ହିଂସାକାଣ୍ଡ କରିଥିବା ସେବକ ନିଯୋଗ କର୍ମକର୍ତ୍ତା ନୁହନ୍ତି

0

ପୁରୀ : ପୁରୀ ବନ୍ଦବେଳେ ହିଂସାକାଣ୍ଡ କରିଥିବା ସେବକ କୌଣସି ନିଯୋଗର କର୍ମକର୍ତ୍ତା ନୁହନ୍ତି। ସେମାନେ ବିଭିନ୍ନ ରାଜନୈତିକ ଦଳ କର୍ମୀ ବୋଲି ମନ୍ଦିର କାନ୍ଥରେ ଲାଗିଥିବା ପୋଷ୍ଟରରେ କୁହାଯାଇଛି। ଶୁକ୍ରବାର କେତେକ ସେବକଙ୍କ ସ୍ୱାକ୍ଷର ଥିବା ହାତଲେଖା ପୋଷ୍ଟର ଶ୍ରୀଜଗନ୍ନାଥ ମନ୍ଦିରର ୪ଗୋଟି ପ୍ରବେଶ ପଥରେ ଲଗାଯାଇଛି। ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆରଙ୍କ ସମେତ କିଛି ବରିଷ୍ଠ ସେବକଙ୍କ ସ୍ୱାକ୍ଷର ରହିଥିବା ଦେଖିବାକୁ ମିଳିଛି। ବୁଧବାର ଦିନର ହିଂସାକାଣ୍ଡ ପାଇଁ ଛତିଶା ନିଯୋଗ ସେବାୟତ ଦୁଃଖିତ ବୋଲି ଲେଖାଯାଇଛି। ଏତେବଡ ଦୁର୍ଘଟଣା ପାଇଁ ସେବକଙ୍କୁ ଅଯଥାରେ ଦୋଷାରୋପ କରାଯାଉଥିବା ସଫେଇ ଦିଆଯାଇଛି। ଏଥିପାଇଁ ପ୍ରଶାସନର ଅପାରଗତା ସମେତ ମୁଖ୍ୟ ପ୍ରଶାସକଙ୍କୁ ସେମାନେ ଦାୟୀ କରିଛନ୍ତି।
ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ଜୋରଜବରଦସ୍ତ ଘରୁ ଟେକିନେବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେବକ କହିଛନ୍ତି। ପିତୃପକ୍ଷ ହୋଇଥିବା ଯୋଗୁଁ ଯେଉଁମାନେ ସେବାୟତ ବେଶରେ ଥିଲେ ସେମାନେ ସମସ୍ତେ ସେବକ ନୁହଁନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି। ଯେଉଁ ମୁଷ୍ଟିମେୟ ସେବକ ଥିଲେ ସେମାନେ ରାଜନୈତିକ ଦଳର ଲୋକବୋଲି ଉଲ୍ଲେଖ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ସାମନ୍ତରା, ନରସିଂହ ମହାପାତ୍ର, ଜଗନ୍ନାଥ ସୁବୁଦ୍ଧି, ସନ୍ତୋଷ ମହାନ୍ତି, ମାନଗୋବିନ୍ଦ ମହାପାତ୍ର, କପିଳା ଦାସ, ରାମଚନ୍ଦ୍ର ପଣ୍ଡା, ରବିନାରାୟଣ ପଣ୍ଡା ଆଦି ୫୯ ସେବକଙ୍କ ଦସ୍ତଖତ ସେଥିରେ ରହିଛି। ତେବେ ସଂପୃକ୍ତ ସେବକମାନେ ହାତଲେଖା ପୋଷ୍ଟରରେ ସ୍ୱାକ୍ଷର କରିଛନ୍ତି ନା ଅନ୍ୟ କେହି ସେମାନଙ୍କ ସ୍ୱାକ୍ଷର କରି ପୋଷ୍ଟର ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଓ ଗୁଇନ୍ଦା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Leave A Reply