ନଭେମ୍ବର ୧ରୁ୧୦ ଦିଲ୍ଲୀରେ ବ୍ୟାୟାମ କରିବା ଓ ଦୌଡିବା ମନା

0

ନୂଆଦିଲ୍ଲୀ . – କଥାଟା ଶୁଣିଲେ ଟିକିଏ ଅଡୁଆ ଲାଗୁଥିବା । ହେଲେ  ଏହା ସତ । ଆପଣ ଭାବୁଥିବେ ଦିଲ୍ଲୀରେ କ’ଣ ପାଇଁ ନଭେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ୟାୟାମ କରିବା ଓ ଦୌଡିବା ମନା କରାଯାଇଛି । ମାତ୍ର ଲୋକଙ୍କ ଭଲ ପାଇଁ ଏହା ପରାମର୍ଶ ଦିଆଯାଇଛି ।  ଗାଡି ମଟର ସାଙ୍ଗକୁ ବିଭିନ୍ନ ଉଦ୍ୟୋଗରୁ ବାହାରୁଥିବା ଧୂଆଁ ଓ ଧୂଳି ଯୋଗୁଁ ଦିଲ୍ଲୀର ପରିବେଶ ଅତ୍ୟନ୍ତ ଦୂଷିତ ହୋଇଯାଇଛି । କେବଳ ସେତିକି ନୁହେଁ ଶୀତ ଋତୁ ଆରମ୍ଭରୁ ବାୟୁମଣ୍ଡଳ ଥଣ୍ଡା ରହିଥିବାରୁ ଏହାର ତଳ ଅଂଶରେ ଧୂଳି ଓ ଧୂଆଁ ରହୁଛି ।

ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଯେତିକି ରହିବା କଥା ଦିଲ୍ଲୀରେ ତାହା ଯଥେଷ୍ଟ ଅଧିକ ରହିଛି । ଏହି କାରଣରୁ ଦିଲ୍ଲୀ ପ୍ରଦୂଷଣ ବୋର୍ଡ  ନଭେମ୍ବର ୧ ତାରିଖରୁ ୧୦ ତାରିଖ  ପର୍ଯ୍ୟନ୍ତ ବାହାରେ ବ୍ୟାୟାମ ନ କରିବା ସହ ଦୌଡିବା ଓ ଅନ୍ୟ ଶାରିରୀକ ପରିଶ୍ରମ ଅଧିକ ନ  କରିବା ପାଇଁ ପରାମର୍ଶ ଦେଇଛି  । ଏହା ସହ ବାହରକୁ ବାହାରିବା ସମୟରେ ମୁଖା ପିନ୍ଧିବା ପାଇଁ କୁହାଯାଇଛି । ଦୀପାବଳି ପୂର୍ବରୁ  ପଞ୍ଜାବ ଓ ହରିଆନାରେ ଜମିରେ ପଡି ରହୁଥିବା କୁଟା ଓ ଅନ୍ୟ ଅଂଶକୁ ଜାଳି ଦିଆଯାଉଛି ।  ଏହା ସହ ଦୀପାବଳି ସମୟରେ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଦିଲ୍ଲୀରେ ଏବେ ବାୟୁର ମାନ ସାରଣୀ ଅନୁସାରେ ଗୁରୁବାରରେ ୩୬୧ ରହିଛି । ଯାହା  ଅତି ପ୍ରଦୂଷଣର ନିକଟତର । ବାୟୁର ମାନ ଅତି ଖରାପ ।  ବାୟୁରେ ପ୍ରଦୂଷଣ କରୁଥିବା ପିଏମ୍‌୧୦ ଓ ପିଏମ୍‌ ୨.୫ ଅତି ମାତ୍ରାରେ ବୃଦ୍ଧି  ପାଇଛି । ପିଏମ୍‌ ୧୦ ର ରମାତ୍ରା ୧୦୦ ଏମ୍‌ଜି/ମି୩ ରହିବା  କଥା, ମାତ୍ର ଏହା ୩୮୪ ଏମ୍‌ଜି/ମି୩ ରହିଛି । ପିଏମ୍‌ ୨.୫ ର ମାତ୍ରା ୬୦ ଏମ୍‌ଜି/ମି୩ ରହିବା କଥା ଏହା ବୃଦ୍ଧି ପାଇ ୧୯୪ ଏମ୍‌ଜି/ମି୩ରେ ପହଞ୍ଚିଛି । ନଭେମ୍ବର ୧ରୁ ପବନର ଗତି ପଶ୍ଚିମରୁ ପୂର୍ବକୁ ହେବାକୁ ଥିବାରୁ ପଞ୍ଜାବ ଓ ହରିଆଣାର ବିଭିନ୍ନ ଜମିରେ କୁଟା ଓ  ଅନ୍ୟ ଅଂଶ ପୋଡିବାରୁ ବାହାରୁଥିବା ଧୂଆଁ ଦିଲ୍ଲୀ ବାୟୁମଣ୍ଡଳରେ ପ୍ରବେଶ କରିବା ସହ ପ୍ରଦୂଷଣ ମାତ୍ରା ଆହୁରି ବୃଦ୍ଧି ପାଇବ ।

Leave A Reply