୨୪ଘଣ୍ଟାରେ ପ୍ରବଳ ବର୍ଷା

0

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଛି। ପୂର୍ବାଞ୍ଚଳରେ ଥିବା ମୌସୁମି ଟ୍ରଫଲାଇନ ଉତ୍ତର ତାମିଲନାଡ଼ୁ ଉପକୂଳରୁ ରାୟଲସୀମା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ଆଗାମୀ ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ। ୩ ଓ ୪ରେ ମଧ୍ୟମ ଧରଣର ଏବଂ ୫ତାରିଖରେ ରାଜ୍ୟରେ ବର୍ଷା ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଆଦି ୬ଟି ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହିତ ପୁରୀରେ ସର୍ବାଧିକ ୧୦୬ମିମି ବର୍ଷିଛି। ପାରାଦ୍ୱୀପରେ ୮୯, ଭୁବନେଶ୍ୱର ଓ ଚାନ୍ଦବାଲିରେ ୭୫ କଟକରେ ୩୬, ସୋନପୁରରେ ୩୩, ତାଳଚେରରେ ୩୦, କେନ୍ଦୁଝରରେ ୨୮ ମିମି ବର୍ଷା ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୩.୪୭ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୪,୦୭୬କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୦ଟି ଗେଟ ଦେଇ ୧,୭୩,୦୨୯ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳି ଦେଇ ୪,୮୫,୪୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ବନ୍ୟା ବିପଦର ଆଶଙ୍କା ନଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବୈତରଣୀର ଜଳସ୍ତର ବଢ଼ୁଛି। ଆଖୁଆପଦାଠାରେ ବୈତରଣୀର ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ଏଠାରେ ୧୮.୧୦ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ସୁନ୍ଦରଗଡ଼ଠାରେ ଇବ୍‍, ଜେନାପୁରଠାରେ ବ୍ରାହ୍ମଣୀ, ରାଜଘାଟଠାରେ ସୁବର୍ଣ୍ଣରେଖା, କାଶୀନଗରଠାରେ ବଂଶଧାରା ଏବଂ ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ଜଳସ୍ତର ବଢ଼ୁଥିବା ସୂଚନା ମିଳିଛି।

Leave A Reply