୧୦୦ ଶଯ୍ୟା ବିଶିଷ୍ଟ ଉନ୍ନୀତ ଇଏସଆଇ ହାସ୍ପାତାଳକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଓଡ଼ିଶା ଗସ୍ତରେ ଆସି ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନୀତ ଇଏସଆଇ ହାସ୍ପତାଳ, ଭୁବନେଶ୍ୱରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ। ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଇଏସଆଇ ହସ୍ପିଟାଲ ପ୍ରକଳ୍ପକୁ ମଧ୍ୟ ଲୋକର୍ପଣ କରିବେ। ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ, ଜାହାଜ ଚଳାଚଳ ଓ ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଜୟରାମ ଗଡକରୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସନ୍ତୋଷ କୁମାର ଗଙ୍ଗୱାର, କେନ୍ଦ୍ର ସଂସ୍କୃତି (ସ୍ୱାଧୀନ) ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଡ. ମହେଶ ଶର୍ମା, କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ମନୋଜ ସିହ୍ନା ଉପସ୍ଥିତ ରହିବେ।

ପୁନର୍ବିନ୍ୟାସ ଓ ଉନ୍ନୀତ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହାସ୍ପତାଳ ଭୁବନେଶ୍ୱର

୧୯୯୭ ମସିହାରେ ଭୁବନେଶ୍ୱରରେ ପ୍ରାୟ ୪.୫ ଏକର ଜମିରେ ୫୦ ଶଯ୍ୟା ବିଶିଷ୍ଟ ଇଏସଆଇ ହାସ୍ପତାଳ ନିର୍ମାଣ କରାଯାଇଥିଲା। ଏବେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯାଇଛି। ଏଥିଲାଗି ନୂତନ ବ୍ଲକ ଓ ଅତିରିକ୍ତ କୋଠାମାନ ବର୍ତ୍ତମାନର ହାସ୍ପତାଳ କୋଠାକୁ ଲାଗି ନିର୍ମାଣ କରାଯାଇଛି। ଯେଉଁଥିରେ କି ପ୍ରାୟ ୭୩.୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଇଏସଆଇ ହାସ୍ପତାଳର ନୂତନ ବ୍ଲକରେ ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରାଂଶ ଓ ଉପକରଣ ତଥା ଭିତିଭୂମି ସୃଷ୍ଟି କରାଯାଇଛି। ଇଏସଆଇ ସ୍କିମ ଅଧୀନରେ ଯାହା ସବୁ ଭିତିଭୂମି ଆବଶ୍ୟକ ପଡୁଛି ସେସବୁକୁ ସ୍ଥାପିତ କରାଯାଇଛି। ବିଶେଷ କରି ସିଏସଏସଡି, ଟିଏସଏସୟୁ, ସେବିକା କଲ ସିଷ୍ଟମ, ଓଟି (ଭାରତୀୟ ଓ ବିଦେଶୀ), ଆଧୁନିକ କିଚେନ, ଲିଫ୍ଟ, ମେଡିକାଲ ଗ୍ୟାସ ପାଇପ ଲାଇନ, ଏସଟିପି, ଇଟିପି, ରାସ୍ତା ବିକାଶ ଓ ସବଷ୍ଟେସନ ଭଳି ଆନୁସଙ୍ଗିକ ସୁବିଧା ମାନ ହାସ୍ପତାଳରେ ଉପଲବ୍ଧ ହେବ। ଇଏସଆଇ ସ୍କିମ ଅଧୀନରେ ଏହି ଉନ୍ନୀତ ହାସ୍ପତାଳ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ମେଡିକାଲ ସେବା ଯୋଗାଇଦେବ।

ଓଡ଼ିଶାରେ ଇଏସଆଇ ସ୍କିମ

ଓଡ଼ିଶାରେ ପ୍ରଥମେ ୧୯୬୦ ମସିହାରେ କଟକ, ଚୌଦ୍ୱାର, ରାଜଗାଙ୍ଗପୁର, ବାରଙ୍ଗ ଏବଂ ବ୍ରଜରାଜନଗର ଭଳି ୫ଟି ଶିଳ୍ପାଞ୍ଚଳର ୨୩୦୦ ଶିଳ୍ପ ଶ୍ରମିକଙ୍କୁ ନେଇ ଇଏସଆଇ ସ୍କିମ ଆରମ୍ଭ କରାଯାଇଥିଲା। କ୍ରମେ ଏହା ସମ୍ପ୍ରସାରିତ ହୋଇ ବର୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରେ ଇଏସଆଇ ସ୍କିମ କାର୍ଯ୍ୟକାରୀ ହେଉଛି। ଏବେ ସୁଦ୍ଧା ଏହି ସ୍କିମ ଜରିଆରେ ୬.୭୬ ଲକ୍ଷ ଶ୍ରମିକ କର୍ମଚାରୀ ବୀମାଧାରୀ ହୋଇଥିବା ବେଳେ ସାମଗ୍ରୀକ ଭାବେ ପ୍ରାୟ ୨୬ ଲକ୍ଷ ଶ୍ରମିକ ଇଏସଆଇ ସ୍କିମର ସୁବିଧା ପାଉଛନ୍ତି।

ଭାରତରେ ଇଏସଆଇ ସ୍କିମ

ଦେଶରେ କର୍ମଚାରୀ ରାଜ୍ୟ ବୀମା ନିଗମ ଏକ ଅଗ୍ରଣୀ ସାମାଜିକ ନିରାପତା ସଂଗଠନ ଭାବେ ଉଭା ହୋଇଛି, ଯାହାକି ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଚିକିତ୍ସା ସୁବିଧା ଓ ମେଡିକାଲ ସେବା ଭଳି ସାମାଜିକ ନିରାପତ୍ତା ସୁଲଭ କରାଇଛି। କାର୍ଯ୍ୟରତ ଶ୍ରମିକମାନଙ୍କ ଆଘାତ, ଖରାପ ସ୍ୱାସ୍ଥ୍ୟ ଓ ମୃତ୍ୟୁ ଭଳି ଅବସ୍ଥା କ୍ଷେତ୍ରରେ ଇଏସଆଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଆସୁଛି। ୧୦ରୁ ଅଧିକ ଲୋକ କାର୍ଯ୍ୟ କରୁଥିବା ସଂସ୍ଥାରେ ଇଏସଆଇ ଆଇନ ଲାଗୁ ହୋଇଥାଏ। ଏହି ଆଇନ ଅଧୀନରେ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପାରିଶ୍ରମିକ ପାଉଥିବା କର୍ମଚାରୀମାନେ ସ୍ୱାସ୍ଥ୍ୟ ବୀମା କବଚ ଓ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି। ବର୍ତମାନ ଦେଶର ୧୦.୩୩ ଲକ୍ଷ କଳକାରଖାନା, ଶିଳ୍ପ ପ୍ରତିଷ୍ଠାନ ଏହି ଆଇନର ପରିସରଭୁକ୍ତ। ଯାହାଦ୍ୱାରା ୩.୪୩ କୋଟି ଶ୍ରମିକ, କର୍ମଚାରୀ ବୀମାଧାରୀ ପରିବାର ଉପକୃତ ହେଉଛନ୍ତି। ଇଏସଆଇ ସ୍କିମ ଅଧୀନରେ ସର୍ବଶେଷ ତଥ୍ୟ ଅନୁଯାୟୀ ସାମଗ୍ରୀକ ଭାବେ ୧୩.୩୨ କୋଟି ଶ୍ରମିକ କର୍ମଚାରୀ ଉପକୃତ ହେଉଛନ୍ତି। ୧୯୫୨ ମସିହାରେ ଇଏସଆଇ ନିଗମ ଗଠିତ ହୋଇଥିଲା ଏବଂ ତା ପରଠାରୁ ଏପର୍ଯ୍ୟନ୍ତ ଦେଶରେ ଏହି ସଂସ୍ଥା ଅଧୀନରେ ୧୫୪ଟି ହାସ୍ପତାଳ, ୧୫୦୦ ଡିସପେନସାରୀ, ୧୪୮ଟି ଆଇଏସଏନ ୟୁନିଟ, ୮୧୫ ଶାଖା ଅଫିସ ଏବଂ ୬୪ଟି ଆଂଚଳିକ ତଥା ଉପ-ଆଂଚଳିକ ଓ ଡିଭିଜନାଲ ଅଫିସ କାର୍ଯ୍ୟ କରୁଛି।

Leave A Reply