ତିନିଦିନ ପ୍ରବଳ ବର୍ଷିବ

0

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଓ ଲଘୁଚାପ ଯୋଗୁଁ ଆସନ୍ତା ତିନିଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼,ବାଲେଶ୍ୱର, କଟକ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଆଦି ୧୨ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ୨୦ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କଳାହାଣ୍ଡି, ନୂଆପଡ଼ା
ଆଦି ୧୫ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ସତର୍କ ରହିବା ସହିତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୪୭ମିମି ବର୍ଷା ହୋଇଥିବାବେଳେ ଦେବଗଡ଼ରେ ୩୦ମିମି ବର୍ଷିଛି। ପ୍ରାୟ ୨୫ଟି ଜିଲାରେ ହାରାହାରି ୧୦ମିମି ମଧ୍ୟରେ ବର୍ଷା ହୋଇଛି। ସେହିପରି ବ୍ଳକୱାରୀ ତଥ୍ୟ ଅନୁସାରେ ଗଞ୍ଜାମର କୁକୁଡ଼ାଖଣ୍ଡି ବ୍ଳକରେ ସର୍ବାଧିକ ୫୩ମିମି ବର୍ଷିଥିବାବେଳେ କନ୍ଧମାଳର ଫିରିଙ୍ଗିଆ ବ୍ଲକରେ ୫୦ମିମି ବର୍ଷା ହୋଇଛି। ପାରାଦ୍ୱୀପ, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଫୁଲବାଣୀ, ଢ଼େଙ୍କାନାଳ , କଟକ ଓ ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି। ଏଥିସହିତ ରାଜ୍ୟରେ ମୋଟ ବୃଷ୍ଟିପାତ ହାର ସ୍ୱାଭାବିକଠାରୁ ୯.୬ପ୍ରତିଶତ ଅଧିକ ରହିଛି। ୯ଟି ଜିଲାରେ ୧୯ପ୍ରତିଶତରୁ ଅଧିକ, ୧୯ଟି ଜିଲାରେ ସ୍ୱାଭାବିକ, ଅନ୍ୟ ଦୁଇଟି ଜିଲା ଦେବଗଡ଼ ଓ ସୁନ୍ଦରଗଡ଼ରେ ୨୦ରୁ ୨୨ପ୍ରତିଶତ ପର୍ଯ୍ୟନ୍ତ କମ୍‍ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ରାଜ୍ୟର ସମସ୍ତ ନଦୀ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିଲେ ହେଁ ସୁନ୍ଦରଗଡ଼ଠାରେ ଇବ୍‍, ଜେନାପୁରଠାରେ ବ୍ରାହ୍ମଣୀ, ଜାମଶୋଳାଘାଟ ଏବଂ ରାଜଘାଟଠାରେ ବୁଢ଼ାବଳଙ୍ଗର ଜଳସ୍ତର ବଢ଼ୁଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦର ଜଳପତ୍ତନ ୬୧୭.୧୯ ମିଟର ଥିବାବେଳେ ଏବେ ୨ଟି ଗେଟ ଖୋଲା ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ୧,୫୦,୩୯୬କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୫,୫୨୧କ୍ୟୁସେକ ନିଷ୍କାସିତ ହେଉଛି। ମୁଣ୍ଡଳିଠାରେ ୪,୫୮,୪୧୫କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Leave A Reply