ବିଜେଡିର ନିଷ୍ପତ୍ତି ଆଜି

0

ନୂଆଦିଲ୍ଲୀ/ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ସେ ସମ୍ପର୍କରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଷ୍ପତ୍ତି କରିବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ତାରିଖ ଘୋଷଣା ପରେ ଜାତୀୟ ରାଜନୀତିରେ ବିଜେଡ଼ି ସମେତ ଅଣଏନଡିଏ ଓ ଅଣୟୁପିଏ ଦଳ ଗୁଡ଼ିକର ଗୁରୁତ୍ତ୍ୱ ବଢ଼ିଯାଇଛିା ଉଭୟ ରାଜନୈତିକ ବ୍ଳକ ବାହାରେ ଥିବା ବିଜେଡି, ଏଆଇଏଡିଏମକେ, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଓ ୱାଇଏସଆର କଂଗ୍ରେସ ଭଳି ଦଳର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ଚର୍ଚ୍ଚା ଲାଗି ରହିଛି। ଅଣଏନଡିଏ ଓ ଅଣୟୁପିଏ ଦଳ ଗୁଡ଼ିକର ପଛଘୁଞ୍ଚା ପରେ ଏନ୍‌ଡିଏ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସଂଯୁକ୍ତ ଜନତା ଦଳ(ଜେଡିୟୁ) ସାଂସଦ ରଘୁବଂଶ ନାରାୟଣ ସିଂହଙ୍କ ନାମ ଆଗକୁ ଆଣି ବିଜେଡି ସମେତ ବିଭିନ୍ନ ଅଣ ଏନ୍‌ଡିଏ ଓ ଅଣ ୟୁପିଏ ଦଳଙ୍କ ସମର୍ଥନ ଲୋଡ଼ିଛି। ଏ ନେଇ ଖୋଦ୍‌ ନୀତିଶ କୁମାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ମାଗିଥିବା ସୂଚନା ମିଳିଛି। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କୁ ଫୋନ୍‌ କରି ରଘୁବଂଶଙ୍କ ପାଇଁ ବିଜେଡି ସମର୍ଥନ ମାଗିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ୟୁପିଏ ପକ୍ଷରୁ ଏନ୍‌ସିପି ସାଂସଦ ବନ୍ଦନା ଚହ୍ବାଣଙ୍କୁ ପ୍ରାର୍ଥୀ କରିବା ନେଇ ବିଚାରବମର୍ଶ ଚାଲିଥିଲାବେଳେ ତାଙ୍କ ପାଇଁ ଦଳର ମୁଖିଆ ଶରଦ ପୱାର ମଧ୍ୟ ନବୀନଙ୍କ ଠାରୁ ସମର୍ଥନ ଲୋଡ଼ିଥିବା ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି। ତେବେ ବିଜେଡି ଏ ନେଇ ତାର ଆଭିମୂଖ୍ୟ ସ୍ପଷ୍ଟ କରିନାହିଁ।
ଜାତୀୟ ରାଜନୀତିରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ସଂସଦ ପରିସରରେ ଦିନତମାମ ରାଜନୈତିକ ଉଷ୍ମ ବାତାବରଣ ଲାଗି ରହିଥିବା ବେଳେ ବିଜେଡ଼ି ଶିବିରରେ ନୀରବତା ଦେଖାଦେଇଛି। ସଂସଦରେ ଉପସ୍ଥିତ ବିଜେଡି ରାଜ୍ୟସଭା ସାଂସଦ ଆଜି ଦିନତମାମ କିଛି କହିବାକୁ ରାଜି ହେଉନାହାନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ବିଜେଡି ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ବୋଲି ଗୋଟିଏ ଉତ୍ତରକୁ ବାରମ୍ବାର ଦୋହରାଉଛନ୍ତି। ଆସନ୍ତାକାଲି ଦଳ ତା’ର ଆଭିମୂଖ୍ୟ ସ୍ପଷ୍ଟ କରିବବୋଲି ଭୁବନେଶ୍ବରରେ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଉଭୟ ଶାସକ ଏନଡ଼ିଏ ଓ ବିରୋଧୀ ୟୁପିଏର ପରୋକ୍ଷ ପ୍ରସ୍ତାବକୁ ସହଜରେ ହାତଛଡ଼ା କରିବା ଘଟଣାରେ ଅସହମତ ଥିଲେ ମଧ୍ୟ ବିଜେଡିର କୌଣସି ସାଂସଦ ପାଟି ଖୋଲୁ ନାହାନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି ସର୍ବୋପରି ଏବଂ ଆମେ ସମସ୍ତେ ମାନିବାକୁ ବାଧ୍ୟ ବୋଲି କହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି ଏକାଧିକ ସାଂସଦ। ସମଦୂରତ୍ୱ ଅଥବା ସମପାର୍ଶ୍ବତା ନୀତିରେ ବିଜେଡି ଯଦି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥ ନଦିଏ ସେଭଳି ପରିସ୍ଥିତିରେ ବିଜେଡି କ’ଣ କରିବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।
ଅତୀତରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ପି.ଏ ସାଙ୍ଗମାଙ୍କୁ ବିଜେଡି ସମର୍ଥନ ଦେଇଥିଲା। ଏଥର ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି। ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏ ସମ୍ପର୍କରେ ସଠିକ କିଛି କହି ହେବ ନାହିଁ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମଦୂରତ୍ବ ବଜାୟ ରଖିଥିବା ବିଜେଡି ଅନାସ୍ଥା ପ୍ରସ୍ତାବ ସମୟରେ କକ୍ଷତ୍ୟାଗ କରିଥିଲା। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଦଳ କାହାକୁ ସମର୍ଥନ ଦେବ ବା ଭୋଟ ଦାନରୁ ବିରତ ରହିବ ସେ ନିଷ୍ପତ୍ତି ରାଜ୍ୟ ସଭାପତି ନେବେ ବୋଲି ସେ କହିଛନ୍ତି।

Leave A Reply