କୃଷିକ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

0

ଲକ୍ଷ୍ନୌ : କୃଷକମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୃଷିକ୍ଷେତ୍ରରେ ପୁଞ୍ଜିନିବେଶ କରିବା ନମିନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପପତିମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନଗରୀରେ ରବିବାର ଏକ କାର୍ଯ୍ୟକ୍ରମରେ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଉତ୍ତର ପ୍ରଦେଶ ନିବେଶକ ସମ୍ମିଳନୀରେ ସ୍ୱାକ୍ଷରିତ ୧୦୪୫ଟି ବୁଝାମଣା ପତ୍ରରୁ ୮୧ଟି ବୁଝାମଣା ପତ୍ରର କାର୍ଯ୍ୟକାରିତା ନେଇ ଏହି ଉତ୍ସବର ଆୟୋଜନ କରାଯାଇଥିଲା।
ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୨ ଲକ୍ଷ ୧୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଉତ୍ସବରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, କେବଳ ୫ ମାସ ଭିତରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଏକ ଐତିହାସିକ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପରିଚାଳିତ ଉତ୍ତର ପ୍ରଦେଶ ସରକାର ପୁଞ୍ଜିନିବେଶକାରୀମାନଙ୍କ ସହ ଆଲୋଚନା ଜରିଆରେ ମାତ୍ର ୫ ମାସ ଭିତରେ ଏତେ ପରିମାଣର ପୁଞ୍ଜି ବ୍ୟବସ୍ଥା କରି ପୁଞ୍ଜିନିବେଶକ ମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରି ପାରିଛନ୍ତି। ରାଜ୍ୟ ପାଇଁ ଏହା ଏକ ବଡ଼ଧରଣର ସଫଳତା ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଡିଜିଟାଲ୍‍ ଇଣ୍ଡିଆ ଓ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବ।
ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ପାଲଟିଛି ବୋଲି କହିଥିଲେ। ଉତ୍ତର ପ୍ରଦେଶରର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି,ବ୍ୟବସାୟ ଅନୁକୂଳ ବା ସହଜରେ ବ୍ୟବସାୟ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ଏବେ ଦେଶରେ ପଞ୍ଚମ ସ୍ଥାନରେ ଅଛି ବୋଲି କହିଛନ୍ତି।

Leave A Reply