ନିର୍ବାଚନ ପୂର୍ବରୁ ହୋଇପାରେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ !

0
-: ମହେଶ ଶର୍ମା

କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ସ୍ୱତନ୍ତ୍ର ଆଇନ ଆଣିବା ପାଇଁ ମଧ୍ୟ ଅଣ୍ଟା ଭିଡୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଆରଏସଏସ୍ ପ୍ରମୁୁୁଖ ମୋହନ ଭାଗବତଙ୍କ ମଧ୍ୟରେ ମୁମ୍ବଇରେ ହୋଇଥିବା ବୈଠକରେ ମନ୍ଦିର ନିର୍ମାଣ ପ୍ରମୁଖ ପ୍ରସଙ୍ଗ ଥିଲା। ଏଥିପାଇଁ ଅଯୋଧ୍ୟାରେ ବାତାବରଣ ସୃଷ୍ଟି କରାଯାଉଛି। ବିଶ୍ୱର ବିଭିନ୍ନ ଦେଶର କଳାକାରଙ୍କ ଦ୍ୱାରା ରାମଲୀଳା ପରିବେଷଣ ଠାରୁ ଆରମ୍ଭ କରି ଦିପାବଳୀ ଦିନ ୫ ଲକ୍ଷ ଦୀପ ଜଳାଇ ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟରେ ଉତ୍ସବ ପାଳନ କରିବେ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ବିଶାଳ ପ୍ରତିମା ମଧ୍ୟ ନିର୍ମାଣ କରାଯାଉଛି।
ବିରୋଧୀ ଦଳ ମନ୍ଦିର ନିର୍ମାଣ ପାଇଁ ଏହି ପ୍ରୟାସକୁ ନାଟକ ବୋଲି ଆଖ୍ୟା ଦେଇଛି।  କାରଣ ମାମଲା ସୁପ୍ରିମକୋର୍ଟରେ ପଡି ରହିଛି। ଅଯୋଧ୍ୟା ବିବାଦ ଦେଶରେ ଏକ ପ୍ରସଙ୍ଗ ପାଲଟି ଯାଇଛି। ସୂଚନା ଯୋଗ୍ୟ ସମସ୍ତ ହିନ୍ଦୁ ସଂଗଠନ ଗୁଡିକର କାର୍ଯ୍ୟକର୍ତ୍ତା ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ର ଭାଙ୍ଗି ଦେଇଥିଲେ।


ରାମ ମନ୍ଦିର ନିର୍ମାଣ, ସମାନ ନାଗରିକ ସଂହିତା ଏବଂ ଧାରା- ୩୭୦ ଉଚ୍ଛେଦ ବିଜେପିର ନିର୍ବାଚନ ଇସ୍ତହାରରେ ବହୁତ ପୂର୍ବରୁ ରହିଛି। ବିଜେପି କହିଥିଲା କି ଯେତେବେଳେ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବ ସେତେବେଳେ ଏହି ତିନୋଟି ପ୍ରତିଶ୍ରୁତି ପୂରଣ କରାଯିବ। ଶୁଣିବାକୁ ମିଳୁଛି ପ୍ରଥମେ ମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ କରାଯିବ। ଅନ୍ୟଗୁଡିକ ଉପରେ ଧିର ଧିରେ କାର୍ଯ୍ୟ ଚାଲୁ ରହିଛି। ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳର ତିନି ଦିନିଆ ବୈଠକରେ ଭାଗ ନେବା ପାଇଁ ଅମିତ ଶାହା ଗୁରୁବାର ରାତି ୨ଟାରେ ପହଞ୍ଚିଥିଲେ। ଶୁକ୍ରବାର ବୈଠକ ଶେଷ ହୋଇଛି। ଠାଣେର ଭୟଦରରେ ଅନୁଷ୍ଠିତ ଆରଏସଏସର ଏହି ବୈଠକରେ ସାମାଜିକ ଏବଂ ଧାର୍ମିକ ପ୍ରସଙ୍ଗ ଉପରେ ଅଲୋଚନା ହୋଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନ ଏବଂ ରାମମନ୍ଦିର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣିବା ଦାବିକୁ ବୈଠକରେ ପୁଣିି ଦୋହରା ଯାଇଛି। ଆରଏସଏସର ସଂଯୁକ୍ତ ମହାସଚିବ ମନମୋହନ ବୈଦ୍ୟ କହିଛନ୍ତି ଏହା ହେଉଛି ରାଷ୍ଟ୍ରୀୟ ଗୌରବ। ଏହାର ସମାଧାନ ଆନ୍ଦେଳନ ମାଧ୍ୟମରେ କରାଯାଇ ପାରିବ ନାହିଁ।


ସେ କହିଛନ୍ତି ଏବେ ସରକାରଙ୍କୁ ମନ୍ଦିର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରି କାମ ଆରମ୍ଭ କରିବା ଦରକାର କାରଣ ରାଷ୍ଟ୍ରୀୟ ଗୌରବର କାର୍ଯ୍ୟ ହେଉ। ଏହି ବେଠକରେ ଆରଏସଏସର ଆନୁସଙ୍ଗିକ ସଂଗଠନର ବରିଷ୍ଠ ନେତାମାନେ ଭାଗ ନେଉଛନ୍ତି। ସାବରୀମାଳା ମନ୍ଦିର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ଗତ ମାସରେ କହିଥିଲେ କି ‘ଯଦି ଆବଶ୍ୟକ ହୁଏ ତ ମନ୍ଦିର ନିର୍ମାଣ ପାଇଁ ଆଇନ ଅଣାଯାଉ’। ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଅଧ୍ୟଦେଶ ଆଣିବା ପାଇଁ ଦାବି କରିଛନ୍ତି । ସେହପରି ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଗତ ମାସରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଥିଲେ କି ତାଙ୍କର ଇଚ୍ଛା ଅଛି ୨୦୧୯ରେ ମନ୍ଦିର ନିର୍ମାଣ ଆରମ୍ଭ ହେଉ। ଶ୍ରୀ ଶାହା କହିଥିଲେ, ଏହା ଭୁଲିଯିବା ଉଚିତ ନୁହେଁ ଯେ ୬୦୦ ବର୍ଷ ତଳେ ରାମମନ୍ଦିର ଭଙ୍ଗା ଯାଇଥିଲା।


ଆରଏସଏସ ଏବଂ ସନ୍ଥ ସମାଜର ଦାବି ଯୋଗୁଁ ମୋଦି ସରକାର ଉପରେ ଚାପ ପଡିଛି। ସରକାର କଲ୍ୟାଣ ଏବଂ ବିକାଶ ସହିତ ସାଂସ୍କୃତିକ ପରିଚୟର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଥିବା ଅନୁମାନ କରାଯାଉଛି। ଶ୍ରୀ ବୈଦ୍ୟ କହିଛନ୍ତି ଯେ, ଏବେ ଜମି ଅଧିଗ୍ରହଣ କରି ମନ୍ଦି ନିର୍ମାଣ ପାଇଁ  ଦେଇଦେବା ଦରକାର। ଏବେ ସମୟ ଆସି ଯାଇଛି ସରକାର ୧୯୯୪ରେ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ। କାରଣ ୧୯୪୯ରୁ ହିଁ ଜମି ମାଲିକାନାକୁ ନେଇ ଅଦାଲତରେ ମାମଲା ଚାଲୁ ରହିଛି।
ତେବେ ଆରଏସଏସ, ବିଶ୍ୱହିନ୍ଦୁ ପରିଷଦ ଏବଂ ଅନ୍ୟାନ୍ୟ ସଂଗଠନ ଓ ସନ୍ଥ ସମାଜର ଦାବି ଅନୁସାରେ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Leave A Reply