭୟ ବିବାହିତ ମହିଳା ଏବଂ ପୁରୁଷଙ୍କ ଦାୟିତ୍ୱ। ଯଦି ପୁରୁଷମାନେ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରକ୍ଷା କରନ୍ତି, ତେବେ ସେମାନଙ୍କୁ ଦଣ୍ଡିତ କରିବା ଲାଗି ଆମ ସମ୍ବିଧାନରେ ବ୍ୟବସ୍ଥା ରହିଛି; ଅଥଚ ବିବାହିତ ମହିଳା ନିଜ ସ୍ୱାମୀ ଭିନ୍ନ ପରପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ କଲେ ସେମାନଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବା ଲାଗି ଭାରତୀୟ ପିଙ୍ଗଳ ଆଇନରେ ବ୍ୟବସ୍ଥା ନାହିଁ। ପରକୀୟା ପ୍ରୀତି ପ୍ରସଙ୍ଗରେ ସମ୍ବିଧାନ ସମସ୍ତଙ୍କୁ ଦେଇଥିବା ସମାନ ଅଧିକାର ଏହାଦ୍ୱାରା ଗୁରୁତର ଉଲ୍ଲଙ୍ଘନ ହେଉଛି ଏବଂ ଏହା ଲିଙ୍ଗଗତ ଭିନ୍ନତାକୁ ପ୍ରମାଣିତ କରୁଛି ବୋଲି ସୁପ୍ରିମକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଇପିସିର ଧାରା ୪୯୭ର ସାମ୍ବିଧାନିକ ବୈଧତା ଉପରେ ଶୁଣାଣିକରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ପଟେ ସମ୍ବିଧାନ ଲିଙ୍ଗଗତ ସମାନତା କହୁଥିବାବେଳେ ଅନ୍ୟପଟେ ପରକୀୟା ପ୍ରୀତି ନେଇ କେବଳ ପୁରୁଷଙ୍କୁ ଦଣ୍ଡିତ କରିବା ଓ ମହିଳାଙ୍କୁ ଛାଡ଼ଦେବା ଆଇନଗତ ବ୍ୟବସ୍ଥାର ଜଟିଳ ଅଂଶ ବୋଲି ଅଦାଲତ କହିଛନ୍ତି। ଯଦି ଜଣେ ବିବାହିତ ମହିଳା ସ୍ୱାମୀଙ୍କ ଅନୁମତିରେ ଅନ୍ୟଜଣେ ବିବାହିତ ପୁରୁଷ ସହ ଅନୈତିକ ଶାରୀରିକ ସମ୍ପର୍କ ରଖେ, ତେବେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କୌଣସି ବ୍ୟବସ୍ଥା ନାହିଁ। ଏଭଳି ବିବାହିତ ମହିଳାଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିବାର ପ୍ରାବଧାନ ୧୫୮ ବର୍ଷ ପୁରୁଣା ଆଇପିସିର ଧାରା ୪୯୭ରେ ନ ରହିବା ଲିଙ୍ଗଗତ ସମାନତାର ଗୁରୁତର ଉଲ୍ଲଙ୍ଘନ ବୋଲି କରେ ଉଭୟ ବିବାହିତ ପୁରୁଷ ଏବଂ ମହିଳାଙ୍କୁ ସମାନ ଭାବେ ଦାୟୀ ରହିବାକୁ ହେବ।
ବିବାହର ପବିତ୍ରତା ରକ୍ଷା ଦୃଷ୍ଟିରୁ ବ୍ୟଭିଚାର ଅପରାଧ ତାଲିକାଭୁକ୍ତ ରହିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୀଠର ଅନ୍ୟତମ ସଦସ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ କହିଛନ୍ତି, ଏହି ଧାରା ବିବାହର ପବିତ୍ରତା ରକ୍ଷା କରିବ ବୋଲି କେନ୍ଦ୍ର ସରକାର ଯେଉଁ ଯୁକ୍ତି ବାଢିଛନ୍ତି ତାହା ଠିକ୍‍ ପ୍ରତୀତ ହେଉନାହିଁ। କାରଣ ଜଣେ ବିବାହିତ ପୁରୁଷ ଜଣେ ଅବିବାହିତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ରକ୍ଷା କ୍ଷେତ୍ରରେ ମଧ୍ୟ ବିବାହର ପବିତ୍ରତା ନଷ୍ଟ ହୋଇଥାଏ; କିନ୍ତୁ କୌଣସି ପୁରୁଷ ଓ ବିବାହିତ ମହିଳାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ସ୍ୱାମୀ ଅଭିଯୋଗ କଲେ ଉକ୍ତ ସମ୍ପର୍କକୁ ଅପରାଧ ବୋଲାଇ ଥାଏ। ଯଦି ସ୍ୱାମୀଙ୍କ ଭିନ୍ନ ଅନ୍ୟ କୌଣସି ପୁରୁଷଙ୍କ ସହିତ ବିବାହିତ ମହିଳା ସମ୍ପର୍କ ସ୍ଥାପନ କରନ୍ତି ତା’ହେଲେ ଅନୈତିକ ସମ୍ପର୍କ ସ୍ଥାପନଜନିତ ଅପରାଧ ପାଇଁ ଉଭୟେ ଦାୟୀ। ଏଭଳି କ୍ଷେତ୍ରରେ କାହିଁକି କେବଳ ବିବାହିତ ପୁରୁଷଙ୍କୁ ଦଣ୍ଡିତ କରାଯିବ। ଏହା ସମ୍ପୂର୍ଣ୍ଣ ପକ୍ଷପାତିତା ବୋଲି ବିଚାରପତି ଦର୍ଶାଇଛନ୍ତି।
ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି ଯେ ଏକାଧିକ ବିବାହ ସମ୍ବନ୍ଧୀୟ ଧାରା ୪୯୭ ସ୍ୱତଃ ପ୍ରମାଣ କରେ ବ୍ୟଭିଚାର ସମ୍ବନ୍ଧୀୟ ଧାରା ୪୯୭ ଅସାମ୍ବିଧାନିକ। ଅନ୍ୟପଟେ ଏହି ଧାରା ବ୍ୟଭିଚାରରେ ସମ୍ପୃକ୍ତ ପୁରୁଷଙ୍କୁ କ୍ଷମା ଦେବାକୁ ପ୍ରବର୍ତ୍ତାଇ ମାମଲାର ସମାଧାନ କରିବାର ଅଧିକାର ସ୍ୱାମୀଙ୍କୁ ପ୍ରଦାନ କରୁଛି। ଯେଉଁଠି ମହିଳାଙ୍କ ଅଭିଯୋଗ ଉପରେ ପୁରୁଷଙ୍କୁ ଦଣ୍ଡିତ କରାଯାଉଛି; ସେଠାରେ ମହିଳାଙ୍କ ବିରୋଧରେ ଏଭଳି ଅଭିଯୋଗ ଲାଗି ପୁରୁଷଙ୍କୁ ବ୍ୟଭିଚାରୀ ପତ୍ନୀଙ୍କୁ କ୍ଷମା ଦେବାର ଅଧିକାର ଦେବା ହାସ୍ୟାସ୍ପଦ ବୋଲି ପୀଠର ସଦସ୍ୟ ବିଚାରପତି ଇନ୍ଦୁ ମାଲହୋତ୍ରା ଦର୍ଶାଇଛନ୍ତି। ଅନ୍ୟପଟେ ସ୍ୱାମୀଙ୍କ ଅନୁମତି ନାଁରେ ବିବାହିତ ମହିଳା ଅନ୍ୟ ସହ ସଂପର୍କ ରକ୍ଷା କରିବା ଏକ ଜଣାଶୁଣା ବ୍ୟବିଚାର; କାରଣ ମହିଳା ଏକ ସାମଗ୍ରୀ ନୁହେଁ ବୋଲି ମଧ୍ୟ ଅଦାଲତ କହିିଛନ୍ତି। ଧାରା ୪୯୭ ଦୁଇ ଅବିବାହିତ ପ୍ରୌଢଙ୍କ ମଧ୍ୟରେ ଶାରୀରିକ ସଂପର୍କ ରକ୍ଷା ଲାଗି କାର୍ଯ୍ୟକାରୀ ହେଉନଥିବାବେଳେ ଏହା ଉଭୟ ବିବାହିତ ପୁରୁଷ ଓ ମହିଳାଙ୍କ ଲାଗି ଦଣ୍ଡବିଧାନ କ୍ଷେତ୍ରରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିବା ଠିକ୍‍ ନୁହେଁ ବୋଲି ଆବେଦନକାରୀ ଜୋଶେଫ ସିନେଙ୍କ ପକ୍ଷରୁ ଆଇନଜୀବୀ କଳେଶ୍ୱରମ୍‍ ରାଜ୍‍ ଯୁକ୍ତି ବାଢିଛନ୍ତି। ଯଦି ପୁରୁଷକୁ ଦଣ୍ଡିତ କରାଯାଉଛି, ତେବେ ମହିଳାଙ୍କୁ ମଧ୍ୟ ଅନୁରୂପ ଦଣ୍ଡିତ କରାଯିବା ପ୍ରାବଧାନ ଆଇନରେ ରହିବା ଜରୁରୀ ବୋଲି ସେ ଦଲିଲ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଚାରପତି ଆର୍‍. ଏଫ୍‍. ନରିମନ ଏବଂ ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏହି ସାମ୍ବିଧାନିକ ପୀଠରେ ସଦସ୍ୟ ଅଛନ୍ତି। ଉଲ୍ଲେଖ ଯେ ମହିଳାଙ୍କୁ ଅଭିଯୁକ୍ତ କରାଯିବା ନେଇ ବ୍ୟଭିଚାର ଆଇନରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ; କିନ୍ତୁ ଏହି ଆଇନ ଲିଙ୍ଗଗତ ସମାନତାକୁ ଉଲ୍ଲଙ୍ଘନ କରୁଛି କି ନାହିଁ ତାହା ଉପରେ ବିଚାର କରିବେ ବୋଲି ସୁପ୍ରିମକୋର୍ଟ ବୁଧବାର କହିଥିଲେ। ଏହି ବ୍ୟଭିଚାର ମାମଲାରେ ମହିଳାଙ୍କୁ ଅଭିଯୁକ୍ତ କରିବା ନିମନ୍ତେ କେରଳର ଯୋଶେଫ୍‍ ଶିନେଙ୍କ ଜନସ୍ୱାର୍ଥ ଆବେଦନ କରିଥିଲେ।

Comments
Loading...