ପୋଲାଭରମ ମାମଲାରେ ଓଡ଼ିଶାକୁ ଝଟ୍‌କା : କାର୍ଯ୍ୟବନ୍ଦ ଆବେଦନ ଖାରଜ

0

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ମାମଲାରେ ଓଡ଼ିଶା ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ଲାଗି ରାଜ୍ୟ ସରକାର ଯେଉଁ ଆବେଦନ ଦାଖଲ କରିଥିଲେ ତାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଫଳରେ ପୋଲାଭରମ୍‌ କାର୍ଯ୍ୟ ଜାରି ରହିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ତେବେ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ଆଶଙ୍କା ଥିବା ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ବୁଡ଼ି ଅଞ୍ଚଳରେ ଜନଶୁଣାଣି ପାଇଁ ଜନଶୁଣାଣି କରିବା ଲାଗି ଅଦାଲତ ଉଭୟଙ୍କୁ ନିର୍ଦେଶ ଦେଇଛନ୍ତି। ଜନଶୁଣାଣି ଲାଗି କେଉଁ ତଥ୍ୟ ଆବଶ୍ୟକ ସଂପୃକ୍ତ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇବେ। ଓଡ଼ିଶା ଓ ଛତିଶଗଡ଼ ସତ୍ୟପାଠର ପ୍ରତିଜବାବ କେନ୍ଦ୍ର ସରକାର ଦେବା ପାଇଁ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ଦ୍ୱିତୀୟ ସପ୍ତାହକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ମାମଲାର ଶୁଣାଣି ବେଳେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ଆଦେଶ ଦେବାକୁ ଓଡ଼ିଶା ସରକାରଙ୍କ ନିବେଦନକୁ ବିଚରାପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ ଗୁରୁତ୍ୱ ଦେଇନଥିଲେ। ଫଳରେ ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। ସୁପ୍ରିମକୋର୍ଟରେ ସୋମବାର ପୋଲାଭରମ ମାମଲା ଶୁଣାଣି ସ୍ୱତନ୍ତ୍ର ଭାବେ ଧାର୍ଯ୍ୟ ହୋଇଥିଲା। ଜନଶୁଣାଣି, ପରିବେଶ ମଞ୍ଜୁରୀ ଅଥବା ନିର୍ମାଣ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ନିର୍ଦେଶନାମା ଜାରି କରିପାରନ୍ତି ବୋଲି ଆଶା କରାଯାଉଥିଲା; ମାତ୍ର ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଆଗ୍ରହ୍ୟ ପରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି।
ଆଜି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ଅଶୋକ ପଣ୍ଡା କୋର୍ଟଙ୍କୁ ଜଣାଇଥିଲେ ଯେ ପ୍ରଭାବିତ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ଜନଶୁଣାଣି କରାଇବେ। କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଜନଶୁଣାଣି ପାଇଁ ବହୁବାର ଚିଠି ଲେଖିଛନ୍ତି। ପ୍ରତିଉତ୍ତରରେ ଛତିଶଗଡ଼ର ଓକିଲ ଅତୁଲ ଝା ଦର୍ଶାଇଥିଲେ ଯେ ପ୍ରଥମେ କେଉଁ ଅଞ୍ଚଳ ଗୁଡ଼ିକ ପୋଲଭରମ ପ୍ରକଳ୍ପରେ ପ୍ରଭାବିତ ହେଉଛି କେନ୍ଦ୍ର ସରକାର ସେସବୁ ତଥ୍ୟ ଛତିଶଗଡ଼ ସରକାରଙ୍କୁ ଜଣାନ୍ତୁ। ଓଡ଼ିଶା ସରକାରଙ୍କ ଓକିଲ ଅରୁଣ କାଥଫାଲିଆ ମଧ୍ୟ ଜନଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ବୁଡ଼ି ଅଞ୍ଚଳର ତଥ୍ୟ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ପକ୍ଷର ତର୍କ ଶୁଣିବା ପରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ ଜନଶୁଣାଣି ପାଇଁ କେଉଁ ସବୁ ତଥ୍ୟର ଆବଶ୍ୟକତା ରହିଛି ସତ୍ୟପାଠ ଜରିଆରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସ୍ପଷ୍ଟ କରନ୍ତୁ।

Leave A Reply