ସୀମା ନିକଟରେ ହେଲିପ୍ୟାଡ଼ ଓ ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ପାକିସ୍ତାନ

0

ନୂଆଦିଲ୍ଲୀ : ଭାରତ ସଲଂଗ୍ନ ସୀମା ନିକଟରେ ପାକିସ୍ତାନ ହେଲିପ୍ୟାଡ ଏବଂ ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ବୋଲି ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଠାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ବିଏସ୍‍ଏଫ ରିପୋର୍ଟ ଅନୁସାରେ ପାକିସ୍ତାନ ଜସୈଲମେର ସୀମା ପାର୍ଶ୍ବବର୍ତ୍ତୀ ବାହାୱାଲନଗର ରହିମୟାର ଖାନରେ ଦୁଇଟି ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଛି। ବହୁ କମ୍‍ ସମୟରେ ସୀମାରେ ସେନାଙ୍କୁ ଯୁଦ୍ଧ ସାମଗ୍ରୀ ଯୋଗାଇବା ପାଇଁ ପାକିସ୍ତାନ ଏହି ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଥିବା କୁହାଯାଉଛି। ଏହାସହ ଯୁଦ୍ଧାସ୍ତ୍ର ଭଣ୍ଡାର ପରିସର ମଧ୍ୟରେ ପାକିସ୍ତାନ ହେଲିପ୍ୟାଡ ନିର୍ମାଣ କରୁଛି। ଯୁଦ୍ଧ ସମୟରେ ହେଲିକପ୍ଟର ଅବତରଣ କରାଇବା ଓ ଯୁଦ୍ଧାସ୍ତ୍ର ପରିବହନରେ ଏହାକୁ ବ୍ୟବହାର କରିବା ପାଇଁ ପାକିସ୍ତାନ ଏଭଳି କରୁଥିବା କୁହାଯାଉଛି। ଉଲ୍ଲେଖ ଯେ ରହିମୟାର ଖାନର ଡିପୋ ସୀମାଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିିତ। ସେଠାକାର ବାହାବଳପୁରରେ ନିର୍ମାଣ କରାଯାଉଥିବା ଯୁଦ୍ଧାସ୍ତ୍ର ଭଣ୍ଡାର ନିକଟରେ ପାକିସ୍ତାନ କେତୋଟି ବଙ୍କର ନିର୍ମାଣ କରିଛି। ଭାରତୀୟ ବାୟୁ ସେନାର ଆକ୍ରମଣରୁ ନିଜ ଯୁଦ୍ଧାସ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନ ଏପରି କରିଥିବା କୁହାଯାଉଛି। ସେହପରି ପାକ୍‍-ଚୀନ ଅପ୍ଟିକାଲ ଫାଇବର ପ୍ରକଳ୍ପ ଜରିଆରେ ଚୀନ ରାୱଲପିଣ୍ଡିଠାରୁ ପାକିିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟରେ ପ୍ରାୟ ୮୦୦ କିଲୋମିଟର ପର୍ଯ୍ୟନ୍ତ ଅଫ୍ଟକାଲ ଫାଇବର ନେଟୱାର୍କ ବିଛାଇଛି। ଏହାଦ୍ୱାରା ପାକିସ୍ତାନ ସେନାର ଯୋଗାଯୋଗ ବ୍ୟବସ୍ଥା ଦୃଢ ହୋଇଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନର ଆଇଏସ୍‍ଆଇ ଆତଙ୍କବାଦୀଙ୍କୁ ଥର୍ମାଲ ଇମେଜିଂ ଡିଭାଇସ୍‍ ପୋଷାକ ପ୍ରଦାନ କରିଛି। ଏହାଦ୍ୱାରା ଆତଙ୍କବାଦୀମାନେ ଅତି ସହଜରେ ଭାରତ ସୀମାକୁ ଅନୁପ୍ରବେଶ କରିପାରିବେ। ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସାହାଯ୍ୟ କରୁଥିବା ପାକିସ୍ତାନ ରେଞ୍ଜର୍ସଙ୍କୁ ମଧ୍ୟ ଏହି ଥର୍ମାଲ ଇମେଜିଂ ଡିଭାଇସ୍‍ ପୋଷାକ ପ୍ରଦାନ କରାଯାଇଛି। ପ୍ରକାଶଯୋଗ୍ୟ ଯେ ଥର୍ମାଲ ଇମେଜିଂ ଡିଭାଇସ୍‍ ଦ୍ୱାରା ଭାରତର ନାଇଟ୍‍ ଭିଜନ ଡିଭାଇସ୍‍କୁ ଚକ୍‍ମା ଦେଇ ହେବ। ରାତିରେ ଅନୁପ୍ରବେଶ ସମୟରେ ନାଇଟ୍‍ ଭିଜନ ଡିଭାଇସ୍‍ ଏଭଳି ପୋଷାକକୁ ଉତ୍ତୋଳନ କରିପାରେ ନାହିଁ। ଏହାଦ୍ୱାରା ଆତଙ୍କବାଦୀମାନେ ସେନା ଶିବରର ଅତିନିକଟକୁ ଆସି ଆକ୍ରମଣ କରିପାରିବେ ଓ ସୁରକ୍ଷା ବଳଙ୍କୁ ଚକ୍‍ମା ଦେଇ ଅନୁପ୍ରବେଶ କରିପାରିବେ।

Leave A Reply