ପାକିସ୍ତାନର ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିରେ ପ୍ରଥମ ହିନ୍ଦୁ ନେତା

0

ଇସଲାମବାଦ୍‍: ସଦ୍ୟ ସମାପ୍ତ ପାକିସ୍ତାନ ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିିକୁ ନିର୍ବାଚିତ ହୋଇଛନ୍ତି। ମହେଶ କୁମାର ମାଲାନି ନାମକ ଏହି ନେତା ପିପିପି ଦଳରୁ ଥାରପାରକାର-୨ରୁ ନିର୍ବାଚନ ଲଢ଼ିଥିଲେ। ୧୬ ବର୍ଷ ପରେ ପାକିସ୍ତାନରେ ଜଣେ ଅଣ ମୁସଲିମ୍‍ଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଓ ଭୋଟ ଦେବାର ଅଧିକାର ମିଳିଛି। ମହେଶଙ୍କ ବିପକ୍ଷରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମହେଶ ୧,୦୬,୬୩୦ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୮୭,୨୫୧ଟି ଭୋଟ ପାଇଥିଲେ।
ପାକିସ୍ତାନରେ ରହୁଥିବା ଏହି ରାଜସ୍ଥାନୀ ବ୍ରାହ୍ମଣ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ସଂରକ୍ଷିତ ଆସନରୁ ମନୋନୀତ ହୋଇ ଜାତୀୟ ଆସେମ୍ବ୍ଲିର ସଦସ୍ୟ ଭାବେ କାମ କରିଥିଲେ। ୨୦୧୩ରେ ଜଣେ ଅଣମୁସଲିମ୍‍ ସଦସ୍ୟ ଭାବେ ମହେଶ ପ୍ରୋଭିନ୍ସିଆଲ୍‍ ଆସେମ୍ଲିକୁ ନିର୍ବାଚିତ ହୋଇଥିଲେ। ଗତ ସରକାର ଅମଳରେ ସେ ବିଭିନ୍ନ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ କାମ କରିଥିଲେ। ୨୦୦୨ରେ ପରଭେଜ୍‍ ମୁସାରଫ୍‍ ସମ୍ବିଧାନ ସଂଶୋଧନ ଜରିଆରେ ଅଣମୁସ୍‍ଲିମ୍‍୍‍ଙ୍କୁ ନିର୍ବାଚନରେ ଭାଗ ନେବା ଓ ଭୋଟ ଅଧିକାର ଦେଇଥିଲେ। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିରେ ୧୦ଟି ଆସନ ସଂରକ୍ଷଣ କରାଯାଇଛି। ଗତ ମାର୍ଚ୍ଚ ମାସରେ ପ୍ରଥମ ହିନ୍ଦୁ ମହିଳା ଭାବେ କ୍ରିଷ୍ଣା କୁମାରୀ ସିନେଟ୍‍କୁ ମନୋନୀତ ହୋଇଥିଲେ।

Leave A Reply