ଅପପୁଷ୍ଟି ଓ ଶିକ୍ଷା ମାନ ହ୍ରାସ ରାଜ୍ୟ ପାଇଁ ସତର୍କ ଘଣ୍ଟି: ରାଜୀବ କୁମାର

0

ଭୁବନେଶ୍ୱର : ସାମାଜିକ ଅସମାନତା, ଅପପୁଷ୍ଟି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣାତ୍ମକ ମାନ ହ୍ରାସ ବିକାଶ ମାର୍ଗର ମୁଖ୍ୟ ପ୍ରତିବନ୍ଧକ। ପ୍ରାକୃତିକ ସମ୍ବଳରେ ଭରପୁର ତଥା ସଂସ୍କୃତି ଓ ପରମ୍ପରା ସମୃଦ୍ଧ ଓଡିଶା ଆଜି ବି ପଛୁଆ ରାଜ୍ୟ ଭାବେ ପରିଗଣିତ। ରାଜ୍ୟରେ ପ୍ରତି ଦଶ ଜଣ ଶିଶୁରେ ଚାରି ଜଣ ଅପପୁଷ୍ଟି ତଥା ବୟସାନୁପାତିକ ମାନସିକ ଅନଗ୍ରସରର ଶିକାର ଅଛନ୍ତି। ଏହା ନିଶ୍ଚିତ ଭାବେ ଏକ ସତର୍କ ଘଣ୍ଟି ବୋଲି ଭାରତ ସରକାରଙ୍କ ନିତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର କହିଛନ୍ତି। ଓଡିଶା ବିକାଶ ସମାବେଶ-୨୦୧୮ର ଉଦ୍‍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ କୁମାର କହିଛନ୍ତି ଯେ, ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ମୌଳିକ ଶିକ୍ଷାରେ ପ୍ରଦର୍ଶନ ଭିତ୍ତିକ ଉତ୍ତରଦାୟିତ୍ୱ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଏଥି ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ନିହାତି ଆବଶ୍ୟକ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମାବେଶରେ ୧୯ଟି ସମାସ୍ୟା ଭିତ୍ତିକ ସମନ୍ତରାଳ ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧି ଭାଗ ନେଇ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କୁ ତୃଣମୂଳ ସ୍ତରୀୟ ବିକାଶ ସମସ୍ୟା, ପ୍ରତିବନ୍ଧକ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ସୁଚିନ୍ତିତ ମତାମତ ଦେବାରେ ସହାୟକ ହୋଇପାରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ମାନବ ସମ୍ବଳ ବିକାଶ ଓ ସାମାଜିକ କ୍ଷେତ୍ରରେ ଅଧିକ ପାଣ୍ଠି ବିନିଯୋଗ କରି ଦକ୍ଷ ଓ କୁଶଳୀ ମାନବ ସମ୍ବଳ ବୃଦ୍ଧି କରାଯିବା ସହ ଶ୍ରମ ଭିତ୍ତିକ ଶିଳ୍ପ ଉଦ୍ୟୋଗର ବିକାଶ ଭାରତ ପାଇଁ ଏକ ମାତ୍ର ବିକଳ୍ପ ବୋଲି ରାଜୀବ କୁମାର କହିଛନ୍ତି।

ଓଡିଶା ବିକାଶ ସମାବେଶରେ ସରକାରୀ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଆଦି ଅଂଶଗ୍ରହଣ କରିବା ସହ ସରକାର ପ୍ରତିବର୍ଷ ଏହି ଭଳି ଏକ ଅନନ୍ୟ ପ୍ରୟାସ ଦ୍ୱାରା ଜନସାଧାରଣମାନଙ୍କ ମତାମତ ଗ୍ରହଣ କରିବା ଏବଂ ଏକ ନୂତନ ପରମ୍ପରା ସୃଷ୍ଟି କରିବା ଆବଶ୍ୟକ ବୋଲି କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାମାଜିକ ଅନୁଷ୍ଠାନ, ନୀତି ନିର୍ଦ୍ଧାରକ, ସରକାରୀ ଅଧିକାରୀ, ଗୋଷ୍ଠୀ ସଙ୍ଗଠନ, ବିଶ୍ୱବିଦ୍ୟାଳୟ ଆଦି ସମାଜର ପ୍ରତ୍ୟେକ ବର୍ଗର ପ୍ରତିନିଧିମାନଙ୍କ ପାଇଁ ଓଡିଶା ବିକାଶ ସମାବେଶ ଏକ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରିଛି। ଆଲୋଚନା, ସମାଲୋଚନା ଓ ସ୍ଥିତିର ତର୍ଜମା ମାଧ୍ୟମରେ ହିଁ ପ୍ରକୃତ ବିକାଶର ବାଟ ବାହାରି ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ହୁଅନ୍ତୁ କି ରାଜ୍ୟ ସରକାର ସମସ୍ତେ ଲୋକାଭିମୁଖି ଯୋଜନା ପ୍ରସ୍ତୁତ କରିଥା’ନ୍ତି; କିନ୍ତୁ କାର୍ଯ୍ୟକ୍ରମଗୁଡିକର ସଠିକ ସମୟ ତଥା ସଫଳ ରୂପାୟନ କରିବା ବିକାଶ ପ୍ରକ୍ରିୟାରେ ସବୁଠାରୁ ବଡ ଆହ୍ୱାନ। ଓଡିଶା ବିକାଶ ସମାବେଶରେ ଆଲୋଚ୍ୟ ସମସ୍ତ ବିଷୟଗୁଡିକର ନିଷ୍କର୍ସ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଡ. ରାଜେଶ୍‍ ଟଣ୍ଡନ୍‍, ସହ-ଅଧ୍ୟକ୍ଷ, ଗୋଷ୍ଠୀ ସ୍ତରୀୟ ଗବେଷଣା ଏବଂ ସାମାଜିକ ଦାୟିତ୍ୱ, ୟୁନେସ୍କୋ କହିଲେ ଯେ, ବର୍ତ୍ତମାନ ସାରା ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ତତ୍ପରତା ପ୍ରକାଶ ପାଇଛି। ଏହି ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ସହ ସାମାଜିକ ଅନୁଷ୍ଠାନ ଏବଂ ଗୋଷ୍ଠୀ ସ୍ତରର ସଂଗଠନମାନେ ମିଳିତ ଭାବେ ପ୍ରୟାସ କରିବା ଜରୁରୀ। ଓଡିଶା ବିକାଶ ସମାବେଶ ଏହି ଦିଗରେ ଏହାର ପ୍ରୟାସ ଜାରି ରଖିଛି ଏବଂ ଆଜି ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ପ୍ରତିନିଧିମାନେ ସାମିଲ ହୋଇ ଏହା ପ୍ରମାଣିତ କରିଦେଇଛନ୍ତି ଯେ ନିରନ୍ତର ବିକାଶ ଦିଗରେ ମିଳିତ ଉଦ୍ୟମ ନିହାତି ଅପରିହାର୍ଯ୍ୟ। ସମସ୍ତଙ୍କ ସହ ଆଲୋଚନା ଓ ସହଯୋଗରେ ହିଁ ନିରନ୍ତର ବିକାଶର ରୂପରେଖ ମିଳି ପାରିବ ଯାହା କେବଳ ଏହି ଭଳି ସମାବେଶ ଏବଂ ତୃଣମୂଳ ସ୍ତରରେ ଯୋଜନା ପ୍ରସ୍ତୁତି ତଥା କାର୍ଯ୍ୟାନ୍ୱୟନ ସମୟରେ ଲୋକମାନଙ୍କର ସହଭାଗୀତା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଡ. ଟଣ୍ଡନ କହିଛନ୍ତି।

ସ୍ୱାଧିନତାର ସାତ ଦଶନ୍ଧି ପରେ ରାଜ୍ୟର ଅପହଞ୍ଚ ତଥା ଆଦିବାସୀ ବହୁଳ ଜିଲ୍ଲାଗୁଡିକ ଏବେ ବି ବିକାଶର ବହୁ ଦୂରରେ। ଏହି ଅଞ୍ଚଳଗୁଡିକରେ ବିକାଶମୂଳକ କାର୍ଯ୍ୟକ୍ରମ କେବଳ ଲୋକମାନଙ୍କୁ ସଶକ୍ତିକରଣ, ସଚେତନ ଓ ସେମାନଙ୍କର ସହଭାଗିତାରେ ସମ୍ଭବ ହୋଇପାରିବ। କେବଳ ପଞ୍ଚାୟତିରାଜ ଆଇନ କରିଲେ ବିକାଶ ହୋଇପାରିବ ନାହିଁ, ଲୋକମାନଙ୍କୁ ଏହି ଆଇନ ସମ୍ବନ୍ଧରେ ସଚେତନ କରିବା ସହ ଏହାର ସଫଳ ରୂପାୟନ କରାଯିବା ଆବଶ୍ୟକ। ଲୋକମାନଙ୍କର ସହଭାଗିତା ପାଇଁ ଗ୍ରାମସଭା ଓ ପଲ୍ଲୀସଭା ଭଳି ପଞ୍ଚାୟତି ରାଜରେ ବ୍ୟବସ୍ଥା ରହିଛି ତେଣୁ ଏଗୁଡିକୁ ସଶକ୍ତକରି ସମସ୍ତଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଇ ପାରିଲେ ବାସ୍ତବ ବିକାଶ ସମ୍ଭବ ବୋଲି ପଦ୍ମଶ୍ରୀ ତଥା ସମାଜ ସଂସ୍କାରକ ତୁଳସୀ ମୁଣ୍ଡା କହିଛନ୍ତି। ଏହି ଉଦ୍‍ଘାଟନୀ ଉତ୍ସବରେ ବିଭିନ୍ନ କ୍ଷେତ୍ରର ବାସ୍ତବ ସ୍ଥିତି ସମ୍ବଳିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଚଳିତ ବର୍ଷର ସମାବେଶ ପ୍ଲାଷ୍ଟିକ୍‍ ମୁକ୍ତ ଏବଂ ଭିନ୍ନକ୍ଷମମାନଙ୍କ ସହଜଲଭ୍ୟତାକୁ ନିଶ୍ଚିତ କରିବା ପାଇଁ ଚେଷ୍ଠାକରାଯାଇଛି ବୋଲି ଓଡିଶା ବିକାଶ ସମାବେଶ ଆବାହକ ଏବଂ ସିୱାଇଏସ୍‍ଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ ସ୍ୱାଗତ ଅଭିଭାଷଣରେ ସୂଚନା ପ୍ରଦାନ କରିଥିଲେ। ସ୍ୱାଭିମାନର ସାଧାରଣ ସମ୍ପାଦକ ଡ. ଶ୍ରୁତି ମହାପାତ୍ର ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply