ସତ୍ୟର ପଥ ଆପଣାଇବା ଶିଖାଇଛି ‘ସମାଜ’

0

ବ୍ରହ୍ମପୁର : ‘ସମାଜ’ କେବଳ ଏକ ପତ୍ରିକାରେ ସୀମିତ ନାହିଁ । ଆଜକୁ ୧୦୦ ବର୍ଷ ହେବ ଆମ ସମାଜର ସାଂସ୍କୃତିକ ଜୀବନ ଗଠନରେ ସହାୟ ହୋଇଛି ‘ସମାଜ’। ସାମ୍ବାଦିକତା କହିଲେ ସତ୍ୟର ପଥକୁ ବୁଝାଏ। ଉଚ୍ଚକୋଟିର ଚିନ୍ତାଧାରା ବ୍ୟକ୍ତିମାନେ ହିଁ ସାମ୍ବାଦିକ ବୃତ୍ତିକୁ ଆସିଥାନ୍ତି। ପ୍ରଥମରୁ ହିଁ ‘ସମାଜ’ ସତ୍ୟର ପଥକୁ ଆପେଣାଇବାର ଶିକ୍ଷା ଦେଇଛି। ଏହାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ମାନବ ସେବା ଓ ଦୁଃଖୀଦରିଦ୍ରଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟ କରି ଚାଲିଯାଇଛନ୍ତି ତାହା କାହାରିକୁ ଅଛପା ନାହିଁ ବୋଲି ଡାଇମଣ୍ଡ ଜୁବୁଲି ଟାଉନହଲ୍‍ଠାରେ ମଙ୍ଗଳବାର ଆୟୋଜିତ ‘ସମାଜ’ ବ୍ରହ୍ମପୁର ସଂସ୍କରଣର ୧୧ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଶିଷ୍ଟ ସାରସ୍ୱତ ସାଧିକା ଡ. ଶକୁନ୍ତଳା ବଳିୟାରସିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପରୋକ୍ତ କଥା କହିଛନ୍ତି। ଓଡ଼ିଆ ଜାତି ତଥା ଓଡ଼ିଶା ପାଇଁ ପଞ୍ଚସଖାଙ୍କ ଅବଦାନକୁ ମନେ ପକାଇ ଡ. ଶକୁନ୍ତଳା ନିଜ ବକ୍ତବ୍ୟରେ ଇତିହାସର କିଛି ପୃଷ୍ଠାକୁ ଓଲଟାଇଥିଲେ। ଗାନ୍ଧିଜୀ କିଭଳି ଗୋପବନ୍ଧୁ ଦାସଙ୍କୁ ଜଣେ ସଚ୍ଚା ସେବକ ବୋଲି ଅଭିହିତ କରିଥିଲେ, ଦୁଃଖିଦରିଦ୍ରଙ୍କୁ ଦେଖିଲେ କିଭଳି ଗୋପବନ୍ଧୁଙ୍କ ଆତ୍ମା କାନ୍ଦି ଉଠୁଥିଲା ତାହା ଉପସ୍ଥିତ ଶ୍ରୋତାଙ୍କୁ ବୁଝାଇ ଦେଇଥିଲେ।
ଆମେ ଜୀବନରେ ଏଭଳି କର୍ମ କରିବା ଉଚିତ ଯାହା ଲୋକଙ୍କୁ ଉପଯୁକ୍ତ ମାର୍ଗ ଦେଖାଇବା ସହ ଲୋକେ ଆମକୁ ମନେ ରଖିବେ ବୋଲି ମୁଖ୍ୟଅତିଥି ଭୁବନେଶ୍ୱରସ୍ଥିତ ନାଇଜରର କୁଳସଚିବ ଡ. ଅଭୟକୁମାର ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ। ଜୀବନରେ ୪୦ ବର୍ଷ ଧରି ‘ସମାଜ’ ସହ ମୋର ସମ୍ପର୍କ ରହିଛି। ଓଡ଼ିଶାର ପୂର୍ବ ଇତିହାସ, ଗୌରବ ଓ ପରମ୍ପରାକୁ ଆଜିପର୍ଯ୍ୟନ୍ତ ‘ସମାଜ’ ବଞ୍ଚାଇ ରଖିଛି। କଂସବଦ୍ଧର ଉପାଖ୍ୟାନ ବାଢି ଶ୍ରୀ ନାୟକ ତାଙ୍କ ଉଦବୋଧନରେ୧୧ ବର୍ଷର ଶିଶୁ ସମାଜ ବ୍ରହ୍ମପୁର ସଂସ୍କରଣ ସମାଜରୁ କଂସ ରୂପୀ ରାକ୍ଷସକୁ ନିପାତ କରିବାକୁ କଲମ ଚାଳନା କରିବାକୁ ଆହ୍ୱାନ କରିଥିଲେ।
‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ନିଜ ବକ୍ତବ୍ୟରେ ଗଞ୍ଜାମର ଲୋକଙ୍କୁ ବିଜ୍ଞ ବୋଲି ଅଭିହିତ କରିବା ସହ ବ୍ରହ୍ମପୁର ହେଉଛି ସାମ୍ବାଦିକଙ୍କ ଏନ୍ତୁଡିଶାଳ ବୋଲି କହିଥିଲେ। ‘ସମାଜ’ ଖବର କାଗଜ ହେଉଛି ଲୋକଙ୍କର। ଓଡ଼ିଶାର ଜନସାଧାରଣଙ୍କ ହିତ ସାଧନ ହେଉଛି ସମାଜର ମୂଳଲକ୍ଷ୍ୟ। ଗୋପବନ୍ଧୁ ଦେଖାଇଥିବା ସ୍ୱପ୍ନ ଓ ରାଧାନାଥ ରଥଙ୍କ ପ୍ରେରଣାରେ ୧୦୦ ବର୍ଷରେ ପହଞ୍ଚିଥିବା ଏହି ଖବରକାଗଜ କିଭଳି ଆହୁରି ୧୦୦ ବର୍ଷ ଆଗକୁ ଯିବ ସେ ନେଇ ବାଟ ଦେଖାଇବାକୁ ଶ୍ରୀ ତ୍ରିପାଠୀ ପାଠକ ପାଠିକାଙ୍କୁ ଅନୁରୋଧ କରିଥିଲେ।
ଓଡ଼ିଶା ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାଶ ଓ ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ସଭାରେ ମଞ୍ଚାସୀନ ଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ରକୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ବିବରଣୀ ପାଠ କରିଥିଲେ। ସଭା ପୂର୍ବରୁ କାଶ୍ମୀରର ପୁଲୱାମାରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ‘ଏ ମେରେ ୱତନକେ ଲୋଗୋ’ ଦେଶତ୍ମବୋଧ ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଥିଲା। ଡ. ଅନ୍ତନରାମ କର କୌଣ୍ଡିନ୍ୟଙ୍କୁ ଉତ୍କଳମଣି କଳା, ସଂସ୍କୃତି ଓ ଗବେଷଣା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କିଶୋରଚନ୍ଦ୍ର ବିଷେୟୀଙ୍କୁ ଉତ୍କଳମଣି ଯୁବପ୍ରତିଭା ସମ୍ମାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଉତ୍କଳମଣି ସାହିତ୍ୟ ପ୍ରତିଭା ସମ୍ମାନ, ସୁସ୍ମିତା ଜେନାଙ୍କୁ ଉତ୍କଳମଣି ସାମଜସେବା ସମ୍ମାନ, ପ୍ରଫେସର ଡା. ପ୍ରଶାନ୍ତ କୁମାର ପତିଙ୍କୁ ଉତ୍କଳମଣି ସ୍ୱାସ୍ଥ୍ୟ ସେବା ସମ୍ମାନ ଓ ଆଶୁତୋଷ ରଥଙ୍କୁ ଉତ୍କଳମଣି କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସହସମ୍ପାଦକ ସୁଦର୍ଶନ ନାୟକ ଧନ୍ୟବାଦ ଦେଇଥିଲେ।

Leave A Reply