ଉପମହାଦେଶରେ ସାମରିକ ଖେଳକୁ ବଦଳାଇଦେବେ ରାଫେଲ ଓ ଏସ୍‍-୪୦୦ : ଧାନୋଆ

0

ନୂଆଦିଲ୍ଲୀ : ଫ୍ରାନ୍ସି ନିର୍ମିତ ରାଫେଲ ଓ ରୁଷ୍‍ ନିର୍ମିତ ଏସ୍‍-୪୦୦ଯୁଦ୍ଧବିମାନ ଭାରତୀୟ ବାୟୁସେନା ପାଇଁ ‘ବୁଷ୍ଟର ଡୋଜ୍‍’ ଭଳି। ଭାରତୀୟ ଉପମହାଦେଶରେ ପ୍ରବେଶ ସହିତ ରାଫେଲ ଯୁଦ୍ଧବିମାନ ଏଠାକାର ସାମରିକ ଖେଳକୁ ବଦଳାଇଦେବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍‍ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆ। ରାଫେଲ ସଂକ୍ରାନ୍ତ ମୁଝାମଣାରେ ଆମକୁ ଅନେକ ଫାଇଦା ମିଳିବାକୁ ଯାଉଛି। ଆମେ ବହୁ ଶସ୍ତାରେ ମଧ୍ୟ ଏହାକୁ ପାଇବାକୁ ଯାଉଛୁ। ଏହି ବୁଝାମଣାରେ କେନ୍ଦ୍ର ସରକାର କିମ୍ବା ବାୟୁସେନାର କୌଣସି ଭୂମିକା ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଡାସଲ୍ଟ ଅଭିଏସନ୍‍ ଓ ଏହାର ବୈଦେଶିକ କମ୍ପାନୀ ମଧ୍ୟରେ ହୋଇଛି। ସହଯୋଗୀ ବାଛିବା ଡାସଲ୍ଟର ସମ୍ପୂର୍ଣ୍ଣ ନିଜସ୍ୱ ନିଷ୍ପତ୍ତି; ଏଥିରେ ସରକାରଙ୍କର କିମ୍ବା ବାୟୁସେନାର କୌଣସି ଭୂମିକା ନାହିଁ ବୋଲି ଧନୋଆ ଦୋହରାଇଛନ୍ତି। ରାଫେଲ କିଣାକୁ ନେଇ ଜୋରଦାର୍‍ ରାଜନୈତିକ ଲଢ଼େଇ ଚାଲିଥିବାବେଳେ ବୁଧବାର ଏଠାରେ ଧନୋଆ ପୁନର୍ବାର ସରକାରଙ୍କ ସପକ୍ଷରେ ଏଭଳି ସଫେଇ ଦେଇଛନ୍ତି।
ଆସନ୍ତା ୮ତାରିଖ ବିମାନ ବାହିନୀ ଦିବସ ଉପଲକ୍ଷେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଧାନୋଆ କହିଛନ୍ତି ଯେ ବିମାନ ବାହିନୀରେ ‘ମିଡିୟମ ମଲ୍‍ଟି-ରୋଲ୍‍ କମ୍ବାଟ ଏୟାରକ୍ରାଫ୍ଟ’ ବା ବହୁମୁଖୀ ମଧ୍ୟମଗତି ଯୁଦ୍ଧବିମାନ ସାମିଲ ପାଇଁ ଉଦ୍ୟମ ହୋଇଛି। ଏହାର ଫଳାଫଳକୁ ଆମେ ଅପେକ୍ଷା କରିବା ଉଚିତ। ଏହି ଦୁଇ ଯୁଦ୍ଧ ବିମାନ ବିମାନ ବାହିନୀର ଶକ୍ତି ଯଥେଷ୍ଟ ବୃଦ୍ଧି କରିବ। ବିମାନ ବାହିନୀରେ ଆବଶ୍ୟକ ସ୍କ୍ୱାଡ୍ରନ୍‍ର ଅଭାବ ରହିଥିବାବେଳେ ୩୬ଟି ରାଫେଲ ଓ ୧୨୩ଟି ହାଲ୍‍କା ଯୁଦ୍ଧ ବିମାନ(ଏଲ୍‍ସିଏ-ଏମ୍‍କେ-୨) ସାମିଲ ହେବା ଦ୍ୱାରା ବିମାନ ବାହିନୀର ଶକ୍ତି ବୃଦ୍ଧି ହେବ ବୋଲି ଧାନୋଆ କହିଛନ୍ତି।

Leave A Reply