ପୁରୀରେ କୂଳ ଖାଉଛି ସମୁଦ୍ର

0

ପୁରୀ : ସମୁଦ୍ର କୂଳ ଖାଉଛି । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଦୁଇଦିନ ଭିତରେ ପ୍ରାୟ ୨୦ଫୁଟ୍‌ ଅବକ୍ଷୟ ହୋଇଛି । ଶୁକ୍ରବାର କେତେକ ଉଠାଦୋକାନ ସମୁଦ୍ର ଗର୍ଭରେ ପଶିଯାଇଛି । ତଥାପି ପଛକୁ ହଟୁନାହାନ୍ତି ଦୋକାନୀ ।
ଚୈତନ୍ୟ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୨୦୦ଫୁଟ୍‌ ଲମ୍ବ ବେଳାଭୂମିରୁ ବାଲି ଅତଡ଼ା ଖସୁଛି । ସମୁଦ୍ରରେ ଗାଧୋଇବାକୁ ପର୍ଯ୍ୟଟକ ଭୟ କରୁଛନ୍ତି । ମହୋଦଧିର ଏଭଳି ପ୍ରଚଣ୍ଡ ରୂପ ହୋଟେଲ ବ୍ୟବସାୟୀଙ୍କୁ ଆତଙ୍କିତ କରିଛି । ସମୁଦ୍ର ଜୁଆର ସୀମା ଅତିକ୍ରମ କରି ଆଗକୁ ମାଡ଼ିଆସୁଛି । ପୁରୀ ଜଳସମ୍ପଦ ଡିଭିଜନ ନିର୍ବାହୀଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି । ସମୁଦ୍ରର ଏହା ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ କହିଛନ୍ତି । କେବଳ ସ୍ୱର୍ଗଦ୍ୱାର ନୁହେଁ, ଶିପସରୁବାଲି ଏବଂ ଚକ୍ରତୀର୍ଥର ଦୁଇଟି ସ୍ଥାନରେ ମଧ୍ୟ ବେଳାଭୂମି ଅବକ୍ଷୟ ଦେଖାଦେଇଛି। ବେଳାଭୂମି ଅବରୋଧମୁକ୍ତ ଥିବା ସ୍ଥାନରେ ସମୁଦ୍ର ଜୁଆର ଆଗକୁ ମାଡ଼ିଆସୁଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହେଉନାହିଁ । ଯେଉଁଠି ବେଳାଭୂମି ଜବରଦଖଲ କରାଯାଇଛି ସେଠାରେ ଉଠାଦୋକାନୀ ଏବଂ ଝୁମ୍ପୁଡ଼ିଗୁଡ଼ିକୁ ସମୁଦ୍ର ଟାଣି ନେଉଛି । ଲଘୁଚାପ ସମେତ ଅମାବାସ୍ୟା ଏବଂ ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ଏଥିଯୋଗୁଁ ମହୋଦଧି ଆଳତି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି । ଗତବର୍ଷ ଜୁଲାଇ ମାସରେ ଠିକ୍‌ ଏହି ସମୟରେ ସ୍ୱର୍ଗଦ୍ୱାର ଏବଂ ପାନ୍ଥନିବାସ ସମ୍ମୁଖ ବେଳାଭୂମି ଅବକ୍ଷୟ ହୋଇଥିଲା। କିଛିଦିନ ପରେ ସ୍ୱାଭାବିକ ଅବସ୍ଥା ଫେରି ଆସିବା ସହ ଅବକ୍ଷୟ ସ୍ଥାନରେ ସ୍ୱତଃପ୍ରବୃ ଭାବେ ବାଲୁକାସ୍ତୂପ ସୃଷ୍ଟି ହୋଇଥିଲା।
ବିଶେଷଜ୍ଞଙ୍କ ମତ ଅନୁଯାୟୀ ପୁରୀ ବେଳାଭୂମି ଅବକ୍ଷୟ ପ୍ରବଣ ନୁହେଁ । ତେବେ ପ୍ରାକୃତିକ ବାଲୁକାସ୍ତୂପ ନଷ୍ଟ କରାଯାଇ ରାସ୍ତା ନିର୍ମାଣ ଏବଂ ସମୁଦ୍ରର ଯାତାୟାତ ରାସ୍ତା ଅବରୋଧ ଯୋଗୁଁ ବିଭିନ୍ନ ସମୟରେ ଜୁଆର ମାଡ଼ରେ କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି । କେତେବେଳେ ସମୁଦ୍ର ୫୦ଫୁଟ୍‌ ପଛକୁ ଘୁଞ୍ଚି ଯାଉଛି ତ ଆଉ କେବେ ଆଗକୁ ମାଡ଼ି ଆସୁଛି । ଦୁଇ ତିନିଦିନ ମଧ୍ୟରେ ସ୍ଥିତିରେ ଯଦି ସୁଧାର ନଆସେ ତାହେଲେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ପ୍ରକାଶ କରିଛନ୍ତି।

Leave A Reply