ଜେରା ଶେଷ; ଶିଲଂରୁ ଫେରିଲେ ରାଜୀବ କୁମାର

0

ଶିଲଂ : ପାଞ୍ଚ ଦିନ ଧରି ଦୀର୍ଘ ୩୮ ଘଣ୍ଟାର ଜେରା ପରେ ସିବିଆଇ କବ୍‌ଜାରୁ ମୁକୁଳିଛନ୍ତି କଲକାତା ପୁଲିସ କମିସନର ରାଜୀବ କୁମାର। ବୁଧବାର ସାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଅଧିକାରୀମାନେ ତାଙ୍କୁ ୩ଘଣ୍ଟା ଜେରା କରିବା ପରେ ଛାଡ଼ିଛନ୍ତି ଏବଂ ସେ ସନ୍ଧ୍ୟାରେ କଲକାତା ଫେରିଛନ୍ତି। ମଙ୍ଗଳବାର ରାଜୀବ କୁମାରଙ୍କୁ ସର୍ବାଧିକ ୧୦ଘଣ୍ଟା ଜେରା କରାଯାଇଥିଲା। ସାରଦା ଓ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତି ସଂକ୍ରାନ୍ତ କିଛି ତଥ୍ୟ ପ୍ରମାଣ ସେ ନଷ୍ଟ କରିଦେଇଥିବାର ଅଭିଯୋଗକ୍ରମେ ଶନିବାରଠାରୁ କ୍ରମାଗତ ଭାବେ ଏହି ଜେରା ଚାଲିଥିଲା। କଲକାତାରେ ରାଜୀବଙ୍କୁ ଜେରା ନେଇ ସିବିଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବଡ଼ ନାଟକ ଅନୁଷ୍ଠିତ ହେବା ପରେ ଗତ ୫ତାରିଖରେ ସୁପ୍ରିମକୋର୍ଟ ଶିଲଂରେ ରାଜୀବଙ୍କ ଜେରା ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ମଧ୍ୟ ନିର୍ଦେଶ ଥିଲା। ଜେରା ସମୟରେ ରାଜୀବ ତାଙ୍କ ନାମରେ ଆସିଥିବା ସମସ୍ତ ଅଭିଯୋଗ ମିଛ ବୋଲି ଦାବି କରିଥିଲେ ଓ ସମସ୍ତ ତଥ୍ୟପ୍ରାମଣ ଆବଶ୍ୟକ ତନଖି ପରେ ଅଦାଲତର ଜିମା ଦେଇଥିଲେ ବୋଲି କହିଥିବା ପ୍ରକାଶ। ପୂର୍ବ ଖାସି ପର୍ବତର ଅକ୍‌ଲାଣ୍ଡସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଏହି ଜେରା ଚାଲିଥିଲା। ଜେରାରୁ ରାଜୀବଙ୍କ ସହିତ ଯାଇଥିବା ଅନ୍ୟ ଅଧିକାରୀମାନଙ୍କୁ ଦୂରେଇ ରଖାଯାଇଥିଲା; ଯଦିଓ ସେମାନେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଏସ୍‌ଆଇଟି ସଦସ୍ୟ ଥିଲେ।
କଲକାତା ଫେରିବା ପରେ ରାଜୀବ ପୂର୍ବତନ ସିବିଆଇ ଅନ୍ତରୀଣ ନିର୍ଦେଶକ ଏମ୍‌. ନାଗେଶ୍ବର ରାଓଙ୍କ ବେହିସାବ ଅର୍ଥ କାରବାର ସଂକ୍ରାନ୍ତ ମାମଲାର ଅନୁଧ୍ୟାନ କରିବେ।

Leave A Reply