ଘୁଞ୍ଚିଘୁଞ୍ଚି ଯାଉଛି ରାମ ମନ୍ଦିର ମାମଲା; ମୋଦୀଙ୍କ ଉପରେ ପଡ଼ୁଛି ଚାପ

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମୀ ମାମଲା ୩ମାସ ପାଇଁ ଘୁଞ୍ଚି ଯାଇଥିବାବେଳେ ଏହାକୁ ନେଇ ବିଜେପିର ଆଭ୍ୟନ୍ତରୀଣ ଚାପ ସିଧାସଳଖ ମୋଦୀଙ୍କ ଉପରେ ପଡ଼ିବାରେ ଲାଗିଛି। ବିଜେପି ସହଯୋଗୀ ସଂଗଠନ ପକ୍ଷରୁ ରାମ ଜନ୍ମଭୂମୀରେ ରାମ ମନ୍ଦିର ଶୀଘ୍ର ନିର୍ମାଣ ପାଇଁ ଦାବି ହେଉଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବିଜେପି ପାଇଁ କାଠିକର ପ୍ରମାଣିତ ହେବାରେ ଲାଗିଛି।
ନିର୍ବାଚନ ପ୍ରସଙ୍ଗରେ ରାମ ଜନ୍ମଭୂମୀକୁ ପ୍ରମୁଖ ପ୍ରସଙ୍ଗ ଭାବେ ପ୍ରଚାର କରିବାକୁ ଆରଏସ୍‍ଏସଠାରୁ ଆରମ୍ଭ କରି ସନ୍ଥ ସମାଜ ଓ ବିଜେପି କର୍ମୀ ଚାହୁଁଥିବାବେଳେ ଏହାର ପ୍ରଭାବ ସିଧାସଳଖ ମୋଦୀଙ୍କ ଉପରେ ଦୃଶ୍ୟମାନ ହେଉଛି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ପ୍ରକ୍ରିୟାକୁ ତର୍ଜମା କଲେ କେବଳ ବିକାଶର ଆଳରେ ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ବହୁମତ ମିଳି ନାହିଁ। ତେଣୁ ନିର୍ବାଚନ ପାଇଁ ଆବଶ୍ୟକ ଜାତୀୟ ପ୍ରସଙ୍ଗ। ଯେଉଁ ପ୍ରସଙ୍ଗକୁ ପଥେୟ କରି ରାଜନୈତିକ ଦଳ ହାସଲ କରିଥାନ୍ତି ସେମାନଙ୍କ ବହୁମତ। ଆରଏସଏସର ବିଜୟା ଦଶମୀ କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ ମୋହନ ଭାଗବତ ରାମ ଜନ୍ମଭୂମୀ ପାଇଁ ଆଇନଆଣି ଏହାକୁ  ନିର୍ମାଣ କରିବା ଉପରେ ମତବ୍ୟକ୍ତ କରିଥିଲେ। ରାମଙ୍କ ପ୍ରତି ଆସ୍ଥା ରଖୁଥିବା ଦେଶବାସୀଙ୍କ ଭାବାବେଗକୁ ଧ୍ୟାନ ଦେଇ ମୋଦୀ ଏ ଦିଗରେ ସ୍ୱତନ୍ତ୍ର ଆଇନ ନିର୍ମାଣ କରନ୍ତୁ। ପୂର୍ବରୁ ମଧ୍ୟ ତୃଣମୂଳସ୍ତରରେ କାର୍ଯ୍ୟରତ କର୍ମୀଙ୍କୁ ଉତ୍ସାହିତ କରିବାକୁ ହେଲେଦଳ ପାଇଁ ଏକମାତ୍ର ପ୍ରସଙ୍ଗ ରାମ ମନ୍ଦିର, ଏହା ବେଶ୍‍ ବୁଝିଛି ବିଜେପି। ଦଳର ଆଭ୍ୟନ୍ତରରେ ମଧ୍ୟ ରାମ ମନ୍ଦିର ପ୍ରସଙ୍ଗକୁ ବିଜେପି ଭୁଲିଯାଉଛି ବୋଲି ଅଭିଯୋଗ ତୀବ୍ର ହେବାରେ ଲାଗିଛି। ରାମ ଜନ୍ମଭୂମୀ ସହ ଜଡ଼ିତ ମହନ୍ତମାନେ ପୂର୍ବରୁ ୬ଡିସେମ୍ବରରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ସନ୍ଥ ସମାଜ ପକ୍ଷରୁ ଏକ ବିଜ୍ଞପ୍ତିରେ ସେମାନେ ମନ୍ଦିର ନିର୍ମାଣକୁ ସମର୍ଥନ କରିବା ସହ ସରକାର ଏଥିରେ ବାଧା ଦେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ସନ୍ଥମାନଙ୍କ ପକ୍ଷରୁ ଏଭଳି ଚ୍ୟାଲେଞ୍ଜକୁ ରୋକିବା ମୋଦୀ ଓ ଯୋଗୀ ସରକାରଙ୍କ ପାଇଁ ବେଶ୍‍ କାଠିକର ପ୍ରମାଣିତ ହେବାରେ ଲାଗିଛି। ସନ୍ଥଙ୍କୁ ରୋକିବାକୁ ବଳପ୍ରୟୋଗ ବିଜେପିର ଆଭ୍ୟନ୍ତରକୁ ଦୁର୍ବଳ କରିବ ଏହା ବେଶ୍‍ ବୁଝିଛି ବିଜେପି। ତେଣୁ ସଂଘ ପ୍ରମୁଖଙ୍କ ଭାଷଣରେ କୋର୍ଟ ନିର୍ଦେଶକୁ ଅପେକ୍ଷା ନକରି ଏଥିପାଇଁ ସ୍ୱତନ୍ତ୍ର ଆଇନ ଲାଗୁ କରିବା ବିଜେପି ପାଇଁ ଏକମାତ୍ର ବିକଳ୍ପ ପାଲଟିଛି। ସେଥିପାଇଁ ବିଜେପି ପାଇଁ ଏକ ମାଧ୍ୟମ ଶୀତକାଳୀନ ଅଧିବେଶନ। ଯଦି ବିଜେପି ଏଥିରେ ସଫଳ ହୁଏ ତେବେ ଏହାର ସୁଫଳ ସାଧାରଣ ନିର୍ବାଚନରେ ବିଜେପିକୁ ନିଶ୍ଚିତ ମିଳିବ। କାରଣ ରାମ ମନ୍ଦିର ନିର୍ମାଣ ରାସ୍ତାକୁ ସଂମ୍ପ୍ରସାରିତ କରି ବିଜେପି ଦେଶରେ ବିଜୟର ରାସ୍ତାକୁ ମଧ୍ୟ ସମ୍ପ୍ରସାରିତ କରିବ ଏଥିରେ ସନ୍ଦେହ ନାହିଁ।
ଅପରପକ୍ଷରେ ବିରୋଧୀ ଦଳ ମଧ୍ୟ ଏଭଳି ପ୍ରସଙ୍ଗରେ ଅଦ୍ୟାବଧି ମୌନ ଧାରଣ କରିବା ଉଚିତ ମଣୁଛନ୍ତି। ସଂସଦରେ ରାମ ମନ୍ଦିର ନିର୍ମାଣକୁ ନେଇ ସ୍ୱତନ୍ତ୍ର ଆଇନ ବିଲକୁ ବିରୋଧ କରି କଂଗ୍ରେସ ପରି ଦଳ ନିଜ ଅଣ ହିନ୍ଦୁ ଛବିକୁ ଅଧିକ ସ୍ପଷ୍ଟ କରିବା ଉଚିତ ମଣିବ ନାହିଁ। ଏପରିକି ସମାଜବାଦୀ ପାର୍ଟି ଓ ବିଏସପି ପରି ଦଳ ମଧ୍ୟରେ ରାମ ମନ୍ଦିର ପ୍ରସଙ୍ଗରେ ନିଜ ଭାବମୂର୍ତ୍ତି ସ୍ପଷ୍ଟ କରିବାକୁ ପଡ଼ିବ। ଏଥିରେ ବିଜେପି ବ୍ୟତୀତ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ସମର୍ଥନ କିମ୍ବା ବିରୋଧ କରନ୍ତୁ କ୍ଷତି ସେମାନଙ୍କୁ ଅଧିକ ହେବ।
ବିଜେପି ପାଇଁ ଆଗାମୀ ଶୀତକାଳୀନ ଅଧିବେଶନ ଶେଷ ଅଧିବେଶନ। ଏହା ପରେ ବଜେଟ ଅଧିବେଶନ ମଧ୍ୟବାର୍ତ୍ତିକାଳୀନ ଅଧିବେଶନରେ ସମ୍ପନ୍ନ ହୋଇ ଦେଶରେ ନିର୍ବାଚନ ଆରମ୍ଭ ହେବ। ତେଣୁ ନିର୍ବାଚନ ପୂର୍ବରୁ ମତଦାତାଙ୍କ ସମ୍ମୁଖରେ ରାମ ମନ୍ଦିରକୁ ନେଇ ନିଜ ଭାବମୂର୍ତ୍ତି ସ୍ପଷ୍ଟ କରିବା ମୋଦୀ ସରକାରଙ୍କ ପାଇଁ ଜରୁରୀ ହୋଇ ପଡ଼ିଛି। ଏହି ବିଶ୍ୱାସକୁ କାର୍ଯ୍ୟକାରୀ କରିବାକୁ ବିଜେପି କେଉଁ ପର୍ଯ୍ୟାୟକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply