ରାଜସ୍ଥାନ ନିର୍ବାଚନ ପ୍ରଚାର ଶେଷ

0

ନୂଆଦିଲ୍ଲୀ : କରତାରପୁରକୁ ପାକିସ୍ତାନକୁ ହସ୍ତାନ୍ତର କରିବା ନେଇ ୧୯୪୭ରେ କଂଗ୍ରେସ ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲଥିଲା। ସମ୍ଭବତଃ ଗୁରୁ ନାନକ ଏବଂ ଶିଖ୍‍ ଧର୍ମକୁ ସମ୍ମାନ ଦେଉ ନ ଥିବାରୁ କଂଗ୍ରେସ ନେତାମାନେ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। କଂଗ୍ରେସର ଏହି ଭୁଲ ସୁଧାରିବାର ସୌଭାଗ୍ୟ ନିୟତି ତାଙ୍କ ନାମରେ ଲେଖିଦେଇଥିଲା ଯାହାର ଫଳସ୍ୱରୂପ ଏବେ କରତାରପୁର କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଛି। ୭୦ ବର୍ଷ ପୂର୍ବେ କାହିଁକି ଏହି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା କଂଗ୍ରେସକୁ ତାହାର ଜବାବ ଦେଶବାସୀଙ୍କୁ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ହନୁମାନ ଗଡ଼ଠାରେ ମଙ୍ଗଳବାର ଏକ ନିର୍ବାଚନ ର‍୍ୟାଲିକୁ ସମ୍ବୋଧିନ କରି କହିଛନ୍ତି। କଂଗ୍ରେସର ତତ୍‍କାଳୀନ ନେତାମାନଙ୍କର ଦୂରଦୃଷ୍ଟି ଏବଂ ସମ୍ବେଦନଶୀଳତା ତଥା ଗୁରୁ ନାନକଙ୍କ ଗୁରୁତ୍ୱ ସମ୍ବନ୍ଧରେ ଅବଧାରଣର ଅଭାବ କାରଣରୁ କରତାରପୁର ପାକିସ୍ତାନକୁ ଚାଲିଯାଇଥିଲା। ଏପରିକି କଂଗ୍ରେସ କ୍ଷମତାଲାଭ କରିବାକୁ ତରବର ହେଉଥିବାରୁ କରତାରପୁରକୁ ପାକିସ୍ତାନ ପକ୍ଷରେ ଯିବାକୁ ଦେଇଥିଲା ବୋଲି ସେ କହିଛନ୍ତି। ତେବେ ବିଜେପିକୁ ଭୋଟ ଦେଇ ନିର୍ବାଚିତ କରିଥିବା ଜନସାଧାରଣଙ୍କ ପାଇଁ ସମ୍ପ୍ରତି ଏହି କରିଡର ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରିଛି ସେ ଦର୍ଶାଇଛନ୍ତି। ରାଜସ୍ଥାନରେ ଡିସେମ୍ବର ୭ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରଚାରର ଅନ୍ତିମ ଭାଗରେ ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ର‍୍ୟାଲି କରିବା ସହିତ ଜନସମାବେଶକୁ ଉଦ୍‍ବୋଧନ ଦେଇ ପରସ୍ପର ଉପରେ ଖୁବ୍‍ ବର୍ଷିଛନ୍ତି। ସମ୍ପ୍ରତି ଚର୍ଚ୍ଚାରେ ଥିବା କରତାରପୁର ପ୍ରସଙ୍ଗକୁ ନେଇ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଦୁର୍ନୀତି ତଥା କୃଷକଙ୍କ ସମସ୍ୟାକୁ ନେଇ ମଧ୍ୟ ସେ ବିରୋଧୀ ଦଳକୁ ଟାର୍ଗେଟ୍‍ କରିଛନ୍ତି। ୫ ବର୍ଷ ପୂର୍ବେ ଯେଭଳି ଦୁର୍ନୀତି ଘଟଣା ପଦାକୁ ଆସୁଥିଲା ତାଙ୍କ ଶାସନକାଳରେ ସେଭଳି ଘଟିନାହିଁ। କୃଷକଙ୍କ ସମସ୍ୟା ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି।
ସେହିଭଳି ରାହୁଲ ରାଜସ୍ଥାନର ଝୁନଝୁନୁ ଓ ଅଲୱରଠାରେ ଅନ୍ତିମ ନିର୍ବାଚନ ପ୍ରଚାର ସଭାରେ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ରାଫେଲଠାରୁ ଆରମ୍ଭ କରି ଅଲୱରରେ ୪ ଜଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ୬୦,୦୦୦ କୋଟି ଟଙ୍କାର ବହୁ ଚର୍ଚ୍ଚିତ ରାଫେଲ କାରବାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀକୁ ଦେବା ନିମନ୍ତେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେଙ୍କୁ କହି ମୋଦୀ ବାସ୍ତବରେ ଦେଶର ଚୌକିଦାର ଚୋର ବୋଲି ପ୍ରମାଣ କରିଛନ୍ତି। ଦେଶବାସୀଙ୍କ ପକେଟରୁ ୩୦,୦୦୦ କୋଟି ଟଙ୍କା ନେଇ ମୋଦୀ ଅନୀଲ ଅମ୍ବାନୀଙ୍କ ପକେଟରେ ଗୁଞ୍ଜିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ଅଲୱରରେ ୪ ଜଣଙ୍କ ମୃତ୍ୟୁ ଘଟଣା ରାଜେ ସରକାର ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ପ୍ରମାଣ କରୁଛି ବୋଲି ରାହୁଲ ଦର୍ଶାଇଛନ୍ତି। ବିମୁଦ୍ରାୟନ କାରଣରୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ରହୁଥିବା ବେଳେ ଗରିବ ମା’ମାନଙ୍କୁ ଧାଡିବାନ୍ଧି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିବା ସେ ଅଭିଯୋଗ ଦୋହରାଇଛନ୍ତି।

Leave A Reply