ହିଂସା ତୁଳନାରେ ଅହିଂସାର ଶକ୍ତି ଢେର ଅଧିକ : ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଦେଶର ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହତ ମନ୍ତ୍ରଙ୍କୁ ମେନେ ପକାଇବାକୁ କହିଛନ୍ତି। ହିଂସା ତୁଳନାରେ ଅହିଂସା ଶକ୍ତି ଢେର ଅଧିକ ଓ ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶ ଦୀର୍ଘ ଦିନର ଲକ୍ଷ୍ୟ ହାସଲ କରିବାର ଦ୍ୱାରରେ ଥିବାବେଳେ ଅନାବଶ୍ୟକ ଏବଂ ବିବାଦୀୟ ପ୍ରସଙ୍ଗରେ ଛନ୍ଦି ହୋଇ ଏଭଳି ସୁଯୋଗକୁ ହାତଛଡ଼ା ନ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶରେ ଭିଡ଼ ହିଂସା ବଢିଚାଲିଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଏହି ଅଭିଭାଷଣ ରଖିଛନ୍ତି। ଏହାସହ ସେ ନାରୀଙ୍କ ସୁରକ୍ଷା, ମୁକ୍ତ ଜୀବନ ଧାରଣର ଅଧିକାର ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଭାରତର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା  ବାର୍ତା

୧. ଆସନ୍ତାକାଲି ଆମ ସ୍ୱାଧୀନତାର ୭୧ ବର୍ଷ ପୂରଣ ହେଉଛି। ଆସନ୍ତାକାଲି ଆମେ ଆମ ୭୨ତମ ସ୍ୱାଧୀନତା ଦିବସ ପ।ଳନ କରିବୁ। ରାଷ୍ଟ୍ର-ଗୌରବର ଏହି ଅବସରରେ, ମୁଁ ଆପଣମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ୧୫ ଅଗଷ୍ଟର ଏହି ଦିନ, ପ୍ରତ୍ୟେକ ଭାରତୀୟ ପାଇଁ ପବିତ୍ର ହୋଇଥାଏ, ସେମାନେ ଦେଶରେ ଥାଆନ୍ତୁ କି ବିଦେଶରେ। ଏହି ଦିନ, ଆମେ ସମସ୍ତେ ଆମ ‘ଜାତୀୟ ପତାକା’ ନିଜ ନିଜ ଘରେ, ବିଦ୍ୟାଳୟରେ, କାର୍ଯ୍ୟାଳୟରେ, ନଗର ଏବଂ ଗ୍ରାମ ପଂଚାୟତ, ସରକାରୀ ଏବଂ ଘରୋଇ ବାସଭବନରେ ଉତ୍ସାହର ସହିତ ଉତ୍ତୋଳନ କରିଥାଉ। ଆମର ‘ତ୍ରିରଙ୍ଗା’ ଆମ ଦେଶର ଅସ୍ମୀତାର ପ୍ରତୀକ ଅଟେ। ଏହି ଦିନ ଆମେ ଦେଶର ସାର୍ବଭୌମତ୍ୱର ଉତ୍ସବ ପାଳନ କରିଥାଉ ଏବଂ ନିଜ ପୂର୍ବପୁରୁଷମାନଙ୍କ ଯୋଗଦାନକୁ କୃତଜ୍ଞତାର ସହିତ ସ୍ମରଣ କରିଥାଉ, ଯେଉଁମାନଙ୍କ ପ୍ରୟାସ କାରଣରୁ ଆମେ ଅନେକ କିଛି ହାସଲ କରିଛୁ। ଏହି ଦିନ, ରାଷ୍ଟ୍ର ନିର୍ମାଣରେ, ସେହି ବଳକା ରହିଥିବା କାର୍ଯ୍ୟକୁ ପୂରଣ କରିବାର ସଂକଳ୍ପର ମଧ୍ୟ ଦିନ ଅଟେ, ଯାହାକୁ ଆମର ପ୍ରତିଭାବାନ୍‌ ଯୁବକ ଯୁବତୀ ନିଶ୍ଚିତ ଭାବେ ପୂରଣ କରିବେ।

୨. ବର୍ଷ ୧୯୪୭ ର ୧୪ ଏବଂ ୧୫ ଅଗଷ୍ଟର ମଧ୍ୟରାତ୍ରି ସମୟରେ, ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା ଆମ ପୂର୍ବପୁରୁଷ ଏବଂ ସମ୍ମାନନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବର୍ଷ ବର୍ଷର ତ୍ୟାଗ ଏବଂ ବୀରତ୍ୱର ପରିଣାମ ଥିଲା। ସ୍ୱାଧୀନତା ସଂଗ୍ରାମରେ ସଂଘର୍ଷ କରୁଥିବା ସମସ୍ତ ବୀର ଏବଂ ବୀରାଙ୍ଗନା, ଅସାଧାରଣ ଭାବେ ସାହସୀ, ଏବଂ ଦୂରଦ୍ରଷ୍ଟା ଥିଲେ। ଏହି ସଂଗ୍ରାମରେ, ଦେଶର ସମସ୍ତ କ୍ଷେତ୍ର, ସମାଜର ସମସ୍ତ ବର୍ଗ ଏବଂ ସମ୍ପ୍ରଦାୟର ଲୋକମାନେ ସାମିଲ ଥିଲେ। ସେମାନେ ଚାହିଁଥିଲେ, ସୁବିଧାପୂର୍ଣ୍ଣ ଜୀବନ ବିତାଇ ପାରିଥାନ୍ତେ। କିନ୍ତୁ ଦେଶ ପ୍ରତି ନିଜର ଅତୁଟ ନିଷ୍ଠା କାରଣରୁ, ସେମାନେ ଏପରି କଲେ ନାହିଁ। ସେମାନେ ଏପରି ଏକ ସ୍ୱାଧୀନ ଏବଂ ଆଧିପତ୍ୟ-ସମ୍ପନ୍ନ ଭାରତ ନିର୍ମାଣ କରିବାକୁ ଚାହିଁଥିଲେ, ଯେଉଁଠି ସମାଜରେ ସମାନତା ଏବଂ ଭ୍ରାତୃଭାବ ଥିବ। ଆମେ ସେମାନଙ୍କ ଯୋଗଦାନକୁ ସର୍ବଦା ସ୍ମରଣ କରିଥାଉ। ଏବେ ୯ ଅଗଷ୍ଟରେ ହିଁ, ‘ଭାରତ ଛାଡ଼ ଆନ୍ଦୋଳନ’ର ୭୬ତମ ବର୍ଷ ପୂର୍ତିରେ, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ, ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଥିଲା।

୩. ଆମେ ଭାଗ୍ୟଶାଳୀ ଯେ ଆମକୁ ଏପରି ଏକ ମହାନ ଦେଶଭକ୍ତମାନଙ୍କ ବଂଶପରମ୍ପରା ପ୍ରାପ୍ତ ହୋଇଛି। ସେମାନେ ଆମକୁ ଏକ ସ୍ୱାଧୀନ ଭାରତ ଅର୍ପଣ କରିଛନ୍ତି। ଏଥିସହିତ, ସେମାନେ ଏପରି କେତେକ କାର୍ଯ୍ୟ ଅର୍ପଣ କରିଛନ୍ତି, ଯାହାକୁ ଆମେ ସମସ୍ତେ ମିଶି ପୂରଣ କରିବା। ଦେଶର ବିକାଶ କରିବା ଏବଂ ଦାରିଦ୍ର୍ୟ ଓ ଅସମାନତାରୁ ମୁକ୍ତି ପାଇବା ଲାଗି, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମ ସମସ୍ତଙ୍କୁ କରିବାକୁ ପଡିବ। ଏହି କାର୍ଯ୍ୟଗୁଡ଼ିକୁ ପୂରଣ କରିବା ଦିଗରେ, ଆମର ଜାତୀୟ ଜୀବନର ପ୍ରତ୍ୟେକ ପ୍ରୟାସ ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ଅଟେ।

୪. ଯଦି ଆମେ ସ୍ୱାଧୀନତାର କେବଳ ରାଜନୈତିକ ଅର୍ଥକୁ ଗ୍ରହଣ କରିବା ତ’ ଲାଗିବ ଯେ ୧୫ ଅଗଷ୍ଟ, ୧୯୪୭ର ଦିନ ଆମର ଲକ୍ଷ୍ୟ ପୂରଣ ହୋଇସାରିଥିଲା। ସେହି ଦିନ ରାଜକ୍ଷମତାର ବିରୋଧରେ ସଂଘରେ ଆମକୁ ସଫଳତା ମିଳିଥିଲା ଏବଂ ଆମେ ସ୍ୱାଧୀନ ହୋଇଥିଲୁ। କିନ୍ତୁ, ସ୍ୱାଧୀନତାର ଆମ ଅବଧାରଣ ବହୁତ ବ୍ୟାପକ ଅଟେ। ଏହାର କୌଣସି ନିର୍ଦ୍ଦିଷ୍ଟ ଏବଂ ସୀମିତ ପରିଭାଷା ନାହିଁ। ସ୍ୱାଧୀନତାର ପରିଧିକୁ ବଢ଼ାଇ ଚାଲିବା, ଏକ ନିରନ୍ତର ପ୍ରୟାସ ଅଟେ। ୧୯୪୭ରେ ରାଜନୈତିକ ସ୍ୱାଧୀନତା ମିଳିବାର, ଏତେ ଦଶକ ପରେ ମଧ୍ୟ ପ୍ରତ୍ୟେକ ଭାରତୀୟ, ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ହିଁ ଦେଶ ପ୍ରତି ନିଜ ଯୋଗଦାନ ଦେଇପାରିବ, ଯାହାଙ୍କଠାରୁ ଆମର ଦେଶ ଏବଂ ଦେଶବାସୀମାନଙ୍କୁ ବିକାଶର ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ।

୫. ଆମର କୃଷକ, ସେହି କୋଟି କୋଟି ଦେଶବାସୀଙ୍କ ଲାଗି ଅନ୍ନ ଉତ୍ପନ୍ନ କରୁଛନ୍ତି, ଯେଉଁମାନଙ୍କୁ ସେମାନେ କେବେ ସାମ୍ନାସାମ୍ନି ଭେଟିନାହାନ୍ତି। ସେମାନେ ଦେଶ ଲାଗି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇ, ଆମ ସ୍ୱାଧୀନତାକୁ ବଳ ଦେଉଛନ୍ତି। ଯେତେବେଳେ ସେମାନଙ୍କ ଜମିର ଉତ୍ପାଦନ ଏବଂ ସେମାନଙ୍କ ଆୟ ବଢ଼ାଇବା ଲାଗି ଆଧୁନିକ ପ୍ରଯୁକ୍ତି ଏବଂ ଅନ୍ୟ ସୁବିଧା ଉପଲବ୍ଧ କରାଉଛୁ, ସେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରୁଛୁ।

୬. ଆମର ସୈନିକ, ସୀମାରେ ରହି, ବରଫାବୃତ ପାହାଡ଼ରେ, ଟାଣ ଖରାରେ, ସାଗର ଏବଂ ଆକାଶରେ, ପୂର୍ଣ୍ଣ ସାହସର ସହିତ ଏବଂ ସତର୍କତାର ସହିତ, ଦେଶର ସୁରକ୍ଷାରେ ସମର୍ପିତ ରହୁଛନ୍ତି। ସେମାନେ ବାହ୍ୟ ବିପଦରୁ ସୁରକ୍ଷା ପ୍ରଦାନ କରି ଆମ ସ୍ୱାଧୀନତାକୁ ସୁନିଶ୍ଚିତ କରୁଛନ୍ତି। ଯେତେବେଳେ ଆମେ ସେମାନଙ୍କ ଲାଗି ଉନ୍ନତ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଉଛୁ, ସ୍ୱାଦେଶରେ ହିଁ ପ୍ରତିରକ୍ଷା ସରଞ୍ଜାମ ଲାଗି ଯୋଗାଣ-ଶୃଙ୍ଖଳା ବିକଶିତ କରୁଛୁ, ଏବଂ ସୈନିକମାନଙ୍କୁ କଲ୍ୟାଣକାରୀ ସୁବିଧା ପ୍ରଦାନ କରୁଛୁ, ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରୁଛୁ।

୭. ଆମର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ସେମାନେ ଆତଙ୍କବାଦର ମୁକାବିଲା କରିଥାନ୍ତି, ଏବଂ ଅପରାଧର ନିରାକରଣ ତଥା ଆଇନ ଶୃଙ୍ଖଳା ରକ୍ଷା କରିଥାନ୍ତି। ଏଥିସହିତ ପ୍ରାକୃତିକ ଦୁର୍ବିପାକ ସମୟରେ, ସେମାନେ ଆମ ସମସ୍ତଙ୍କୁ ସହାୟତା କରିଥାନ୍ତି। ଯେତେବେଳେ ଆମେ ସେମାନଙ୍କ କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜୀବନରେ ସୁଧାର ଆଣିଥାଉ, ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିଥାଉ।

୮. ମହିଳାମାନଙ୍କର, ଆମ ସମାଜରେ, ଏକ ବିଶେଷ ଭୂମିକା ରହିଛି। ଅନେକ ମାନ୍ୟତାରେ, ମହିଳମାନଙ୍କ ସ୍ୱାଧୀନତାକୁ ବ୍ୟାପ କରିବାରେ ହିଁ ଦେଶର ସ୍ୱାଧୀନତା ସାର୍ଥକ ହୋଇଥାଏ। ଏହି ସାର୍ଥକତା, ଘରେ ମା’, ଭଉଣୀ ଏବଂ ଝିଅମାନଙ୍କ ରୂପରେ, ଏବଂ ଘର ବାହାରେ ନିଜ ନିଷ୍ପତି ଅନୁସାରେ ଜୀବନ ବିତାଇବା ଲାଗି ସେମାନଙ୍କ ସ୍ୱାଧୀନତାରେ ପ୍ରତିଫଳିତ ହୋଇପାରିବ। ସେମାନଙ୍କୁ ନିଜ ଢଙ୍ଗରେ ବଂଚିବାର, ଏବଂ ନିଜ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବାର ସୁରକ୍ଷିତ ବାତାବରଣ ଏବଂ ସୁଯୋଗ ମିଳିବା ଆବଶ୍ୟକ। ସେମାନେ ନିଜ କ୍ଷମତାର ଉପଯୋଗ ପରିବାରର ପ୍ରଗତିରେ କରନ୍ତୁ, କିମ୍ବା ଆମ କାର୍ଯ୍ୟ ଶକ୍ତି କିମ୍ବା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ କରନ୍ତୁ, ସେମାନଙ୍କୁ ନିଜ ବିକଳ୍ପ ଚୟନ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିବା ଆବଶ୍ୟକ। ଏକ ରାଷ୍ଟ୍ର ଏବଂ ସମାଜ ରୂପରେ ଆମକୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ମହିଳାମାନଙ୍କୁ, ଜୀବନରେ ଆଗକୁ ବଢ଼ିବାର ସମସ୍ତ ଅଧିକାର ଏବଂ କ୍ଷମତା ସୁଲଭ ହେଉ।

୯. ଯେତେବେଳେ ଆମେ ମହିଳମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ କିମ୍ବା ଷ୍ଟାର୍ଟଅପ ଲାଗି ଆର୍ଥିକ ସମ୍ବଳ ଉପଲବ୍ଧ କରାଇଥାଉ, କୋଟି କୋଟି ଘରେ ଏଲପିଜି ସଂଯୋଗ ପହଁଚାଇଥାଉ, ଏବଂ ଏହି ପ୍ରକାରରେ, ମହିଳାମାନଙ୍କ ସଶକ୍ତିକରଣ କରିଥାଉ, ସେତେବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିଥାଉ।

୧୦. ଆମର ନବଯୁବକ, ଭାରତର ଆଶା ଏବଂ ଆକାଂକ୍ଷାର ମୂଳଦୁଆ ଅଟନ୍ତି। ଆମର ସ୍ୱାଧୀନତା ସଂଗ୍ରାମରେ ଯୁବକମାନଙ୍କର ଏବଂ ବରିଷ୍ଠଜନ, ସମସ୍ତଙ୍କର ଭାଗିଦାରୀ ଥିଲା। କିନ୍ତୁ ସେହି ସଂଗ୍ରାମରେ ଶକ୍ତି ଭରିବାର କାର୍ଯ୍ୟ ବିଶେଷ କରି ଯୁବବର୍ଗମାନେ କରିଥିଲେ। ସ୍ୱାଧୀନତାର ଆଶାରେ, ହୁଏତ’ ସେମାନେ ଭିନ୍ନ ରାସ୍ତା ବାଛିଥିଲେ, କିନ୍ତୁ ସେମାନେ ସମସ୍ତେ ସ୍ୱାଧୀନ ଭାରତ, ଉନ୍ନତ ଭାରତ, ଏବଂ ସମୃଦ୍ଧ ଭାରତ ପାଇଁ ନିଜ ଆଦର୍ଶ ଏବଂ ସଂକଳ୍ପରେ ଦୃଢ଼ ରହିଥିଲେ।

୧୧. ଆମେ ନିଜ ଯୁବକମାନଙ୍କର ଦକ୍ଷତା ବିକାଶ କରିଥାଉ, ସେମାନଙ୍କୁ ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଉଦ୍ୟମୀତା ଲାଗି, ତଥା କଳା ଏବଂ ଶିଳ୍ପ ଲାଗି ଅନୁପ୍ରାଣିତ କରିଥାଉ। ସେମାନଙ୍କ ସଂଗୀତର ସୃଷ୍ଟିଠାରୁ ଆରମ୍ଭ କରି ମୋବାଇଲ ଆପ୍ସ ତିଆରି କରିବା ଲାଗି ଏବଂ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କର୍ଷ ପ୍ରଦର୍ଶନ କରିବା ଲାଗି ପ୍ରୋତ୍ସାହିତ କରିଥାଉ। ଏହିପରି, ଯେତେବେଳେ ଆମେ ନିଜ ଯୁବକମାନଙ୍କ ଅସୀମିତ ପ୍ରତିଭାକୁ ବିକଶିତ କରିବା ଲାଗି ସୁଯୋଗ ପ୍ରଦାନ କରିଥାଉ, ସେତେବେଳେ ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିଥାଉ।

୧୨. ମୁଁ ରାଷ୍ଟ୍ର ନିର୍ମାଣର କେତେକ ଉଦାହରଣ ଦେଲି। ଏପରି ଅନେକ ଉଦାହରଣ ଦିଆଯାଇପାରିବ। ବାସ୍ତବରେ, ସେହି ପ୍ରତ୍ୟେକ ଭାରତୀୟ ଯେଉଁମାନେ ନିଜ କାମ ନିଷ୍ଠା ଏବଂ ସମର୍ପଣ ସହିତ କରିଥାଏ, ଯିଏ ସମାଜକୁ ନୈତିକତାପୂର୍ଣ୍ଣ ଯୋଗଦାନ ଦେଇଥାଏ-ସେ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ଲୋକସେବକ ହୁଅନ୍ତୁ, କାରଖାନା କର୍ମଚାରୁ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ବରିଷ୍ଠ ମାତା-ପିତାଙ୍କ ଯତ୍ନ ନେଉଥିବା ସନ୍ତାନ ହୁଅନ୍ତୁ- ସେ ସମସ୍ତେ ନିଜ ନିଜ ଢଙ୍ଗରେ ସ୍ୱାଧୀନତାର ଆଦର୍ଶ ପାଳନ କରୁଛନ୍ତି। ସେ ସମସ୍ତ ନାଗରିକ, ଯେଉଁମାନେ କର୍ତବ୍ୟ ଏବଂ ଦାୟିତ୍ୱର ନିର୍ବାହ କରୁଛନ୍ତି ଏବଂ ନିଜ ପ୍ରତିଶ୍ରୁତି ପୂରଣ କରୁଛନ୍ତି, ସେମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଆଦର୍ଶର ପାଳନ କରୁଛନ୍ତି। ମୁଁ କହିବାକୁ ଚାହିଁବି ଯେ ଆମର ଯେଉଁ ଦେଶବାସୀମାନେ ଲାଇନରେ ଛିଡ଼ା ହୋଇ ନିଜ ପାଳି ଆସିବାକୁ ଅପେକ୍ଷା କରିଛନ୍ତି, ଏବଂ ନିଜଠାରୁ ଆଗରେ ଛିଡ଼ା ହୋଇଥିବା ଲୋକର ଅଧିକାରକୁ ସମ୍ମାନ କରୁଛନ୍ତି, ସେମାନେ ମଧ୍ୟ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରୁଛନ୍ତି। ଏହା ଏକ ବହୁତ ଛୋଟ ପ୍ରୟାସ ଅଟେ। ଆସନ୍ତୁ, ପ୍ରୟାସ କରିବା, ଏହାକୁ ଆମେ ସମସ୍ତେ ନିଜ ଜୀବନର ଅଂଶବିଶେଷ କରିବା।

ପ୍ରିୟ ଦେଶବାସୀ,

୧୩. ଆପଣମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି ମଧ୍ୟ। ଯାହାକିଛି ମୁଁ କହିଲି, ତାହା କ’ଣ ଆଜକୁ ଦଶ-କୋଡ଼ିଏ ବର୍ଷ ତଳେ, ପ୍ରାସଙ୍ଗିକ ନଥିଲା? କେତେକ କ୍ଷେତ୍ର ପର୍ଯ୍ୟନ୍ତ ଏହା ନିଶ୍ଚିତ ଭାବେ ସେତେବେଳେ ପ୍ରାସଙ୍ଗିକ ରହିଥିବ। ତଥାପି, ଆଜି ଆମେ ନିଜ ଇତିହାସର ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ, ଯାହା ପୂର୍ବାପେକ୍ଷା ଭିନ୍ନ। ଆଜି ଆମେ ଏପରି ଅନେକ ଲକ୍ଷ୍ୟର ଯଥେଷ୍ଟ ନିକଟରେ ରହିଛୁ, ଯେଉଁଥିପାଇଁ ଆମେ ବର୍ଷ ବର୍ଷ ଧରି ପ୍ରୟାସ କରିଆସୁଛୁ। ସମସ୍ତ ପାଇଁ ବିଦ୍ୟୁତ ସଂଯୋଗ, ଖୋଲାରେ ମଳତ୍ୟାଗରୁ ମୁକ୍ତି, ସବୁ ବାସହୀନଙ୍କ ପାଇଁ ଘର ଏବଂ ଅତି ଦାରିଦ୍ର୍ୟ ଦୂର କରିବାର ଲକ୍ଷ୍ୟ ଏବେ ଆମ ହାତ ପାହାନ୍ତାରେ ରହିଛି। ଆଜି ଆମେ ଏକ ନିର୍ଣ୍ଣାୟକ ସମୟ ଦେଇ ଗତି କରୁଛୁ। ଏପରି ସ୍ଥିତିରେ, ଆମକୁ ଏଥିପ୍ରତି ଜୋର ଦେବା ପଡ଼ିବ ଯେ ଆମେ ଯେପରି ଧ୍ୟାନ ଏଡ଼ାଇବା ଭଳି ପ୍ରସଙ୍ଗରେ ମଜ୍ଜି ରହିବା ନାହିଁ, ଏବଂ ନିରର୍ଥକ ବିବାଦରେ ପଡ଼ି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବା ନାହିଁ।

୧୪. ଆଉ ଚାରି ବର୍ଷ ପରେ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବା। ପାଖାପାଖି ତିନି ଦଶକ ପରେ ଆମେ ସମସ୍ତେ ସ୍ୱାଧୀନତାର ୧୦୦ତମ ବର୍ଷପୂର୍ତି ପାଳନ କରିବା। ସାରା ବିଶ୍ୱ, ଦ୍ରୁତ ଗତିରେ ବଦଳୁଛି। ଆମକୁ ବିଶ୍ୱ ତୁଳନାରେ ଅଧିକ ଦ୍ରୁତ ଗତିରେ ପରିବର୍ତନ ଏବଂ ବିକାଶ କରିବାକୁ ଅଛି। ଆଜି ଆମେ ଯେଉଁ ନିଷ୍ପତି ନେଉଛୁ, ଯାହା ମୂଳଦୂଆ ଆମେ ପ୍ରତିଷ୍ଠା କରୁଛୁ, ଯେଉଁ ପ୍ରକଳ୍ପ ଆମେ ଆରମ୍ଭ କରୁଛୁ, ଯେଉଁ ସାମାଜିକ ଏବଂ ଆର୍ଥିକ ପଦକ୍ଷେପ ଆମେ ନେଉଛୁ- ତାହା ଦ୍ୱାରା ଏହା ନିର୍ଦ୍ଧାରଣ ହେବ ଯେ ଆମ ଦେଶ କେତେଦୂର ଯାଇପାରୁଛି। ଆମ ଦେଶରେ ପରିବର୍ତନ ଏବଂ ବିକାଶ ଦ୍ରୁତ ଗତିରେ ହେଉଛି ଏବଂ ଏହାର ପ୍ରଶଂସା ମଧ୍ୟ କରାଯିବା ଉଚିତ। ଆମ ଦେଶରେ, ଏ ପ୍ରକାରର ପରିବର୍ତନ ଆମର ଜନସାଧାରଣ, ଆମେ ପ୍ରବୁଦ୍ଧ ନାଗରିକ ଏବଂ ସମାଜ ଏବଂ ସରକାରଙ୍କ ଭାଗିଦାରୀରେ ପରିଚାଳିତ ହେଉଅଛି। ସବୁବେଳେ ଆମର ଚିନ୍ତାଧାରା ଏହା ରହିଛି ଯେ ଏପରି ପରିବର୍ତନ ଦ୍ୱାରା ସମାଜର ବଂଚିତ ବର୍ଗମାନଙ୍କର ଏବଂ ଗରିବଙ୍କ ଜୀବନ, ଉନ୍ନତ ହେଉ।

୧୫. ମୁଁ ଆପଣମାନଙ୍କୁ କେବଳ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି। ବର୍ତମାନ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତଗର୍ତ ୭ଟି ପ୍ରମୁଖ କାର୍ଯ୍ୟକ୍ରମର ଲାଭ ଆମର ସର୍ବାଧିକ ଗରିବ ଏବଂ ବଂଚିତ ନାଗରିକମାନଙ୍କ ପାଖରେ ପହଁଚାଯାଉଛି। ଏହି ସେବାରେ ବିଦ୍ୟୁତ ସଂଯୋଗ, ବ୍ୟାଙ୍କିଙ୍ଗ, କଲ୍ୟାଣମୂଳକ ଏବଂ ବୀମା କାର୍ଯ୍ୟକ୍ରମ ସହିତ ଦୁର୍ଗମ ଇଲାକାରେ ଟିକାକରଣର ସୁବିଧା ପହଁଚାଇବା ମଧ୍ୟ ସାମିଲ ରହିଛି। ଗ୍ରାମ ସ୍ୱରାଜ ଅଭିଯାନର ପରିଧି ମଧ୍ୟରେ ସେହି ୧୧୭ଟି ଅଭିଳଷିତ ଜିଲ୍ଲାଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି, ଯେଉଁଗୁଡ଼ିକ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ, ଆମର ବିକାଶ ଯାତ୍ରାରେ ପଛରେ ପଡ଼ିଯାଇଛନ୍ତି।

୧୬. ଏହି ଜିଲ୍ଲାର ଜନସଂଖ୍ୟାରେ, ଅନୁସୂଚିତ ଜାତି ଏବଂ ଜନଜାତିର ଲୋକମାନଙ୍କ ସଂଖ୍ୟା ଅଧିକ ଅଟେ। ଆମ ସମ୍ମୁଖରେ, ସାମାଜିକ ଏବଂ ଆର୍ଥିକ ପିରାମିଡରେ ସବୁଠୁ ତଳେ ରହିଯାଇଥିବା ଦେଶବାସୀଙ୍କ ଜୀବନ ଧାରଣର ମାନରେ ଦ୍ରୁତ ଗତିରେ ସୁଧାର ଆଣିବାର ଭଲ ସୁଯୋଗ ରହିଛି। ଗ୍ରାମ ସ୍ୱରାଜ ଅଭିଯାନର କାର୍ଯ୍ୟ କେବଳ ସରକାରଙ୍କ ଦ୍ୱାରା କରାଯାଉନାହିଁ। ଏହି ଅଭିଯାନ, ସରକାର ଏବଂ ସମାଜର ମିଳିତ ପ୍ରୟାସରେ ଚାଲିଛି। ଏହି ପ୍ରୟାସରେ, ଏପରି ନାଗରିକ ସକ୍ରିୟ ଅଛନ୍ତି, ଯେଉଁମାନେ ଦୁର୍ବଳ ବର୍ଗଙ୍କ କଷ୍ଟକୁ ଦୂର କରିବା, ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା ଏବଂ ସମାଜକୁ କିଛି ଅବଦାନ ଦେବା ଲାଗି, ସବୁବେଳେ ପ୍ରସ୍ତୁତ ରହିଥାନ୍ତି।

୧୭. ଭାରତୀୟ ପରମ୍ପରାରେ, ଦରିଦ୍ର-ନାରାୟଣଙ୍କ ସେବାକୁ ସବୁଠୁ ଭଲ କାମ ବୋଲି କୁହାଯାଇଛି। ଭଗବାନ ବୁଦ୍ଧ ମଧ୍ୟ କହିଥଲେ ଯେ ‘ଅଭିତ୍ୱରେତ କଲ୍ୟାଣେ’ ଅର୍ଥାତ କଲ୍ୟାଣକାରୀ କାମ, ସର୍ବଦା ତତ୍ପରତାର ସହିତ କରିବା ଉଚିତ। ମୋର ବିଶ୍ୱାସ ଯେ ଆମେ ସମସ୍ତେ ଭାରତବାସୀ, ସମାଜ ଏବଂ ଦେଶର କଲ୍ୟାଣ ଲାଗି, ତତ୍ପରତାର ସହିତ ନିଜର ଯୋଗଦାନ ଦେଇଚାଲିବା।

ପ୍ରିୟ ଦେଶବାସୀ,

୧୮. ସ୍ୱାଧୀନତା ଦିବସର ସବୁବେଳେ ଏକ ସ୍ୱତନ୍ତ୍ର ମହତ୍ୱ ରହିଥାଏ। କିନ୍ତୁ ଏଥର ଏହି ଦିବସର ସହିତ ଏକ ଭଲ କଥା ଯୋଡ଼ି ହୋଇ ରହିଛି। କିଛି ସପ୍ତାହ ପରେ ୨ ଅକ୍ଟୋବର ଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯିବ। ଗାନ୍ଧୀଜୀ, କେବଳ ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ, ବରଂ ସେ ଆମର ନୈତିକ ପଥ ପ୍ରଦର୍ଶକ ମଧ୍ୟ ଥିଲେ, ଏବଂ ସବୁବେଳେ ରହିଥିବେ। ଭାରତର ରାଷ୍ଟ୍ରପତି ଭାବେ, ମୁଁ ଆଫ୍ରିକୀୟ ଦେଶଗୁଡ଼ିକୁ ଯାତ୍ରା କରିବାର ସୁଅବସର ପ୍ରାପ୍ତ କରିଛି। ବିଶ୍ୱରେ, ପ୍ରତ୍ୟେକ ସ୍ଥାନରେ, ଯେଉଁଠିକୁ ମଧ୍ୟ ମୁଁ ଯାଇଛି, ସମଗ୍ର ମାନବ ଜଗତର ଆଦର୍ଶ ରୂପରେ ଗାନ୍ଧୀଜୀଙ୍କୁ ସମ୍ମାନର ସହିତ ସ୍ମରଣ କରାଯାଇଥାଏ। ତାଙ୍କୁ ଜୀବନ୍ତ ଭାରତର ମୂର୍ତିମନ୍ତ ପ୍ରତୀକ ରୂପରେ ଦେଖାଯାଇଥାଏ।

 

୧୯. ଆମକୁ ଗାନ୍ଧୀଜୀଙ୍କ ବିଚାରଧାରାର ଗଭୀରତାକୁ ବୁଝିବା ଲାଗି ପ୍ରୟାସ କରିବାକୁ ହେବ। ସେ ରାଜନୀତି ଏବଂ ସ୍ୱାଧୀନତାର ସୀମିତ ପରିଭାଷାକୁ ଗ୍ରହଣ କରୁନଥିଲେ। ଯେତେବେଳେ ଗାନ୍ଧୀଜୀ ଏବଂ ତାଙ୍କ ପତ୍ନୀ କସ୍ତୁରବା, ଚମ୍ପାରଣରେ ନୀଳ ଚାଷ କରୁଥିବା କୃଷମାନଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିହାର ଯାଇଥିଲେ ତ ସେଠାରେ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ସେଠାକାର ଲୋକମାନଙ୍କୁ, ବିଶେଷ କରି ମହିଳାମାନଙ୍କୁ ଏବଂ ଶିଶୁମାନଙ୍କୁ, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ଶିକ୍ଷା ଦେବାରେ ଲଗାଇଲେ। ଚମ୍ପାରଣରେ, ଏବଂ ଅନ୍ୟ ବହୁତ ସ୍ଥାନରେ, ଗାନ୍ଧୀଜୀ ନିଜେ, ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ସେ ସଫସୁତୁରା ରହିବାକୁ, ଆତ୍ମ ଅନୁଶାସନ ଏବଂ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ବୋଲି ଗ୍ରହଣ କରିଥିଲେ।

 

୨୦. ସେ ସମୟରେ, ଅନେକ ଲୋକ ଏହି ପ୍ରଶ୍ନ ଉଠାଇଥିଲେ ଯେ ଏ ସବୁ କଥାର ସ୍ୱାଧୀନତା ସଂଗ୍ରାମ ସହିତ କ’ଣ ସମ୍ପର୍କ ରହିଛି? ମହାତ୍ମା ଗାନ୍ଧୀଙ୍କ ପାଇଁ, ସ୍ୱାଧୀନତାର ଅଭିଯାନରେ, ସେହି କଥାଗୁଡ଼ିକର ବିଶେଷ ମହତ୍ୱ ରହିଥିଲା। ତାଙ୍କ ପାଇଁ ଏହା କେବଳ ରାଜନୈତିକ କ୍ଷମତା ପ୍ରାପ୍ତ କରିବାର ସଂଗ୍ରାମ ନଥିଲା, ବରଂ ଗରିବରୁ ଗରିବ ଲୋକଙ୍କୁ ସଶକ୍ତ କରିବା, ଅଶିକ୍ଷିତ ଲୋକମାନଙ୍କ ଶିକ୍ଷିତ କରିବା, ତଥା ପ୍ରତ୍ୟେକ ବ୍ୟକ୍ତି ପରିବାର, ସମୂହ ଏବଂ ଗ୍ରାମ ପାଇଁ ସମ୍ମାନର ସହିତ ଜୀବନ ଜିଇଁବାର ଅଧିକାର ଲାଗି ସଂଘର୍ଷ ଥିଲା।

 

୨୧. ଗାନ୍ଧୀଜୀ ସ୍ୱଦେଶୀ ଉପରେ ବିଶେଷ ଗୁରୁତ୍ୱ ଦେଉଥôଲେ। ତାଙ୍କ ପାଇଁ ଏହା ଭାରତୀୟ ପ୍ରତିଭା ଏବଂ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବାର ପ୍ରଭାବୀ ମାଧ୍ୟମ ଥିଲା। ସେ ବିଶ୍ୱର ଅନ୍ୟ ଭାଗରେ ପ୍ରଚଳିତ ଚିନ୍ତାଧାରା ବିଷୟରେ ସଚେତନ ଥିଲେ। ସେ ଏହା ଭାବୁଥିଲେ ଯେ ଭାରତୀୟ ସଭ୍ୟତା ଅନୁଯାୟୀ, ଆମକୁ ପୂର୍ବାଗ୍ରହରୁ ମୁକ୍ତ ହୋଇ, ନୂଆ ନୂଆ ବିଚାର ଲାଗି, ନିଜ ମସ୍ତିଷ୍କର ଝରକା ଖୋଲା ରଖିବାକୁ ହେବ। ଏହା ତାଙ୍କର ନିଜସ୍ୱ ସ୍ୱଦେଶୀ ଚିନ୍ତାଧାରା ଥିଲା। ବିଶ୍ୱ ସହିତ ଆମ ସମ୍ପର୍କକୁ ପରିଭାଷିତ କରିବାରେ- ଆମର ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକା ଆକାଂକ୍ଷା ଏବଂ ନୀତିଗତ ବିକଳ୍ପକୁ ଚୟନ ଦ୍ୱାରା- ସ୍ୱଦେଶୀର ଏହି ଚିନ୍ତାଧାରା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ।

 

୨୨. ଗାନ୍ଧୀଜୀଙ୍କ ମହାନତମ ବାର୍ତା ଏହା ଥିଲା ଯେ ହିଂସା ଅପେକ୍ଷା, ଅହିଂସାରେ ଅଧିକ ଶକ୍ତି ରହିଛି। ପ୍ରହାର କରିବା ଅପେକ୍ଷା, ଧୈର୍ଯ୍ୟ ରଖିବା, ଅଧିକ ପ୍ରଶଂସନୀୟ ଅଟେ ଏବଂ ଆମ ସମାଜରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ। ଗାନ୍ଧୀଜୀ  ଅହିଂସାର ଏହି ଅମୋଘ ଅସ୍ତ୍ର ଆମକୁ ପ୍ରଦାନ କରିଛନ୍ତି। ତାଙ୍କର ଅନ୍ୟ ଶିକ୍ଷା ଭଳି, ଅହିଂସାର ଏହି ମନ୍ତ୍ର ମଧ୍ୟ, ଭାରତର ପ୍ରାଚୀନ ପରମ୍ପରାରେ ରହିଥିଲା, ଏବଂ ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ, ଆମ ଜୀବନରେ ଏହା ସେତିକି ଉପଯୋଗୀ ଏବଂ ପ୍ରାସଙ୍ଗିକ ଅଟେ।

 

୨୩. ଏହି ସ୍ୱାଧୀନତା ଦିବସ ଅବସରରେ, ଯାହା ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ସମାରୋହର, ଏତେ ପାଖରେ ରହିଛି, ଆମେ ସମସ୍ତ ଭାରତବାସୀ ନିଜ ଦୈନିକ ଅଚାରଣରେ, ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେବା। ଆମ ସ୍ୱାଧୀନତାର ଉତ୍ସବକୁ ପାଳନ କରିବା, ତଥା ଭାରତୀୟତାର ଗୌରବକୁ ଅନୁଭବ କରିବା, ଏହାଠାରୁ ଭଲ ଅନେକ କୌଣସି ଉପାୟ ନାହିଁ।

 

୨୪. ଏହି ଭାରତୀୟତା କେବଳ ଆମ ପାଇଁ ନୁହେଁ। ଏହା ସାରା ବିଶ୍ୱକୁ ଭାରତୀୟ ସଭ୍ୟତାର ଦାନ ଅଟେ। ଗାନ୍ଧୀଜୀ ଏବଂ ଭାରତର ଚିନ୍ତାଧାରା “ବସୁଧୈବ କୁଟୁମ୍ବକମ୍” ଭାବେ ରହିଆସିଛି, ଆମେ ସାରା ବିଶ୍ୱକୁ ଏକ ପରିବାର ବୋଲି ଗ୍ରହଣ କରିଛୁ। ସେଥିପାଇଁ ଆମର ଧ୍ୟାନ ସବୁବେଳେ ବିଶ୍ୱ କଲ୍ୟାଣ ପ୍ରତି ରହିଥାଏ, ତାହା ଆଫ୍ରିକୀୟ ଦେଶଗୁଡ଼ିକୁ ସହାୟତା ହେଉ, ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ପ୍ରୟାସ କରିବାରେ ହେଉ, ମିଳିତ ଜାତିସଂଘର ଶାନ୍ତି ଅଭିଯାନ ଲାଗି ବିଶ୍ୱର ବିଭିନ୍ନ କ୍ଷେତ୍ରକୁ ସେନା ପଠାଇବା ଲାଗି ହେଉ, ପଡ଼ୋଶୀ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପହଁଚାଇବାରେ ହେଉ, କିମ୍ବା ପୁଣି ବିଶ୍ୱରେ ଯେକୌଣସି ସ୍ଥାନରେ ବିଷମ ପରିସ୍ଥିତରେ ଫସି ରହିଥିବା ଭାରତବାସୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ଆଣିବା ସହିତ ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ସେଠାରୁ ବାହାରକୁ ଆଣିବାରେ ହେଉ। ଗାନ୍ଧୀଜୀ ଏବଂ ଭାରତର ଏହି ଚିନ୍ତାଧାରା ଅନୁଯାୟୀ, ଆମେ ସ୍ୱାସ୍ଥ୍ୟ ଏବଂ ମାନବ କଲ୍ୟାଣ ଲାଗି ଯୋଗାଭ୍ୟାସକୁ, ତଥା ବିକାଶ ଲାଗି ଆଧୁନିକ ପ୍ରଯୁକ୍ତିକୁ, ସାରା ବିଶ୍ୱ ସହିତ ବାଂଟିଥାଉ। ଆମେ ସମସ୍ତେ ଗାନ୍ଧୀଜୀଙ୍କ ସନ୍ତାନ ଅଟୁ। ଯେତେବେଳେ ଆମେ ଏକାକୀ ପଥରେ ଚାଲିଥାଉ, ସେତେବେଳେ ମଧ୍ୟ ଆମ ଆଖିରେ ସାରା ମାନବ ଜଗତର କଲ୍ୟାଣର ସ୍ୱପ୍ନ ଥାଏ।

 

ପ୍ରିୟ ଦେଶବାସୀ,

୨୫. ଅନେକ ବିଶ୍ୱବିଦ୍ୟାଳୟରେ ନିଜ ଆଲୋଚନା କାଳରେ, ମୁଁ ଛାତ୍ରଛାତ୍ରୀଙ୍କୁ ଏହି ଅନୁରୋଧ କରିଥିଲି ଯେ ସେମାନେ ବର୍ଷକୁ ଚାରି କିମ୍ବା ପାଂଚ ଦିନ ଗାଁରେ ବିତାଉଛନ୍ତୁ। ୟୁଏସଆର ଅର୍ଥ ‘ୟୁନିଭର୍ସିଟିଜ ସୋସିଆଲ ରେସପନସିବଲିଟି’ ଭାବେ କରାଯାଉଥିବା ଏହି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ, ନିଜ ଦେଶର ବାସ୍ତବିକତା ବିଷୟରେ ସୂଚନା ବଢ଼ିବ। ସେମାନଙ୍କୁ, ସାମାଜିକ କଲ୍ୟାଣର କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବା ଏବଂ ସେଥିରେ ଭାଗ ନେବା ଲାଗି ସୁଯୋଗ ମିଳିବ, ତଥା ସେମାନେ ଏପରି କାର୍ଯ୍ୟକ୍ରମର ପ୍ରଭାବକୁ ଉତମ ଢଙ୍ଗରେ ବୁଝିପାରିବେ। ଏହି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାଭ ମିଳିବା ସହିତ ଗ୍ରାମୀଣ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ। ଏହାଦ୍ୱାରା, ଆମ ସ୍ୱାଧୀନତା ସଂଗ୍ରାମ ଭଳି ଉତ୍ସାହ ପୁଣିଥରେ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣ ସହିତ ଯୋଡ଼ି ହେବା ଲାଗି ପ୍ରେରଣା ମଧ୍ୟ ମିଳିବ।

 

୨୬. ନିଜ ଦେଶର ଯୁବକମାନଙ୍କଠାରେ ଆଦର୍ଶବାଦ ଏବଂ ଉତ୍ସାହକୁ ଦେଖି ମୋତେ ଅତ୍ୟନ୍ତ ସନ୍ତୋଷ ଅନୁଭୂତ ହେଉଛି। ସେମାନଙ୍କଠାରେ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ ଏବଂ ନିଜ ଦେଶ ପାଇଁ କିଛି ନା କିଛି ହାସଲ କରିବାର ଭାବନା ଦେଖାଦେଉଛି। ନୈତିକ ଶିକ୍ଷାର ଏହାଠାରୁ ଉତମ ଉଦାହରଣ ଆଉ ନାହିଁ। ଶିକ୍ଷାର ଉଦ୍ଦେଶ୍ୟ କେବଳ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିବାରେ ନାହିଁ, ବରଂ ସମସ୍ତଙ୍କ ଜୀବନକୁ ଉନ୍ନତ କରିବାର ଭାବନାକୁ ଜଗାଇବାରେ ରହିଛି। ଏପରି ଭାବନା ଦ୍ୱାରା ହିଁ ସମ୍ବେଦନଶୀଳତା ଏବଂ ବନ୍ଧୁତାକୁ ପ୍ରୋତ୍ସାହନ ମିଳିବ। ଏହା ହିଁ ଭାରତୀୟତା। ଏହା ହିଁ ଭାରତ ଅଟେ। ଏ ଭାରତ ଦେଶ ‘ଆମ ସମସ୍ତ ଭାରତବାସୀଙ୍କର ଅଟେ’, କେବଳ ସରକାରଙ୍କର ନୁହେଁ।

 

୨୭. ଏକଜୁଟ ହୋଇ, ଆମେ ‘ଭାରତବାସୀ’ ନିଜ ଦେଶର ପ୍ରତ୍ୟେକ ନାଗରିକମାନଙ୍କୁ ସହାୟତା କରିପାରିବା। ଏକଜୁଟ ହୋଇ, ଆମେ ନିଜ ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ କରିପାରିବା, ଆମେ ଆମ ଗ୍ରାମୀଣ ଏବଂ ସହରୀ ଜନବସତିକୁ ନୂଆ ଜୀବନ ଦେଇପାରିବା। ଆମେ ସମସ୍ତେ ଦାରିଦ୍ର୍ୟ, ଅଶିକ୍ଷା ଏବଂ ଅସମାନତାକୁ ଦୂର କରିପାରିବା। ଆମ ସମସ୍ତେ ମିଶି, ଏ ସମସ୍ତ କାମ କରିପାରିବା, ଏବଂ ଆମକୁ ଏହା କରିବାକୁ ହେବ। ଯଦିଓ ଏଥିରେ ସରକାରଙ୍କର ପ୍ରମୁଖ ଭୂମିକା ରହିଛି, କିନ୍ତୁ ଏକମାତ୍ର ଭୂମିକା ନାହିଁ। ଆସନ୍ତୁ ଆମେ ଆମ ପ୍ରୟାସକୁ ଆଗୋଇ ନେବାରେ ସରକାରଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ଉପଯୋଗ କରିବା। ଆସନ୍ତୁ, ଦେଶର କାମକୁ ନିଜ କାମ ବୋଲି ଭାବିବା, ଏହି ଚିନ୍ତାଧାରା ଆମକୁ ପ୍ରେରଣା ଦେବ।

 

୨୮. ଏହି ଶବ୍ଦଗୁଡ଼ିକ ସହିତ, ମୁଁ ପୁଣି ଥରେ ଆପଣମାନଙ୍କୁ ଏବଂ ଆପଣମାନଙ୍କ ପରିବାରର ସଦସ୍ୟମାନଙ୍କୁ, ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା ଏବଂ ଆପଣମାନଙ୍କୁ ସମସ୍ତଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି।

Leave A Reply