ମହାମେଣ୍ଟର ଭିତ୍ତି: ଏକାଠି ହେଲେ ପ୍ରମୁଖ ବିରୋଧୀ

0

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୧୭ ରାଜନୈତିକ ଦଳର ନେତାଙ୍କ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ପ୍ରସ୍ତାବିତ ମହାମେଣ୍ଟର ଭିତ୍ତି ବୋଲି କୁହାଯାଉଛି। ବୈଠକରେ ଦୁଇ ଦଳର ଆକସ୍ମିକ ଆବିର୍ଭାବ ଘଟିଥିବା ବେଳେ ଦୁଇଟି ଦଳ ଯୋଗ ଦେଇନାହାନ୍ତି। ଅପରପକ୍ଷରେ ବିରୋଧୀଙ୍କ ଏହି ମେଣ୍ଟକୁ ନେଇ ବିଜେପି କଟାକ୍ଷ କରିଛି।
ମହାମେଣ୍ଟ ବୈଠକରେ ଆମ୍‍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ ଯୋଗ ଦେଇଛନ୍ତି। କଂଗ୍ରେସର ଦୃଢ଼ ବିରୋଧୀ ଭାବେ ଜଣାଶୁଣା କେଜ୍‍ରିୱାଲ୍‍ଙ୍କ ଇତିମଧ୍ୟରେ ବିଜେପି ସହିତ ମତାନ୍ତର ତୀବ୍ର ହୋଇଛି। ମୁଖ୍ୟତଃ ଦିଲ୍ଲୀରେ ଆଇନ ଶୃଙ୍ଖଳା ଓ ଯୋଜନା ରୂପାୟନରେ ସ୍ୱାଧୀନତା ସଂକୋଚନ ଆଦି ପ୍ରସଙ୍ଗରେ କେଜ୍‍ରିୱାଲ୍‍ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେପି ଶାସନାଧୀନ କେନ୍ଦ୍ର ସରକାର ଓ ଦିଲ୍ଳୀର ଆପ୍‍ ସରକାର ସହିତ ଅନେକ ପ୍ରସଙ୍ଗରେ ଅସହମତି ରହିଛି। ତେଣୁ କେଜ୍‍ରିୱାଲ୍‍ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ପ୍ରସ୍ତାବିତ ମହାମେଣ୍ଟରେ ଯୋଗ ଦେଇଛନ୍ତି। ସେହିପରି ଆଜି ହିଁ ଏନ୍‍ଡିଏ ଛାଡ଼ିଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର ଖୁସ୍‍ୱା ବୈଠକରେ ଯୋଗ ଦେଇଛନ୍ତି।
ଆସନ୍ତା ଲୋକସଭା ନିର୍ବାଚନରେ ବିହାରରେ ଆସନ ବୁଝାମଣାରେ ଅସନ୍ତୁଷ୍ଟ ଥିବାରୁ ସେ ଏନ୍‍ଡିଏ ଛାଡ଼ିଛନ୍ତି। ଅପରପକ୍ଷରେ ଯେଉଁ ମୁଖ୍ୟ ଦୁଇ ଦଳକୁ ନେଇ ମହାମେଣ୍ଟର ପରିକଳ୍ପନା କରାଯାଇଥିଲା ସେହି ଦୁଇ ଦଳ ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ଦୁଇଟି ଦଳ ହେଉଛନ୍ତି ଉତ୍ତରପ୍ରଦେଶର ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ନେଇ ଉଭୟ ସପା ଓ ବିଏସ୍‍ପି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି କଂଗ୍ରେସର ଭୁଲ୍‍ ନୀତି ଯୋଗୁଁ ବିଜେପି କ୍ଷମତାକୁ ଆସିଥିବା ଏସ୍‍ପି ମୁଖ୍ୟ ଅଖିଳେଶ ଯାଦବ ଗତ ମାସରେ କହିଥିବା ବେଳେ ମେଣ୍ଟ ପାଇଁ ଚୁକ୍ତି ହୋଇନଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ।
ବୈଠକରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡ. ମନମୋହନ ସିଂହ, ଅହମ୍ମଦ ପଟେଲ, ଏ କେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ଅଶୋକ ଗେହଲଟ୍‍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ସୁପ୍ରିମୋ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ, ନ୍ୟାଶ୍‍ନାଲ୍‍ କନ୍‍ଫେରେନ୍ସ ମୁଖ୍ୟ ଫାରୁକ୍‍ ଅବଦୁଲ୍ଳା, ସିପିଏମ୍‍ ନେତା ସୀତାରାମ୍‍ ୟେଚୁରୀ, ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଅଜିତ ସିଂହ, ଏନ୍‍ସିପି ମୁଖ୍ୟ ଶରଦ ପାୱାର, ଜେଡିଏସ୍‍ ମୁଖ୍ୟ ଦେବେଗୌଡ଼ା, ଡିଏମ୍‍କେ ମୁଖ୍ୟ ଏମ୍‍ କେ ଷ୍ଟାଲିନ୍‍, କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍‍, ପୂର୍ବତନ ଜେଡିୟୁ ନେତା ଶରଦ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇର ଡି ରାଜା, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ବାବୁଲାଲ୍‍ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।
ଅପରପକ୍ଷରେ ପ୍ରସ୍ତାବିତ ମହାମେଣ୍ଟକୁ ନେଇ ବିଜେପି କଟାକ୍ଷ କରିଛି। ମହାମେଣ୍ଟ ଗଠନ ପୂର୍ବରୁ ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ମୋଦୀଙ୍କ ବିକଳ୍ପ କିଏ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭାର୍ଗ୍ୟ କହିଛନ୍ତି।

Leave A Reply