ନଭେମ୍ବର ୧ରୁ ରଣଜୀ ଟ୍ରଫି: ଗ୍ରୁପ୍‍ ‘ସି’ରେ ଓଡ଼ିଶା

0

କଟକ : ନଭେମ୍ବର ୧ରୁ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏଥର ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫିର ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ଏହି ଗ୍ରୁପ୍‍ରେ ୧୦ଟି ଦଳ ଥିବା ବେଳେ ଓଡ଼ିଶା ୯ଟି ଲିଗ୍‍ ମ୍ୟାଚ୍‍ ଖେଳିବ। ଓଡ଼ିଶା ଗ୍ରୁପ୍‍ରେ ଥିବା ଅନ୍ୟ ୯ଟି ଦଳ ହେଲେ ହରିୟାଣା, ଉତ୍ତର ପ୍ରଦେଶ, ଆସାମ, ତ୍ରିପୁରା, ଝାଡ଼ଖଣ୍ଡ, ରାଜସ୍ଥାନ, ଜମ୍ମୁକାଶ୍ମୀର, ସର୍ଭିସେସ୍‍ ଓ ଗୋଆ।
ସେହିପରି ଓଡ଼ିଶା ସିନିୟର କ୍ରିକେଟ ଦଳ ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗ୍ରୁପ୍‍ ‘ବି’ରେ ସ୍ଥାନପାଇଛି। ଓଡ଼ିଶା ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‍ସବୁ ସେପ୍ଟେମ୍ବର ୯ରୁ ଦିଲ୍ଲୀରେ ଖେଳିବ। ୧୯ରେ ଦିଲ୍ଲୀ, ୨୧ରେ ଉତ୍ତର ପ୍ରଦେଶ, ୨୩ରେ କେରଳ, ୨୪ରେ ଆନ୍ଧ୍ରପ୍ରଦେଶ, ୨୮ରେ ମଧ୍ୟପ୍ରଦେଶ, ଅକ୍ଟୋବର ୨ରେ ସୌରାଷ୍ଟ୍ର, ୪ରେ ଛତିଶଗଡ଼ ଓ ୮ରେ ହାଇଦରାବାଦ ବିରୋଧରେ ଓଡ଼ିଶା ଦିନିକିଆ ଦଳ ଗ୍ରୁପ୍‍ ମ୍ୟାଚ୍‍ ଖେଳିବ। ସେହିପରି ୨୩ ବର୍ଷରୁ କମ୍‍ ସିକେ ନାୟୁଡୁ ଟ୍ରଫିରେ ଓଡ଼ିଶା ଏଲିଟ୍‍ ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ନଭେମ୍ବର ୨ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଏହାର ଲିଗ୍‍ ମ୍ୟାଚ ଖେଳାଯିବ। ହରିୟାଣା, କେରଳ, ରେଳବାଇ ଓ ଜମ୍ମୁକାଶ୍ମୀର ବିରୋଧରେ ଓଡ଼ିଶା ନିଜମାଟିରେ ମ୍ୟାଚ୍‍ ଖେଳିବ। ଗୋଆ, ବିଦର୍ଭ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ବିରୋଧରେ ଓଡ଼ିଶା ବାହାରେ ଲିଗ୍‍ ମ୍ୟାଚ୍‍ ଖେଳିବ। ପୁଣି ୧୯ ବର୍ଷରୁ କମ୍‍ କୁଚ୍‍ବିହାର ଟ୍ରଫିରେ ଏଲିଟ୍‍ ଗ୍ରୁପ୍‍ ‘ସି’ରେ ଓଡ଼ିଶା ଦଳ ସ୍ଥାନପାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ମ୍ୟାଚ୍‍ସବୁ ନଭେମ୍ବର ୧୫ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଖେଳାଯିବ। ଓଡ଼ିଶା ଦଳ କେରଳ, ତ୍ରିପୁରା ଓ ଆସାମ ବିପକ୍ଷରେ ଘରୋଇ ମ୍ୟାଚ୍‍ ଖେଳିବ। ସେହିପରି ଗୋଆ, ଆନ୍ଧ୍ରପ୍ରଦେଶ, ଜମ୍ମୁକାଶ୍ମୀର ଓ ସୌରାଷ୍ଟ୍ର ବିପକ୍ଷରେ ରାଜ୍ୟ ବାହାରେ ମ୍ୟାଚ୍‍ ଖେଳିବ।

Leave A Reply