ଆରପାରିରେ ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରୀ

0

ମୁମ୍ବାଇ : ହିନ୍ଦୀ ଧାରାବାହିକ ଓ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରୀଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କୁ “ନିମ୍‍କି ମୁଖିଆ” ଧାରାବାହିକରେ ଜେଜେମା’ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ହିନ୍ଦୀ ଧାରାବାହିକ ଓ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଭାବେ ସୁପରିଚିତ ଥିଲେ। ରୀତାଙ୍କ ଦେହାନ୍ତ ଖବର ଅଭିନେତା ଶିଶିର ଶର୍ମା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ରୀତା ଭାଦୁରୀ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ଅନ୍ତିମ ସଂସ୍କାର ୧୭ ଜୁଲାଇ ମଧ୍ୟାହ୍ନ ୧୨ ଟା ସମୟରେ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‍ ଠାରେ କରାଯିବ। ସେ ଆମ ସମସ୍ତଙ୍କ ପାଇଁ ମା’ ଭଳି ଥିଲେ। ସେ ବହୁତ ମନେ ପଡ଼ିବେ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ରୀତାଙ୍କ ଶରୀର ଅସୁସ୍ଥ ଥିଲା। ତାଙ୍କ କୀଡ୍‍ନୀରେ ସମସ୍ୟା ଥିବା ଡ଼ାକ୍ତର କହିଥିଲେ, ତେଣୁ ପ୍ରତି ଦୁଇଦିନରେ ଥରେ ତାଙ୍କୁ ଡ଼ାୟାଲିସିସ୍‍ ପାଇଁ ଯିବାକୁ ପଡ଼ୁଥିଲା। ଅସୁସ୍ଥତା ସତ୍ତ୍ବେ ସେ ତାଙ୍କ ସୁଟିଂ କାର୍ଯ୍ୟ ପୂରା କରୁଥିଲେ। ଏ ନେଇ ତାଙ୍କୁ ପ୍ରଶ୍ନ କଲେ ସେ କୁହନ୍ତି, ବୃଦ୍ଧାବସ୍ଥାରେ ହେଉଥିବା ରୋଗ ଡ଼ରରେ କ’ଣ କାମ କରିବା ଛାଡ଼ିଦେବା। ମୋତେ କାମ କରିବା ଓ ବ୍ୟସ୍ତ ରହିବାକୁ ଭଲଲାଗେ। ସବୁବେଳେ ଶରୀରର ଅସୁସ୍ଥତା ବିଷୟରେ ଚିନ୍ତା କରିବାକୁ ମୋତେ ଭଲ ଲାଗେନାହିଁ, ତେଣୁ ମୁଁ ସବୁବେଳେ ନିଜକୁ ବ୍ୟସ୍ତ ରଖିଥାଏ। “ଅମାନତ୍” “ଏକ୍‍ ନୟି ପେହେଚାନ୍‍” ଓ “ବାଇବଲ୍‍ କି କାହାନୀୟା” ଭଳି ଅନେକ ଧାରାବାହିକରେ ଅଭିନୟ କରିଥିବା ରୀତା ଭାଦୁରୀ ବହୁ ଚଳଚ୍ଚିତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

Leave A Reply