ସଭାପତିଙ୍କ ସହ ୬ ଗିରଫ

0

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ଏକ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ର୍ୟାଲି କଂଗ୍ରେସଭବନରୁ ରାଜଭବନ ଛକ ପେଟ୍ରୋଲ ଟାଙ୍କି ଏବଂ ଡେଲଟା ଛକ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ଡେଲଟା ଛକ ପେଟ୍ରୋଲ ଟାଙ୍କିଠାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଁ ଦାୟୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଟାଙ୍କୀଗୁଡିକରୁ ହଟାଇବା ପାଇଁ ଦାବି କରାଯାଇଥିଲା। ଏହାକୁ ନେଇ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଉଚ୍ଚବାଚ୍‍ ପର୍ଯ୍ୟନ୍ତ କଥା ଯାଇଥିଲା। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ବିକ୍ଷୋଭରତ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ମହାରଥୀଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି।
ଶ୍ରୀ ମହାରଥି କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍ ଲଗାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଲୁଟୁଛନ୍ତି। ତୈଳଦର ହ୍ରାସ ପାଇଁ ମୋଦି କି ନବୀନ କାହାର ଆନ୍ତରିକତା ନାହିଁ। କେବଳ ସାଧାରଣ ଲୋକଙ୍କ ଆଗରେ ଭେଳିକି କରୁଛନ୍ତି। ଯୁବ କଂଗ୍ରେସ ଦାବି କରିଥିଲା ସବୁ ଟାଙ୍କୀରୁ ‘ଦର ବୃଦ୍ଧିର ପ୍ରତୀକ ମୋଦି’ଙ୍କ ଫଟୋ ହଟାଇବା ପାଇଁ। ଲୋକଙ୍କୁ ହନ୍ତସନ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ କେଉଁ ନ୍ୟାୟରେ ତେଲ ଟାଙ୍କୀରେ ପ୍ରଦର୍ଶିତ ହେବ। ଏହା କେବଳ ହିଟଲରୀ ଶାସନର ଅନୁକରଣ। ‘ଜନପ୍ରିୟ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶିତ ହୋଇପାରେ ମାତ୍ର ଜନ ଉତ୍ପୀଡ଼ନ କାର୍ଯ୍ୟରେ ଜବରଦସ୍ତ ମୋଦିଙ୍କ ଫଟୋ ରଖିବାର ଅର୍ଥ କ’ଣ? ଉଭୟ ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଲୁଟେରା ବୋଲି ସାଧାରଣ ଜନତା ଅନୁଭବ କଲେଣି।
ବିଜେପି ଶାସନ ଆରମ୍ଭ କାଳ ୨୦୧୪ ମଇ ମାସଠାରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୨ଥର ବୃଦ୍ଧି କରାଯାଇଛି। ୨୦୧୪ ମେ’ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୩ ଡଲାରଥିଲା। ୨୦୧୫ ଜାନୁୟାରୀ ବେଳକୁ ଏହା ୫୦ ଡଲାର ଏବଂ ୨୦୧୬ ଜାନୁୟାରି ବେଳକୁ ଆନ୍ତର୍ଜାତିକ ବଜାରରେ ଏହା ୨୯ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦରକୁ ସେହି ଅନୁପାତରେ କମାଇ ଦିଆଯାଇ ନଥିଲା। ୨୦୧୪ ମସିହାରେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୧୧୩ ଡଲାର ଥିବାବେଳେ ପେଟ୍ରୋଲ ଲିଟର ୭୩ ଟଙ୍କା ଥିଲା। ଏହାପରେ ଅଶୋଧିତ ତେଲଦର ମୋଦି ସରକାର ଅମଳରେ ବ୍ୟାରେଲ ପିଛା ୫୦ ଡଲାର ଏପରିକି ୨୯ଡଲାର ହେଲାପରେ ବି ପେଟ୍ରୋଲ ଓ ଡିଜେଲଦରକୁ ସେହି ଅନୁପାତରେ କମାଯାଇ ନଥିଲା। ବିଶେଷ କରି ତୈଳଦର ବୃଦ୍ଧିହେବା ଫଳରେ ଯାତ୍ରୀଭଡ଼ା ଏବଂ ସମସ୍ତ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ହେଉଛି। ପ୍ରଦେଶ ଯୁବ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ତଥା ପେଟ୍ରୋଲ ଟାଙ୍କିରୁ ମୋଦିଙ୍କ ଫଟୋ ହଟାଇବା ପାଇଁ ଦାବି କରୁଛି। ରାଜ୍ୟସାରା ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ କହିଛନ୍ତି। ଆଜିର ବିକ୍ଷୋଭବେଳେ ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ପ୍ରଦେଶ ଯୁବ କଂଗ୍ରେସ ସଂପାଦକ, ସେକ୍ ଅମିର ମହମ୍ମଦ, ସ୍ୱରୂପ ଦାସ, ଶାଗର ପଟ୍ଟନାୟକ, ପ୍ରଶାନ୍ତ ସାହୁଙ୍କୁ ପୋଲିସ ଗିରଫ କରିଛି।

Leave A Reply