ସର୍ବଭାରତୀୟ ଡାକ ଚେସ୍‍ ଚମ୍ପିଆନଶିପ୍‍ ଉଦ୍‍ଘାଟିତ

0

ପୁରୀ : ୩୩ତମ ସର୍ବଭାରତୀୟ ଡାକ ଚେସ୍‍ ଚମ୍ପିଆନସିପ୍‍ ସୋମବାର ପୁରୀରେ ଆରମ୍ଭ ହୋଇଛି। ଡାକ ବୋର୍ଡ ସଭ୍ୟା ଉଷା ଚନ୍ଦ୍ରଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦ୍‍ଘାଟନ କରିଛନ୍ତି। ସେ କହିଲେ ଭାରତୀୟ ଡାକ ଲୋକଙ୍କ ବିଶ୍ୱାସ ଅତୁଟ ରଖିବା ସହ ପ୍ରତିଦ୍ୱନ୍ଦ୍ୱିତାରେ ସବୁବେଳେ ଆଗୁଆ ରହିଛି। ଚେସ୍‍ ପ୍ରତିଯୋଗିତା ପରି ସାରା ଜୀବନ ଗୋଟିଏ ଖେଳ, ଯାହା ବୁଦ୍ଧିମତାର ପରିଚୟ ଦିଏ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଧାମାଧବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚେସ୍‍ ଖେଳକୁ ମହାଭାରତର ଦ୍ୟୁତ କ୍ରୀଡା ସହ ସେ ତୁଳନା କରିଥିଲେ। ସେ କହିଲେ ପ୍ରତିଯୋଗିତା ଜୀବନରେ ଶିକ୍ଷା ଦେଇଥାଏ। ସେବାରେ ମାନବିକତା ରହିବା ଉଚିତ। ଓଡ଼ିଶାର ମୁଖ୍ୟ ମହାଡାକପାଳ ଡଃ ସନ୍ତୋଷ କୁମାର କାମିଲା କହିଲେ ସେପ୍ଟେମ୍ବର ୧ରୁ ଭାରତୀୟ ଡାକ ପେମେଣ୍ଟସ୍‍ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଏହା ବିଶ୍ୱର ସବୁଠାରୁ ବଡ ବ୍ୟାଙ୍କିଙ୍ଗ ସେବା। ଡାକ କର୍ମଚାରୀମାନେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କଅଁର, ସମ୍ବଲପୁର ମହାଡାକପାଳ ଲଳିତେନ୍ଦୁ ପ୍ରଧାନ ଏବଂ ଡାକସେବା ନିର୍ଦେଶକ ଜି. ଗୁରୁନାଥନ ଉତ୍ସବରେ ଉଦ୍‍ବୋଧନ ଦେଇଥିଲେ। ଡାକ ବିଭାଗ ନିର୍ଦେଶିକା (ହିସାବ) ଲୋପାମୁଦ୍ରା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ଡାକ ଲଫାପା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। କ୍ୟାପଟେନ ମନୋଜ କୁମାର ପାଣିଗ୍ରାହୀ ଶୃଙ୍ଖଳିତ ଚେସ୍‍ ପ୍ରତିଯୋଗିତା ପାଇଁ ଶପଥପାଠ କରିଥିଲେ। ଦେଶର ୧୭ଟି ଡାକମଣ୍ଡଳରୁ ୧୩୦ ଡାକ କର୍ମଚାରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସୋମବାର ଦଳଗତ ବିଭାଗରେ ୨ରାଉଣ୍ଡ ଖେଳ ହୋଇଛି। ସେପ୍ଟେମ୍ବର ୧ତାରିଖ ଦିନ ପ୍ରତିଯୋଗିତା ଉଦ୍‍ଯାପନ ହେବ।

Leave A Reply