ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ପାଇଁ ଅନଲାଇନ ବ୍ୟବସ୍ଥା

0

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ୨୦୧୮ ମସିହା ଅକ୍ଟୋବର ମାସରେ ରାଜଭବନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ଜାରି କରାଯାଇଥିଲା। ଏବେ ଏହାକୁ ଅଧିକ ସରଳ ଓ କ୍ରିୟାଶୀଳ କରିବା ପାଇଁ ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ(RBPM) ନାମରେ ଏକ ସଫ୍ଟ​‌ୱେର ଆପ୍ଲିକେସନ୍ ପ୍ରସ୍ତୁତ କରାଯାଇଛି।
ଏହି ଆପ୍ଲିକେସନ୍ ମାଧ୍ୟମରେ ୨୦୧୯ ଫେବୃଆରୀ ମାସଠାରୁ ଇଚ୍ଛୁକ ସଂସ୍ଥା ସେମାନଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ଅନଲାଇନରେ ଆବେଦନ କରିପାରିବ। ଏହି ବ୍ୟବସ୍ଥାକୁ ରାଜ୍ୟପାଳ ଆସନ୍ତା ନୂଆବର୍ଷ ଦିନ ରାଜଭବନରେ ଶୁଭାରମ୍ଭ କରିବେ।
ବିଭିନ୍ନ ଉତ୍ସବରେ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ଅନୁରୋଧଗୁଡ଼ିକୁ ସୁବ୍ୟବସ୍ଥିତ କରାଇବା, ଆବେଦନଠାରୁ ଅନୁମୋଦନ ପର୍ଯ୍ୟନ୍ତ ସମସ୍ତ ପଦ୍ଧତିରେ ଅଧିକ ସ୍ୱଚ୍ଛତା ଅବଲମ୍ବନ ଏବଂ ଆବେଦନକାରୀଙ୍କ ଅନିଶ୍ଚିତତା ଦୂର କରିବା ଏହାର ମୂଳଲକ୍ଷ୍ୟ।
ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଆବେଦନକାରୀଙ୍କୁ ଅନୁମୋଦନ ପ୍ରକ୍ରିୟା ସଂପର୍କରେ ମୋବାଇଲରେ ସୂଚନା ପ୍ରଦାନ କରାଯିବ।
ଏକାଧିକ ଥର ହେଉଥିବା କାର୍ଯ୍ୟ ବନ୍ଦ କରି ପ୍ରକ୍ରିୟାକୁ ଗତିଶୀଳ କରାଇବା ଏବଂ ଏହି ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ସଂପୂର୍ଣ୍ଣ ଡିଜିଟାଇଜ୍ କରାଯିବ।
ଏଥିପାଇଁ ଆବେଦନକାରୀ www.rajbhavanodisha.gov.inର ହୋମ୍ ପେଜର ଡାହାଣ ଉପର କୋଣରେ ଥିବା ‘RBPM’ର ଲିଙ୍କକୁ ଯାଇ ପ୍ରଥମେ ୟୁଜର ମାନୁଆଲ ଓ ଏସଓପିକୁ ଡାଉନଲୋଡ କରି ଏହି ଆପ୍ଲିକେସନ ବିଷୟରେ ଜାଣି ହେବ। ଏହି ଅନୁସାରେ ଅନଲାଇନରେ ଆବେଦନ କରାଯାଇ ପାରିବ। ଆବେଦନରେ ମୁଖ୍ୟତଃ ଦୁଇଭାଗ ଯଥା କାର୍ଯ୍ୟକ୍ରମ ତଥ୍ୟ ଓ ଆବେଦନ କରୁଥିବା ସଂସ୍ଥାର ତଥ୍ୟ ପୂରଣ କରି ଅନଲାଇନରେ ପଠାଇବା ପରେ ଏହି ଆବେଦନ ପତ୍ରର “ପ୍ରିଣ୍ଟଆଉଟ୍’ ସଂଗ୍ରହ କରିବାକୁ ହେବ।
ଏହି ବାରକୋଡ ଯୁକ୍ତ ଆବେଦନ ପତ୍ରରେ ଦସ୍ତଖତ କରି ସଂସ୍ଥାର ଲେଟର ପ୍ୟାଡରେ ସାଦା ଦରଖାସ୍ତ ରାଜଭବନକୁ ପଠାଇବାକୁ ହେବ।
ଏହି ଆପ୍ଲିକେସନ୍ ମାଧ୍ୟମରେ ଇଚ୍ଛୁକ ସଂସ୍ଥା କାର୍ଯ୍ୟକ୍ରମ ଦିବସର ୬୦ ଦିନ ପୂର୍ବରୁ ଓ ୨୫ ଦିନ ପୂର୍ବ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ରାଜଭବନରେ ଏହା କାର୍ଯ୍ୟକ୍ରମର ୨୦ ଦିନ ଆଗରୁ ପହଞ୍ଚିବା ଆବଶ୍ୟକ। ଏହା ପ୍ରୋସେସିଂ ହୋଇ ରାଜ୍ୟପାଳଙ୍କ ଅନୁମୋଦନ
ଅଥବା ଅଗ୍ରାହ୍ୟ ନିଷ୍ପତ୍ତି ଏସ୍ଓପିର ସମୟସୀମା ଅନୁସାରେ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କୁ ମୋବାଇଲରେ ମେସେଜ୍ ଆକାରରେ ଜଣାଇ ଦିଆଯିବ।
ରାଜଭବନ ପ୍ରୋଗ୍ରାମ୍ ମ୍ୟାନେଜମେଣ୍ଟ ଆପ୍ଲିକେସନର ଉପଯୋଗ କରିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply