ବିଦେଶରେ ରାହୁଲଙ୍କ ଦେଶ ବିରୋଧୀ ମନ୍ତବ୍ୟ

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବାକୁ ଯାଇ ମର୍ଯ୍ୟାଦା ହାନି ଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲଙ୍କ ଏହି ଭାରତ ବିରୋଧୀ ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ବୁଧବାର ରାହୁଲ ଜର୍ମାନୀର ହାମବର୍ଗସ୍ଥିତ ବୁସେରିୟସ ସମର ସ୍କୁଲରେ ଉଦ୍‍ବୋଧନ ଦେବା ଅବସରରେ କହିଛନ୍ତି ଯେ ଭାରତର ବିକାଶ ଧାରାରୁ ଅନେକ ଲୋକ ବାଦ ପଡିଛନ୍ତି। ବିକାଶ ଧାରାରୁ ବାଦ୍‍ ପଡିଥିବା ଏହି ଲୋକ ଆଗାମୀ ଦିନରେ ଆତଙ୍କବାଦୀ ସଂଗଠନରେ ସାମିଲ ହେବା ସ୍ୱାଭାବିକ। ଫଳରେ ଦେଶରେ ନୂଆ ଆତଙ୍କବାଦୀ ସଂଗଠନ ସୃଷ୍ଟି ହେବ। ରାହୁଲ କହିଛନ୍ତି ଯେ ଇରାକ ଓ ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ୍‍) ଭଳି ଆତଙ୍କବାଦୀ ସଂଗଠନ ସୃଷ୍ଟି ହେବା ଯଥାର୍ଥ। ୨୦୦୩ରେ ଇରାକ ଉପରେ ଆମେରିକା ଆକ୍ରମଣ କରିଥିଲା। ଇରାକକୁ ନିଜ ନିୟନ୍ତ୍ରଣକୁ ନେଇ ଆମେରିକା ଗୋଟିଏ ଜାତିକୁ ସରକାରୀ ଚାକିରି ଓ ସେନାରେ ନିଯୁକ୍ତିକୁ ବାସନ୍ଦ କରିଥିଲା। ଏହାଦ୍ୱାରା ବହୁ ସଂଖ୍ୟକ ଲୋକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଆଇଏସ୍‍ ଭଳି ଆତଙ୍କବାଦୀ ସଂଗଠନର ସୃଷ୍ଟି ହୋଇଥିଲା।
ଇସଲାମିକ ଷ୍ଟେଟ (ଆଇଏସ୍‍) ଭଳି ଆତଙ୍କବାଦୀ ସଂଗଠନ ସୃଷ୍ଟିକୁ ରାହୁଲ ଯଥାର୍ଥ ବୋଲି ଦର୍ଶାଇଥିବାବେଳେ ବିଜେପି ଏହାକୁ ବିରୋଧ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ରାହୁଲଙ୍କ ଏହି ମନ୍ତବ୍ୟ ବିପଜ୍ଜନକ ଓ ଚିନ୍ତାର ବିଷୟ। ଶ୍ରୀ ପାତ୍ର କହିଛନ୍ତି ରାହୁଲଙ୍କ କହିବା କଥା ହେଉଛି ସଂଖ୍ୟାଲଘୁମାନେ ଯଦି ସରକାରୀ ଚାକିରି ପାଇବାରେ ବିଫଳ ହେଉଛନ୍ତି ତେବେ ସେମାନେ ନିଜକୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଦରକାର। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ବିଦେଶରେ ଭାଷଣ ଦେବା କାଳରେ ଭାରତକୁ ନୀଚ୍ଚ ଓ ହୀନ ଦୃଷ୍ଟିରେ ଉପସ୍ଥାପନ କରିବା ଲାଗି ରାହୁଲ କୌଣସି ପ୍ରକାର ସୁଯୋଗ ହାତଛଡା କରିନାହାନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କୁ ବିକାଶ ଧାରାରୁ ବଞ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ବେରୋଜଗାର ଯୋଗୁଁ ଦେଶରେ ଗୋଷ୍ଠୀବଦ୍ଧ ହିଂସା ଦେଖାଯାଉଛି। ବିମୁଦ୍ରାୟନ ଓ ଜିଏସଟିର ଭୁଲ୍‍ କାର୍ଯ୍ୟକାରିତା ଯୋଗୁଁ ଲୋକମାନେ ନିଯୁକ୍ତି ହରାଇଛନ୍ତି। ଏହାଦ୍ୱାରା ଛୋଟଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ ହୋଇଯାଇଛି।

Leave A Reply