ସହିଦଙ୍କ ନକଲି ଫଟୋକୁ ନେଇ ସିଆରପିଏଫର ପରାମର୍ଶବଳୀ ଜାରି

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ୍‍ ବାହିନୀ (ସିଆରପିଏଫ) ପକ୍ଷରୁ ରବିବାର ସହିଦଙ୍କ ନକଲି ଫଟୋକୁ ନେଇ ଏକ ପରାମର୍ଶବଳୀ ଜାରି କରାଯାଇଛି। ଏଭଳି ନକଲି ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ (ସେୟାର) ନକରିବାକୁ କୁହାଯାଇଛି। ସିଆରପିଏଫ ପକ୍ଷରୁ ଜାରି ପରାମର୍ଶବଳୀରେ କୁହାଯାଇଛି ଯେ ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ନକଲି ଫଟୋ ଓ ସେମାନଙ୍କ ଶରୀରର ଅଂଶ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଉଛି। ତେଣୁ ସିଆରପିଏଫ ସହିଦଙ୍କ ଏଭଳି ଭ୍ରାନ୍ତ ଏବଂ ଭୁଲ୍‍ ଫଟୋ ସେୟାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏଭଳି କୌଣସି ପୋଷ୍ଟ ଦେଖିଲେ webpro@crpf.gov.inରେ ଜଣାଇବାକୁ କୁହାଯାଇଛି। ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଜୈସ-ଇ-ମହମ୍ମଦ (ଜେଇଏମ୍‍)ର ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହା ପରେ ସାମାଜିକ ଗଣମାଧ୍ୟମରେ ସହିଦ୍‍ ଯବାନଙ୍କ ଫଟୋ ଓ ବିସ୍ଫୋରଣରେ କ୍ଷତବିକ୍ଷତ ଅଙ୍ଗର ଫଟୋ ସେୟାର କରାଯାଉଛି। ସେଥି ମଧ୍ୟରେ ଅନେକ ଫଟୋ ନକଲି ବୋଲି ଜଣାପଡ଼ିଛି। ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ଏଭଳି ପ୍ରୟାସକୁ ସିଆରପିଏଫ ପକ୍ଷରୁ ନିନ୍ଦା କରାଯାଇଛି। ସିଆରପିଏଫ ଏକ୍‍ଜୁଟ ଅଛି, ଲୋକେ ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ ଏଭଳି ଫଟୋ ସେୟାର ନକରିବାକୁ କୁହାଯାଇଛି।

Leave A Reply