ଶ୍ରଦ୍ଧାଳୁମୟ ଶରଧାବାଲି

0

ପୁରୀ: ଆଡ଼ପମଣ୍ଡପରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ବଢୁଛି ଭକ୍ତଙ୍କ ଭିଡ। ଲୋକାରଣ୍ୟ ହୋଇଛି ଶରଧାବାଲି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଶୁକ୍ରବାର ଲକ୍ଷାଧିକ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ରଥଛୁଇଁ ଆତ୍ମହରା ହେଉଛନ୍ତି ଭକ୍ତ। ଇନ୍ଦ୍ରଦ୍ୟୁମ୍ନ ତୀର୍ଥପୁଷ୍କରିଣୀରେ ସ୍ନାନ, ଯଜ୍ଞନୃସିଂହ ମନ୍ଦିରରେ ସଂକଳ୍ପ, ଆଡ଼ପମଣ୍ଡପରେ ପରଂବ୍ରହ୍ମଙ୍କ ଦର୍ଶନ ଏବଂ ଆନନ୍ଦବଜାରରେ ଆଡ଼ପ ଅବଢା ଖାଇ ଆନନ୍ଦରେ ଫେରୁଛନ୍ତି। ଶରଧାବାଲିରୁ କାଣିଚାଏ ମୁଣ୍ଡରେ ମାରି ଧନ୍ୟ ମନେକରୁଛନ୍ତି। ରଥଦଉଡି ପାଖରୁ ଗହଳି ଛାଡୁନାହିଁ। କାଳିଆ ଠାକୁରଙ୍କ ମୋହ ଭକ୍ତଙ୍କୁ ଟାଣି ଆଣୁଛି।
ଶ୍ରୀକ୍ଷେତ୍ର ଛାଡି ଯିବାକୁ ମନ ହେଉନାହିଁ। ଜନ୍ମବେଦୀରେ ବସି ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଏହି ସ୍ଥାନରେ ଦାରୁବିଗ୍ରହଙ୍କ ଆବିର୍ଭାବ ହୋଇଥିଲା। ତେଣୁ ଜନ୍ମମାଟିକୁ ଭୁଲି ପାରୁନାହାନ୍ତି ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା। ଭାଇଭଉଣୀଙ୍କ ସହ ଆଡ଼ପମଣ୍ଡପରେ ବିଜେ କରିଛନ୍ତି। ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟମିଳେ। ସକଳପାପ କ୍ଷୟ ହୁଏ। ମୋକ୍ଷ ଓ ମୁକ୍ତି ମିଳେ। ଆଡ଼ପମଣ୍ଡପକୁ ଯଜ୍ଞବେଦୀ ଓ ମହାବେଦୀ ବୋଲି କୁହାଯାଉଛି। ଗୁଣ୍ଡିଚା ମନ୍ଦିରକୁ ପ୍ରଭୁଙ୍କ ଷଠୀଘର ​କୁହାଯାଏ। ଏହାର ପବିତ୍ରତା ଅନ୍ୟ ମନ୍ଦିର ଗୁଡିକଠାରୁ ଯଥେଷ୍ଟ ଅଧିକ। ଶ୍ରୀମନ୍ଦିର ପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ, ଯାତ୍ରାଙ୍ଗୀ ମହାସ୍ନାନ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ ଅନୁଷ୍ଠିତ ହୋଇଛି। ଷଷ୍ଠୀଠାରୁ ସନ୍ଧ୍ୟାଧୂପ ପରେ ମହାପ୍ରଭୁ ରାହାସକୁ ବିଜେ କରୁଛନ୍ତି। ରାସୋତ୍ସବ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆଡ଼ପମଣ୍ଡପରେ ବସି ଭକ୍ତଙ୍କ ଗୁହାରି ଶୁଣୁଛନ୍ତି। ପ୍ରଭୁଙ୍କୁ ଦେଖିବାମାତ୍ରେ ଭାବବିହ୍ବଳ ହୋଇପଡୁଛନ୍ତି ଶ୍ରଦ୍ଧାଳୁ। ଚନ୍ଦନ, କର୍ପୂର ଓ ତୁଳସୀରେ ବାସୁଛି ଗୁଣ୍ଡିଚା ମନ୍ଦିର। ସକାଳୁ ରାତିଯାଏଁ ଲାଗିଛି ଲୋକଙ୍କ ଲମ୍ବାଧାଡି। ଶରଧାବାଲି ଉତ୍ସବମୁଖର ହୋଇଉଠିଛି। ଆଧ୍ୟାତ୍ମିକ ନୃତ୍ୟଗୀତରେ ଦୁଲୁକୁଛି ବଡ଼ଦାଣ୍ଡ। ନାକଚଣା ଦ୍ବାର ସମ୍ମୁଖରେ ପ୍ରଭୁଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ନନ୍ଦିଘୋଷ, ତାଳଧ୍ବଜ ଏବଂ ଦର୍ପଦଳନ ରଥ। ଶ୍ରୀମନ୍ଦିର ଫେରିବାକୁ ମହାଲକ୍ଷ୍ମୀଙ୍କୁ ବଚନ ଦେଇଛନ୍ତି କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶନିବାର ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ। ଏହି ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ସାଧାରଣରେ ଅଖଣ୍ଡ ବିଶ୍ବାସ ରହିଛି। ରବିବାର ଦଶମୀ ତିଥିରେ ମହାପ୍ରଭୁ ବାହୁଡାଯାତ୍ରା କରିବେ।

 

ଆଜି ସନ୍ଧ୍ୟାଦର୍ଶନ; ରାତି ୭ରୁ ବନ୍ଦ

ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବମୀ ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ। ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ସିଂହଦ୍ବାର ଦେଇ ଭିତରେ ପ୍ରବେଶ କରିବେ। ଦର୍ଶନ ପରେ ନାକଚଣା ଦ୍ବାରଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ସକାଳ ୪ଟା ୩୦ ମଙ୍ଗଳଆଳତିଠାରୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେବ। ଆଡ଼ପମଣ୍ଡପରେ ବସି ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ବାହୁଡା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାତି ୭ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରାଯିବ। ବଡ଼ିସଂହାର ବେଶ, ବଡ଼ସିଂହାର ଭୋଗ ପରେ ପହୁଡଆଳତି ଅନୁଷ୍ଠିତ ହେବ। ଦଇତାପତି ସେବକ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଓ କୁସୁମିଲାଗି କରିବେ। ବାହୁଡା ପହଣ୍ଡି ପାଇଁ ଆଡ଼ପମଣ୍ଡପରେ ଚାରମାଳ ବନ୍ଧାଯିବ।

Leave A Reply