ମାନବ ସଶକ୍ତିକରଣ ନିମନ୍ତେ ସ୍ୱଚ୍ଛ ପର୍ଯ୍ୟାବରଣ

0
-ନରେନ୍ଦ୍ର ମୋଦୀ
ଭାରତର ପ୍ରଧାନମନ୍ତ୍ରୀ

ମିଳିତ ଜାତିସଂଘ ଏଇ ବୁଧବାର ଦିନ ମୋତେ ‘ଚାମ୍ପିଅନ୍ସ ଅଫ ଦି ଆର୍ଥ ପୁରସ୍କାର’ରେ ସମ୍ମାନିତ କରିଛି। ଏହି ସମ୍ମାନ ପ୍ରାପ୍ତ କରି ମୁଁ ଅତ୍ୟନ୍ତ ଅଭିଭୂତ ମନେ କରୁଛି କିନ୍ତୁ ଅନୁଭବ କରୁଛି ଯେ ଏହି ପୁରସ୍କାର କୌଣସି ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ। ଏହା ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ସ୍ୱୀକୃତି ଅଟେ, ଯିଏ ସର୍ବଦା ପ୍ରକୃତି ସହିତ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଆସିଛି।
ଜଳବାୟୁ ପରିବର୍ତନରେ ଭାରତର ସକ୍ରିୟ ଭୂମିକାକୁ ମାନ୍ୟତା ମିଳିବା ଏବଂ ମିଳିତ ଜାତିସଂଘର ମହାସଚିବ ଶ୍ରୀ ଏଂଟୋନିଓ ଗୁଟେରସ ଏବଂ ୟୁଏନଇପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଏରିକ ସୋଲାହିମଙ୍କ ଦ୍ୱାରା ଭାରତର ଭୂମିକାକୁ ପ୍ରଶଂସା କରାଯିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ।
ମାନବ ଏବଂ ପ୍ରକୃତି ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ରହିଛି। ପ୍ରକୃତି ମାତା ସର୍ବଦା ଆମକୁ ପାଳନ-ପୋଷଣ କରିଆସିଛନ୍ତି। ପ୍ରାରମ୍ଭିକ ସଭ୍ୟତାଗୁଡ଼ିକ ନଦୀତଟରେ ପ୍ରତିଷ୍ଠିତ ହୋଇଥିଲା। ପ୍ରକୃତି ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ରହୁଥିବା ସମାଜ ପରିପୁଷ୍ଟ ଏବଂ ସମୃଦ୍ଧ ହୋଇଥାଏ।
ମାନବ ସମାଜ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ଛିଡ଼ା ହୋଇଛି। ଆମେ ଯେଉଁ ରାସ୍ତା ନିର୍ଦ୍ଧାରଣ କରିଛୁ ତାହା କେବଳ ଆମର କଲ୍ୟାଣ ନିର୍ଦ୍ଧାରଣ କରିବ ନାହିଁ, ବରଂ ଆମ ପରେ ଏହି ଗ୍ରହକୁ ଆସିବାକୁ ଥିବା ପିଢ଼ିକୁ ମଧ୍ୟ ସୁଖରେ ରଖିବ। ଲୋଭ ଏବଂ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ନରହିବା ଗମ୍ଭୀର ପରିବେଶଗତ ଅସନ୍ତୁଳନ ସୃଷ୍ଟି କରିଥାଏ। ଆମେ ଏହାକୁ ସ୍ୱୀକାର କରିପାରିବା କିମ୍ବା ପୂର୍ବ ଭଳି ଚାଲିପାରିବା କିମ୍ବା ସୁଧାର ଲାଗି ଉପାୟ କରିପାରିବା।
ଏସବୁ କଥାରୁ ଏହା ନିର୍ଦ୍ଧାରଣ ହେବ ଯେ କିପରି ଏକ ସମାଜ ସାର୍ଥକ ପରିବର୍ତନ ଆଣିପାରିବ।
ପ୍ରଥମ ହେଉଛି ଅନ୍ତରୀଣ ଚେତନା। ସେଥିପାଇଁ ନିଜ ଗୌରବମୟ ଅତୀତକୁ ଦେଖିବା ଠାରୁ ଉନ୍ନତ କୌଣସି ସ୍ଥାନ ହୋଇପାରିବ ନାହିଁ। ପ୍ରକୃତି ପ୍ରତି ସମ୍ମାନ ଭାରତୀୟ ପରମ୍ପରାର ମୂଳରେ ରହିଛି। ଅଥର୍ବବେଦରେ ପୃଥିବୀ ସୁକ୍ତ ସାମିଲ ରହିଛି ଯେଉଁଥିରେ ପ୍ରକୃତି ଏବଂ ପରିବେଶ ବିଷୟରେ ଅଥଳ ଜ୍ଞାନ ରହିଛି। ଏହାକୁ ଅଥର୍ବବେଦରେ ଖୁବ ସୁନ୍ଦର ଭାବେ ଲେଖାଯାଇଛି।
“ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟାମନ୍ନଂ କୃଷ୍ଟୟଃ ସଂବଭୁବୁଃ। ଯସ୍ୟାମିଦଂ ଜିନ୍ୱାତି ପ୍ରାଣଦେଜତ୍ସା ନୋ ଭୂମିଃ ପୂର୍ବପେୟେଦଧାତୁଃ” ଅର୍ଥାତ୍‍- ମାତା ପୃଥିବୀ ଅଭିନନ୍ଦନ। ତାଙ୍କ ଠାରେ ସନ୍ନିହିତ ରହିଛି ମହାସାଗର ଏବଂ ନଦୀର ଜଳ; ତାଙ୍କ ଠାରେ ସନ୍ନିହିତ ହୋଇ ରହିଛି ଭୋଜନ ଯାହା ଭୂମିକୁ ହଳ କରିବା ଦ୍ୱାରା ସେ ପ୍ରକଟ କରିଥାନ୍ତି; ତାଙ୍କ ନିଶ୍ଚିତ ଭାବେ ସମସ୍ତ ଜୀବନ ସମାହିତ ହୋଇରହିଛି, ସେ ଆମକୁ ଜୀବନ ପ୍ରଦାନ କରନ୍ତୁ।
ଋଷିଗଣ ପଂଚତତ୍ୱ- ପୃଥିବୀ, ବାୟୁ, ଜଳ, ଅଗ୍ନି, ଆକାଶ ବିଷୟରେ ଲେଖିଯାଇଛନ୍ତି ଏବଂ କହିଯାଇଛନ୍ତି ଯେ କିପରି ଆମ ଜୀବନ ପଦ୍ଧତି ଏସବୁ ତତ୍ୱର ସମାହାର ଉପରେ ଆଧାରିତ ଅଟେ। ପ୍ରକୃତିର ତତ୍ୱରୁ ଅଲୌକିକତା ପ୍ରକଟ ହୋଇଥାଏ।
ମହାତ୍ମା ଗାନ୍ଧୀ ପରିବେଶ ବିଷୟରେ ଖୁବ ଗଭୀର ଭାବେ ରଚନା କରିଛନ୍ତି। ସେ ଏପରି ଜୀବନ ଶୈଳୀକୁ ଅଭ୍ୟାସରେ ପରିଣତ କରିଥିଲେ, ଯେଉଁଥିରେ ପରିବେଶ ପ୍ରତି ଭାବନା ପ୍ରମୁଖ ରହିଥିଲା। ସେ “ଆସ୍ଥାର ସିଦ୍ଧାନ୍ତ”କୁ ପ୍ରତିପାଦିତ କରିଥିଲେ, ଯାହା ଆମକୁ ଅର୍ଥାତ୍‍ ବର୍ତମାନର ପିଢ଼ିକୁ ଏହି ଦାୟିତ୍ୱ ଦେଇଛି ଯେ ଆମେ ନିଜ ଭବିଷ୍ୟତର ପିଢ଼ିକୁ ଏକ ସ୍ୱଚ୍ଛ ପୃଥିବୀ ପ୍ରଦାନ କରିବା। ସେ ଯୁକ୍ତିସଂଗତ ଉପଯୋଗ ଲାଗି ଆହ୍ୱାନ ଦେଇଥିଲେ, ଯାହାଦ୍ୱାରା ବିଶ୍ୱକୁ ସମ୍ବଳ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।
ସଂଯମପୂର୍ଣ୍ଣ ଜୀବନ ଶୈଳୀ ପାଳନ କରିବା ଆମ ଲୋକାଚାର ଅଙ୍ଗ ଅଟେ। ଯେତେବେଳେ ଆମକୁ ଅନୁଭବ ହେବ ଯେ ଆମେ ଏକ ସମୃଦ୍ଧ ପରମ୍ପରାର ଧ୍ୱଜାବାହକ ଅଟୁ, ସେତେବେଳେ ଆମର କାର୍ଯ୍ୟକଳାପ ଉପରେ ଆପେ ଆପେ ସକାରାତ୍ମକ ପ୍ରଭାବ ପଡ଼ିବାକୁ ଲାଗିବ।
ଦ୍ୱିତୀୟ ପକ୍ଷ ଜନଜାଗରଣର ଅଟେ। ଆମକୁ ପରିବେଶ ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଯଥାସମ୍ଭବ ଆଲୋଚନା କରିବା, ଲେଖିବା, ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି। ଏହା ସହିତ ପରିବେଶ ସମ୍ବନ୍ଧୀୟ ବିଷୟ ଉପରେ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ। ଏପରି ଅଧିକରୁ ଅଧିକ ଲୋକମାନଙ୍କୁ ଆମ ସମୟର ଗମ୍ଭୀର ଆହ୍ୱାନଗୁଡ଼ିକୁ ଜାଣିବା ଏବଂ ସେଗୁଡ଼ିକୁ ଦୂର କରିବାର ପ୍ରୟାସ ବିଷୟରେ ଚିନ୍ତା କରିବାର ସୁଯୋଗ ମିଳିବ।
ଯେତେବେଳେ ଆମେ ଏକ ସମାଜ ରୂପରେ ପରିବେଶ ସଂରକ୍ଷଣ ଦ୍ୱାରା ନିଜର ମଜବୁତ ସମ୍ପର୍କ ବିଷୟରେ ସଚେତନ ହେବା ଏବଂ ଏହା ବିଷୟରେ ନିୟମିତ ଭାବେ ଆଲୋଚନା କରିବା, ଯେତେବେଳେ ନିରନ୍ତର ପରିବେଶ ଦିଗରେ ଆମେ ନିଜେ ସକ୍ରିୟ ହୋଇପାରିବା। ସେଥିପାଇଁ ସକାରାତ୍ମକ ପରିବର୍ତନ ଆଣିବାରେ ସକ୍ରିୟତାକୁ ତୃତୀୟ ପକ୍ଷ ରୂପରେ ମୁଁ ଦେଖୁଛି।
ଏ ସନ୍ଦର୍ଭରେ ମୁଁ ଏ କଥା କହି ଆନନ୍ଦିତ ଅନୁଭବ କରୁଛି ଯେ ଭାରତର ୧୩୦ କୋଟି ଲୋକ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଦିଗରେ ସକ୍ରିୟ ଅଟନ୍ତି ଏବଂ ଏଥିପାଇଁ ଆଗଭର ହୋଇ କାମ କରୁଛନ୍ତି।
ସ୍ୱଚ୍ଛ ଭାରତ ମିଶନରେ ଆମେ ଏହି ଅଗ୍ରସକ୍ରିୟତା ଦେଖିପାରୁଛୁ ଯାହା ଭବିଷ୍ୟତରେ ନିରନ୍ତର ବିକାଶ ଦ୍ୱାରା ସିଧାସଳଖ ଯୋଡ଼ି ହୋଇରହିଛି। ଦେଶବାସୀଙ୍କ ଆଶୀର୍ବାଦରୁ ୮୫ ନିୟୁତ ବାସଗୃହରେ ପ୍ରଥମ ଥର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ୪୦୦ ନିୟୁତରୁ ଅଧିକ ଭାରତୀୟଙ୍କୁ ଏବେ ଖୋଲାରେ ମଳତ୍ୟାଗ କରିବାର ଆବଶ୍ୟକତା ପଡ଼ୁନାହିଁ। ସ୍ୱଚ୍ଛତାର ପରିଧି ୩୯ ପ୍ରତିଶତରୁ ବୃଦ୍ଧି ପାଇ ୯୫ ପ୍ରତିଶତ ହୋଇଯାଇଛି। ପ୍ରାକୃତିକ ପରିବେଶର ଚାପକୁ କମ କରିବା ଦିଗରେ ଏହା ଐତିହାସିକ ପ୍ରୟାସ ଅଟେ।
ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ଆମେ ଏହି ଅଗ୍ରସକ୍ରିୟତା ଦେଖିପାରୁଛୁ ଯେଉଁ କାରଣରୁ ଘରେ ହେଉଥିବା ବାୟୁ ପ୍ରଦୂଷଣ ଏବେ କମ ହୋଇପାରିଛି କାରଣ ରୋଷେଇ କରିବାର ଅସ୍ୱାସ୍ଥ୍ୟକର ପଦ୍ଧତି ଦ୍ୱାରା ସ୍ୱାସ୍ଥ୍ୟ ସଂକ୍ରାନ୍ତ ରୋଗ ଅଧିକମାତ୍ରାରେ ବୃଦ୍ଧି ପାଉଥିଲା। ବର୍ତମାନସୁଦ୍ଧା ୫ କୋଟିରୁ ଅଧିକ ଉଜ୍ଜ୍ୱଳା ସଂଯୋଗ ବଂଟନ କରାଯାଇସାରିଛି ଏବଂ ଏହି କାରଣରୁ ମହିଳାମାନେ ଏବଂ ସେମାନଙ୍କ ପରିବାର ପାଇଁ ଏକ ଉନ୍ନତ ଏବଂ ସ୍ୱଚ୍ଛ ଜୀବନ ସୁନିଶ୍ଚିତ ହୋଇପାରିଛି।
ଭାରତର ନିଜସ୍ୱ ନଦୀଗୁଡ଼ିକୁ ସ୍ୱଚ୍ଛ କରିବା ଦିଗରେ ଯଥେଷ୍ଟ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଭାରତର ଜୀବନରେଖା କୁହାଯାଉଥିବା ନଦୀ ଗଙ୍ଗା ଅନେକ ଭାଗରେ ବେଶ ପ୍ରଦୂଷିତ ହୋଇସାରିଥିଲା ଏବଂ ନମାମି ଗଙ୍ଗେ ଅଭିଯାନ ଏହି ଐତିହାସିକ ଭୁଲରେ ପରିବର୍ତନ ଆଣୁଛି। ସିୱେଜର ଉପଯୁକ୍ତ ସମାଧାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଆମ ସହରୀ ବିକାଶ ପ୍ରୟାସଗୁଡ଼ିକରେ ଅମୃତ ଏବଂ ସ୍ମାର୍ଟ ସିଟି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ସହରୀ କ୍ଷେତ୍ରର ହେଉଥିବା ବୃଦ୍ଧି ଏବଂ ପରିବେଶ ଯତ୍ନରେ ସନ୍ତୁଳନ ବଜାୟ ରଖିବା। କୃଷକମାନଙ୍କୁ ବଂଟାଯାଇଥିବା ୧୩ କୋଟିରୁ ଅଧିକ ମୃର୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ସେମାନଙ୍କ ଯଥେଷ୍ଟ ଲାଭ ହେଉଛି ଏବଂ ଏହାଦ୍ୱାରା ଭୂମିର ଉତ୍ପାଦକତା ଏବଂ ସେଗୁଡ଼ିକର ପୋଷକତ୍ୱରେ ବୃଦ୍ଧି ହେବ ଯାହାଦ୍ୱାରା ଆଗାମୀ ପିଢ଼ିକୁ ସହାୟତା ମିଳିପାରିବ।
ପରିବେଶ କ୍ଷେତ୍ରରେ କୌଶଳ ଭାରତରେ ଆମେ ସମନ୍ୱିତ ଉଦ୍ଦେଶ୍ୟ ଆପଣାଇଛୁ ଏବଂ ବିଭିନ୍ନ ଯୋଜନା ଯେଉଁଥିରେ ସବୁଜ କୌଶଳ ବିକାଶ କାର୍ଯ୍ୟକ୍ରମ ସାମିଲ ରହିଛିର ଆରମ୍ଭ କରିଛୁ ଯେଉଁଥିରେ ପରିବେଶ, ବନୀକରଣ, ବନ୍ୟଜୀବ ଏବଂ ଜଳବାୟୁ ପରିବର୍ତନ କ୍ଷେତ୍ରରେ ୨୦୨୧ ସୁଦ୍ଧା ୭ ନିୟୁତ ଯୁବକଙ୍କୁ କୁଶଳୀ କରିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ପରିବେଶ କ୍ଷେତ୍ରରେ କୁଶଳୀ କର୍ମଜୀବୀ ଏବଂ ଉଦ୍ୟୋଗୀଙ୍କ ଲାଗି ଅନେକ ସୁଯୋଗ ସୃଷ୍ଟି ହେବ।
ଆମ ଦେଶ ନବୀନ ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ବିଶେଷ ଗୁରୁତ୍ୱ ଦେଉଛି ଏବଂ ଗତ ଚାରି ବର୍ଷରେ ଏହି କ୍ଷେତ୍ର ଯଥେଷ୍ଟ ସୁଗୁମ ଏବଂ ବହନଯୋଗ୍ୟ ହୋଇପାରିଛି।
ଉଜାଲା ଯୋଜନା ଅଧୀନରେ ପାଖାପାଖି ୩୧ କୋଟି ଏଲଇଡି ବଲବ ବଂଟାଯାଇଛି। ଯୋଜନା କାରଣରୁ ଗୋଟିଏ ପଟେ ଏଲଇଡି ବଲ୍‍ବ ମୂଲ୍ୟ ହ୍ରାସ ପାଇଛି ଅନ୍ୟପଟେ ବିଦ୍ୟୁତ ବିଲ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ ପାଇଛି।
ଭାରତର ପ୍ରୟାସ ଅନ୍ତର୍ଜାତୀୟ ସ୍ତରରେ ପରିଲକ୍ଷିତ ହେଉଛି। ମୁଁ ଏହାକୁ ନେଇ ଗର୍ବିତ ଯେ ଭାରତ ପ୍ୟାରିସରେ ୨୦୧୫ରେ ହୋଇଥିବା ସିଓପି-୨୧ ଆଲୋଚନାରେ ଆଗରେ ରହିଥିଲା। ଅନ୍ତର୍ଜାତୀୟ ସୌର ସଂଗଠନର ଆରମ୍ଭ ଅବସରରେ ମାର୍ଚ୍ଚ, ୨୦୧୮ରେ ବିଶ୍ୱର ଅନେକ ଦେଶର ନେତା ନୂଆଦିଲ୍ଲୀରେ ଏକତ୍ରିତ ହୋଇଥିଲେ। ଏହି ସଂଗଠନ ସୌର ଶକ୍ତିର କ୍ଷମତାକୁ ଉନ୍ନତ ଢଙ୍ଗରେ ବ୍ୟବହାର କରିବାର ଏକ ପ୍ରୟାସ ଅଟେ। ଏହା ଜରିଆରେ ବିଶ୍ୱର ସେହି ଦେଶଗୁଡ଼ିକୁ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି ଯେଉଁଠି ସୌରଶକ୍ତି ପ୍ରଚୁର ମାତ୍ରାରେ ଉପଲବ୍ଧ ରହିଛି।
ଏପରି ସମୟରେ ଯେତେବେଳେ ବିଶ୍ୱରେ ଜଳବାୟୁ ପରିବର୍ତନର ଆଲୋଚନା ହେଉଛି ଭାରତରୁ ଜଳବାୟୁ ନ୍ୟାୟ ପାଇଁ ଆହ୍ୱାନ କରାଯାଇଛି। ଜଳବାୟୁ ନ୍ୟାୟର ଅର୍ଥ ସମାଜର ସେହି ଗରିବ ଏବଂ ଶେଷଭାଗରେ ଛିଡ଼ା ହୋଇଥିବା ଲୋକମାନଙ୍କ ଅଧିକାର ଏବଂ ସ୍ୱାର୍ଥ ସହିତ ଜଡ଼ିତ ରହିଛି ଯେଉଁମାନେ ଜଳବାୟୁ ପରିବର୍ତନ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି।
ଯେପରି ମୁଁ ପୂର୍ବରୁ ମଧ୍ୟ ଲେଖିସାରିଛି, ଆମର ଆଜିର ଗତିବିଧିର ପ୍ରଭାବ ଆଗାମୀ ପିଢ଼ିର ମାନବ ସଭ୍ୟତା ଉପରେ ପଡ଼ିବ ଏବଂ ଏହା ଏବେ ଆମ ଉପରେ ନିର୍ଭର କରିଥାଏ ଯେ ନିରନ୍ତର ଭବିଷ୍ୟତ ଲାଗି ଜାଗତିକ ଉତରଦାୟିତ୍ୱର ଆରମ୍ଭ ଆମେ ହିଁ କରିବା। ବିଶ୍ୱକୁ ପରିବେଶ କ୍ଷେତ୍ରରେ ଏପରି ଏକ ଉଦାହରଣ ଦିଗରେ ବଢ଼ିବାର ଆବଶ୍ୟକତା ରହିଛି ଯାହା କେବଳ ସରକାରୀ ନିୟମ ଏବଂ ଆଇନ ମଧ୍ୟରେ ସୀମିତ ନରହୁ ବରଂ ଏଥିରେ ପରିବେଶ ସଚେତନତା ମଧ୍ୟ ରହୁ। ଏହି ଦିଗରେ ଯେଉଁ ବ୍ୟକ୍ତି ଏବଂ ସଂଗଠନ ଲଗାତାର ପରିଶ୍ରମ କରୁଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି କାରଣ ସେମାନେ ଆମ ସମାଜରେ ଚିରସ୍ମରଣୀୟ ପରିବର୍ତନର ଅଗ୍ରଦୂତ ହୋଇସାରିଛି। ଏହି ଦିଗରେ ମୁଁ ସେମାନଙ୍କ ପ୍ରୟାସ ପାଇଁ ସରକାରଙ୍କ ତରଫରୁ ଯଥାସମ୍ଭବ ସହାୟତା ଲାଗି ଆଶ୍ୱାସନା ଦେଉଛି। ଆମେ ସମସ୍ତ ମିଶି ଏକ ସ୍ୱଚ୍ଛ ପରିବେଶ ନିର୍ମାଣ କରିବା ଯାହା ମାନବ ସଶକ୍ତିକରଣ ଦିଗରେ ଆଧାରଶିଳା ହେବ।

ସୌଜନ୍ୟ : ପିଆଇବି

Comments
Loading...