ପାରା ଏସୀୟ କ୍ରୀଡ଼ା: ସନ୍ଦୀପଙ୍କ ବିଶ୍ୱରେକର୍ଡ; ଭାରତକୁ ୩ ସ୍ୱର୍ଣ୍ଣ

0

ଜାକର୍ତ୍ତା : ଏଠାରେ ଆୟୋଜିତ ପାରା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳି ସନ୍ଦୀପ ଚୌଧୁରୀ ଜାଭେଲିନ୍‍ ଥ୍ରୋରେ ବିଶ୍ୱରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ସୁଦ୍ଧା ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ସହ ୧୧ଟି ପଦକ ମିଳିଛି। ସନ୍ଦୀପ ୬୦.୦୧ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ନୂଆ ବିଶ୍ୱରେକର୍ଡ ସୃଷ୍ଟି କରିବା ସହ ସ୍ୱର୍ଣ୍ଣ ପଦକ ଜିିତିଥିବା ବେଳେ ଶ୍ରୀଲଙ୍କାର ଚାମିଣ୍ଡା ସମ୍ପଦ ୫୯.୩୨ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ରୌପ୍ୟ ଓ ଇରାନ୍‍ର ଓମିଦି ଅଲ୍ଲୀ ୫୮.୯୭ ମିଟର ଦୂରକୁ ଜାଭେଲିନ୍‍ ଫିଙ୍ଗି ବ୍ରୋଞ୍ଜ୍‍ ପଦକ ହାସଲ କରିଛନ୍ତି। ପୂର୍ବରୁ ବିଶ୍ୱରେକର୍ଡ ଚୀନ୍‍ର ମିଙ୍ଗଜେଇ ଗାଓଁଙ୍କ ନାମରେ ଥିଲା। ସେ ୧୯୮୦ରେ ୫୯.୮୨ ମିଟରକୁ ଜାଭେଲିନ୍‍ ଫିଙ୍ଗି ବିଶ୍ୱରେକର୍ଡ କରିଥିଲେ।
ସୋମବାର ମହିଳା ୧୫୦୦ ମିଟର ଦୌଡ଼ରେ ଭାରତର ରାଜୁ ରକ୍ଷସିତା ଓ ପୁରୁଷ ୫୦ ମିଟର ସନ୍ତରଣରେ ଯାଦବ ସୁୟାସ ନାରାୟଣ ସ୍ୱର୍ଣ୍ଣ ପଦକ ଜିତିଥିଲେ। ରକ୍ଷସିତା ୫ ମିନିଟ୍‍ ୪୦.୬୪ ସେକେଣ୍ଡରେ ଦୌଡ଼ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ନାରାୟଣ ୩୨.୭୨ ସେକେଣ୍ଡରେ ସନ୍ତରଣ ଶେଷ କରି ସ୍ୱର୍ଣ୍ଣ ଜିତିଥିଲେ। ଅନ୍ୟପକ୍ଷରେ ମହିଳା ଜାଭେଲିନ୍‍ ଥ୍ରୋରେ ରାମ୍ୟା ସାନ୍‍ମୁଗାମ୍‍ ଓ ୧୫୦୦ ମିଟର ଦୌଡ଼ରେ ରାଧା ଭେଙ୍କଟେସ୍‍ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସନ୍ତରଣରେ ନାରାୟଣଙ୍କ ସ୍ୱର୍ଣ୍ଣ ବ୍ୟତୀତ ଆଉ ଗୋଟିଏ ବ୍ରୋଞ୍ଜ୍‍ ପଦକ ମିିଳିଛି। ପାୱାର ଲିଫ୍‍ଟିଙ୍ଗରେ ଭାରତକୁ ରୌପ୍ୟ ଓ ସୁଟିଂରେ ବ୍ରୋଞ୍ଜ୍‍ ପଦକ ମିଳିଛି। ୩ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ୍‍ ପଦକ ସହ ଭାରତ ପଦକ ତାଲିକାର ୮ମ ସ୍ଥାନରେ ରହିଛି। ରବିବାର ଭାରତକୁ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‍ ପଦକ ମିଳିଥିଲା। ପଦକ ତାଲିକାରେ ଚୀନ୍‍ ୩୫ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ୍‍ ପଦକ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ କୋରିଆ ୧୪ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ୍‍ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Leave A Reply