୧୩ଜିଲାରେ ପ୍ରବଳ ବର୍ଷିବ

0

ଭୁବନେଶ୍ୱର : ଆସନ୍ତା ୪୮ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଆସନ୍ତା ୪୮ଘଣ୍ଟାରେ ପଶ୍ଚିମବଙ୍ଗ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ଆସନ୍ତାକାଲି ଓ ୬ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟାରେ ଉତ୍ତର ଓ ଦକ୍ଷିଣର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସମ୍ବଲପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢ଼େଙ୍କାନାଳ ଓ ଜଗତସିଂହପୁର ଆଦି ୧୩ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୬ତାରିଖରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୭ତାରିଖରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ୫ ଓ ୬ତାରିଖରେ ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସମୁଦ୍ର ଉପକୂଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ। ବାଲେଶ୍ୱର, କୋରାପୁଟ, ମାଲକାନଗିରି, ପାରାଦ୍ୱୀପ, ଗୋପାଳପୁର, ବାରିପଦା, ସୋନପୁରରେ ଅଳ୍ପରୁ ମଧ୍ୟମ ବର୍ଷା ହୋଇଥିବାବେଳେ ଅନ୍ୟ ଅଞ୍ଚଳ ଶୁଖିଲା ରହିଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏ ପର୍ୟ୍ୟନ୍ତ ରାଜ୍ୟର ୫ଟି ଜିଲାରେ ବଳକା ଓ ୧୯ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୬ଟି ଜିଲାରେ ବର୍ଷା ନିଅଣ୍ଟ ଅଛି। ରାଜ୍ୟର ୫୧ଟି ବ୍ଳକରେ ନିଅଣ୍ଟ ଏବଂ ୧୯ଟି ବ୍ଲକରେ ଅତି ନିଅଣ୍ଟ ଥିବା ସୂଚନା ମିଳିଛି। ତେବେ ୮୯ଟି ବ୍ଲକରେ ୧୯ପ୍ରତିଶତ ବଳକା ବର୍ଷା ହୋଇଥିବାବେଳେ ୧୫୫ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଛି। ଆଗାମୀ ଲଘୁଚାପ ବର୍ଷା ନିଅଣ୍ଟିଆ ପରିସ୍ଥିତିରେ ସୁଧାର ଆଣିବ ବୋଲି ଆଶା ରହିଛି।

Leave A Reply