ରାଜସ୍ଥାନ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ରାହୁଲଙ୍କ ପ୍ରଥମ ପସନ୍ଦ ସଚିନ ପାଇଲଟ୍‍!

0

ନୂଆଦିଲ୍ଲୀ : ନିର୍ବାଚନାଭିମୁଖୀ ରାଜସ୍ଥାନରେ କେଉଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସେଥିନେଇ ଆଲୋଚନା ଜୋର ଧରିଛି। ମୁଖମନ୍ତ୍ରୀ ବସୁନ୍ଧରା ରାଜେ ଶାସକ ଦଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଆପାତତଃ ନିଧାର୍ଯ୍ୟ ଥିବା ବେଳେ କଂଗ୍ରେସ ଏଯାବତ୍‍ ଏ ବିଷୟରେ ନିଷ୍ପତ୍ତି ଚୂଡାନ୍ତ କରିପାରି ନାହିଁ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାରିୟର ଉପରେ ରାହୁଲ ତିନି ଦିନ ପୂର୍ବେ ଏକ ପ୍ରକାର ପରଦା ଟାଣିସାରିଛନ୍ତି। ଦଳୀୟ ନେତା ସଚିନ ପାଇଲଟ୍‍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କର ପ୍ରଥମ ପସନ୍ଦ ବୋଲି ରାହୁଲ ଦେଇଥିବା ବକ୍ତବ୍ୟରୁ ପ୍ରତୀତ ହେଉଛି। ପୂର୍ବତନ କଂଗ୍ରେସ ସରକାର କର୍ମୀ ତଥା ଲୋକଙ୍କ କଥା ଶୁଣି ନ ଥିବା ଦର୍ଶାଇ ଚଳିତ ସପ୍ତାହ ପ୍ରାରମ୍ଭରେ ଏକାଧିକ ର‍୍ୟାଲି ଏବଂ ରୋଡଶୋ’ ବେଳେ ରାହୁଲ ପରୋକ୍ଷରେ ଗେହଲଟଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିସହ କଂଗ୍ରେସ ଯଦି କ୍ଷମତାକୁ ଆସେ ତା’ହେଲେ ଏହା ନେତୃତ୍ୱାଧୀନ ଆଗାମୀ ସରକାର ରାଜ୍ୟବାସୀଙ୍କ ସମସ୍ୟା ଶୁଣିବ ବୋଲି କହି ସେ ନୂତନ ପ୍ରଶାସନିକ ଓ ନେତୃତ୍ୱର ସମ୍ଭାବନା ପ୍ରକାଶ କରିଥିଲେ। ଉଲ୍ଲେଖ ଯେ, ୧୯୯୮ରୁ ୨୦୦୩ ଏବଂ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିଥିଲା। ଦଳକୁ ଏକଜୁଟ କରି ରଖିବା ତଥା ନିର୍ବାଚନୀ ପ୍ରଚାର ଅଭିଯାନକୁ ସୁରୁଖୁରୁରେ ଆଗେଇ ନେବା ଆଭିମୁଖ୍ୟରେ କଂଗ୍ରେସ ରାଜସ୍ଥାନରେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନ ପାରେ ବୋଲି କିଛି ଦିନ ପୂର୍ବ ପର୍ଯ୍ୟନ୍ତ ଆଲୋଚନା ହେଉଥିଲା। ଏବେ କର୍ମୀମାନେ ଗେହଲଟ ଓ ପାଇଲଟ୍‍ ଶିବିରରେ ବିଭକ୍ତ ନ ହୋଇ ଏକଜୁଟ ଭାବେ କାର୍ଯ୍ୟ କରୁଛନ୍ତି। ମାତ୍ର ଯଦି ପାଇଲଟ୍‍ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦର୍ଶାଯାଏ ତା’ହେଲେ ପରିସ୍ଥିତି ପରିବର୍ତ୍ତନ ହେବାର ଆଶଙ୍କା ରହିଛି।
ରାଜ୍ୟରେ ନିର୍ବାଚନ ଜିତିବା ନେଇ କଂଗ୍ରେସକୁ ଦୁଇଟି ପ୍ରସଙ୍ଗ ପ୍ରମୁଖ ଭାବେ ସହାୟକ ହେବ। ପ୍ରଥମତଃ ବିଭିନ୍ନ ଜନମତ ସର୍ଭେ ଅନୁସାରେ ରାଜ୍ୟରେ ବିଜେପି ବିପୁଳ କ୍ଷତି ସହିବ ଏବଂ କଂଗ୍ରେସ ବିଜୟୀ ହେବ ବୋଲି ଖବର ପ୍ରକାଶ ପାଉଛି। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୮୦ରୁ ଊର୍ଦ୍ଧ୍ବ ଆସନ ଲାଭ କରିବ ବୋଲି କୁହାଯାଉଛି। ଦ୍ୱିତୀୟତଃ ପାଇଲଟ୍‍ ଜଣେ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି। କେବଳ ଗେହଲଟ ନୁହନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କଠାରୁ ମଧ୍ୟ ତାଙ୍କ ଲୋକପ୍ରିୟତା ଅଧିକ ରହିଛି। ଏହି ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତୁତ ରହିଥିବା ଜଣାଯାଏ। ଗେହଲଟ୍‍ ଏବେ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ଏକ ଅଡୁଆ ସୃଷ୍ଟି କରିଛନ୍ତି। ଗେହଲଟ ଜଣେ ଲୋକପ୍ରିୟ ନେତା ହେବା ସହିତ ତାଙ୍କ ନିକଟରେ ଅଧିକ ବିଶ୍ୱସ୍ତ କର୍ମୀ ରହିଛନ୍ତି। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ତାଙ୍କ ବିଶ୍ୱସ୍ତଙ୍କ ସଂଖ୍ୟା ଅଧିକ। ଏଥିସହ ଜାତିବାଦକୁ ଗୁରୁତ୍ୱ ଦେଉଥିବା ରାଜସ୍ତାନ ରାଜନୀତିରେ ଶକ୍ତିଶାଳୀ ପଛୁଆ ବର୍ଗ ଭାବେ ପରିଗଣିତ ମାଳି ସମ୍ପ୍ରଦାୟର ମନୋଭାବ ପରିବର୍ତ୍ତନ କରିବା ଭଳି କ୍ଷମତା ତାଙ୍କ ନିକଟରେ ରହିଛି। ରାଜସ୍ଥାନ ଲୋକକଥା ଅନୁସାରେ ‘ଜଣେ ଅନଭିଜ୍ଞ ଦେବତା ତୁଳନାରେ ଗୋଟିଏ ବିଜ୍ଞ ଭୂତ ଖୁବ ପ୍ରଭାବଶାଳୀ।’ ନେତୃତ୍ୱ ତଥା ପ୍ରଶାସନିକ ଦକ୍ଷତା ଦୃଷ୍ଟି କୋଣରୁ ପାଇଲଟ ଏବେ ବି ଅନଭିଜ୍ଞ ଥିବା କାରଣରୁ ଗେହଲଟ୍‍ଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି; କିନ୍ତୁ ପରିବର୍ତ୍ତନ ଆଣିବା ନିମନ୍ତେ ଦଳୀୟ ନେତୃବୃନ୍ଦ ଗେହଲଟଙ୍କୁ ବ୍ୟବହାର କରି ଅଣଦେଖା କରିବାର ରଣନୀତି ଆପଣାଇବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଏଭଳିସ୍ଥିତିରେ ତାଙ୍କୁ ରାଷ୍ଟ୍ରୀୟ ରାଜନୀତିରେ ଗୁରୁତ୍ୱ ମଳିଛି। ପ୍ରଥମେ ଗୁଜରାଟ ଓ ପରେ କର୍ଣ୍ଣାଟକରେ ସେ ଗୁରୁଦାୟିତ୍ୱ ନିର୍ବାହ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ଅଧିକରୁ ଅଧିକ ବିଶ୍ୱସ୍ତ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ଦିଆଯାଇପାରେ।

Leave A Reply