ଅନଲାଇନରେ ନିଶା ସାମ୍ରାଜ୍ୟ: ଆମେରିକା ଓ ଜର୍ମାନୀରୁ ଆସୁଥିଲା ସାମଗ୍ରୀ; ବିଟ କଏନରେ ଆଡଭାନ୍ସ

0

ନୂଆଦିଲ୍ଲୀ: ଇଣ୍ଟରନେଟର ବ୍ୟବହାର କରି ଅନଲାଇନରେ ବିଦେଶରୁ ନିଶା କିଣି ଭାରତରେ ବ୍ୟବସାୟ କରୁଥିବା ୨ ଯୁବକଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ଦୁଇ ଯୁବକଙ୍କ ନେତୃତ୍ୱରେ ଏକ ଗ୍ୟାଙ୍ଗ କାଲିଫର୍ଣ୍ଣିଆ ଓ ବର୍ଲିର୍ନରୁ ଏହି ନିଶା ମାଦକ ଦ୍ରବ୍ୟ ମଗାଉଥିଲେ। ବିଦେଶରୁ ମଗାଯାଉଥିବା ଏହି ବିଦେଶୀ ମାଦକ ଦ୍ରବ୍ୟର ମୂଲ୍ୟ ଭାରତୀୟ ବଜାରରେ ମିଳୁଥିବା ମାଦକ ଦ୍ରବ୍ୟ ତୁଳନାରେ ୫୦ ପ୍ରତିଶତ ଅଧିକ। ଅତିରିକ୍ତ କମିଶନର(ଅପରାଧ) ରାଜୀବ ରଞ୍ଜନଙ୍କ ସୂଚନା ଅନୁଯାୟୀ ଏହି ମାଦକ ଦ୍ରବ୍ୟଗୁଡ଼ିକ କ୍ରୟ ମୁଖ୍ୟତଃ ଡାର୍କ ୱେବ ସହଯୋଗରେ ଏହି କିଣା ବିକା ହେଉଥିଲା। ତେଣୁ ଏହି ଯୁବକଙ୍କ ପରିଚୟ ମିଳି ପାରୁ ନଥିଲା। ଏପରିକି ମାଦକ ଦ୍ରବ୍ୟ ବିନିମୟରେ ନିଶା କାରବାରୀ କାର୍ଡ଼ କିମ୍ବା ଅନଲାଇନ ପେମେଣ୍ଟ ନକରି ବିଟକଏନ ମୁଦ୍ରାର ବ୍ୟବହାର କରୁଥିଲେ। ଫଳରେ ସେମାନଙ୍କ ପରିଚୟ ଗୁପ୍ତ ରହୁଥିଲା। ଏପରିକି ସେମାନଙ୍କ ଆଇପି ଆଡ୍ରେସ ଓ ଲୋକେସନ ମଧ୍ୟ ଜାଣିବା ଅସମ୍ଭବ ହେଉଥିଲା। ଏହି ମାଦକ ଦ୍ରବ୍ୟ କେବଳ ବିଶ୍ୱସ୍ତ ଗ୍ରାହକଙ୍କୁ ପ୍ରଦାନ କରାଯାଉ ଥିଲା। ମାଦକ ଦ୍ରବ୍ୟ ବିକ୍ରି ମୁଖ୍ୟତଃ ହାଇକ, ଇନ୍‍ଷ୍ଟାଗ୍ରାମ, ସ୍ନାପଚାଟ୍‍, ଆଇଏମଓ ପରି ଆପ୍‍ ଦ୍ୱାରା ହେଉଥିଲା। ସେହିପରି ପେମେଣ୍ଟ ମଧ୍ୟ ବିଟକଏନ ମାଧ୍ୟମରେ ଆଡଭାନ୍ସ ନିଆଯାଉ ଥିଲା।
ଏହି ନେଟୱାର୍କରେ ଜଣେ ବିଶ୍ୱସ୍ତ ଗ୍ରାହକ ଅନ୍ୟଜଣେ ଗ୍ରାହକଙ୍କୁ ନେଟୱାର୍କରେ ସାମିଲ କରୁଥିଲେ। ଏହା ସତ୍ତେ୍ୱ ଯଦି କୌଣସି ଗ୍ରାହକଙ୍କ ଉପରେ ସନ୍ଦେହ ହେଉଥିଲା ନିଶା ସାମ୍ରାଜ୍ୟର ମୁଖିଆ ଉକ୍ତ ଗ୍ରାହକଙ୍କୁ ବ୍ଲକ କରି ଦେଉଥିଲେ। ଏପରିକି ତାଙ୍କୁ ପରିଚିତ କରୁଥିବା ବିଶ୍ୱସ୍ତ ଗ୍ରାହକଙ୍କୁ ମଧ୍ୟ ନେଟୱାର୍କରୁ ବାହାର କରି ଦିଆଯାଉ ଥିଲା।
ଗିରଫ ହୋଇଥିବା ୨ ଯୁବକଙ୍କ କଲ ରେକର୍ଡ଼ ଅନୁଯାୟୀ ଏହି ନେଟୱାର୍କ କେବଳ ଦିଲ୍ଲୀ, ମୁମ୍ବଇ, କଲକାତା, ଗୋଆ, ଚଣ୍ଡିଗଡ଼, ପୁନେ ପରି ସହରରେ ବ୍ୟାପିଥିଲା। ସାହିଲ କାଦୟାନ(୨୫) ଇଦ୍ରପୁରୀ ଅଞ୍ଚଳ ନିବାସୀ ହୋଇଥିବାବେଳେ ସେ ବିଗତ ୪/୫ବର୍ଷ ଧରି ଚରସ ଓ ମାରିଜୁଆନା ପରି ନିଶା ସେବନ କରୁଛି। ଦିଲ୍ଲୀସ୍ଥିତ ସୁଭାଷ ନଗରରେ ଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ସହ ମିଶି ସାହିଲ ମଡେଲ ଟାଉନର ଅନ୍ୟଜଣେ ବ୍ୟକ୍ତିଙ୍କ ସାକ୍ଷାତ ହୋଇଥିଲା। ଏହି ବ୍ୟକ୍ତି ଆମେରିକାରୁ ମାରିଜୁଆନା ଇଣ୍ଟରନେଟ ଦ୍ୱାରା ମଗାଉ ଥିଲା। ନିଶା ସେବନ କରିବା ସହ ଇଣ୍ଟରନେଟ ଦ୍ୱାରା ଏହି ନିଶା ବିଦେଶରୁ ମଗାଇବା ପ୍ରକ୍ରିୟା ଶିଖିବା ପରେ ସାହିଲ ନିଜେ ଏହି ବ୍ୟବସାୟ ଆରମ୍ଭ କରି ଦେଇଥିଲା। ଗିରଫ ହୋଇଥିବା ଅନ୍ୟ ଯୁବକ ଜଣକ ପଶ୍ଚିମ ଦିଲ୍ଲୀର ରିଦ୍ଦିମ(୨୨)। ସେ ସାହିଲର ସହପାଠୀ ହେବା ସହ ଏବେ କଲେଜ ପାଠ ଅଧାରେ ଛାଡ଼ି ଏହି ବ୍ୟବସାୟରେ ଅର୍ଥ ବିନିଯୋଗ କରିଥିଲା।

Leave A Reply