ରଣଜୀ ଟ୍ରଫି ; ବିଜୟଲକ୍ଷ୍ୟ ୨୧୫, ଓଡିଶା ୫/୧୧୧

0

କଟକ : ଟାଙ୍ଗୀସ୍ଥିତ ଡ୍ରିମ୍‍ସ ଗ୍ରାଉଣ୍ଡରେ ଘରୋଇ ଓଡିଶା ଓ ତ୍ରିପୁରା ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍‍-ସି ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ମଜଭୁତ ସ୍ଥିତିରେ ଥିବା ଓଡ଼ିଶା ତୃତୀୟ ଦିନରେ ବିଜୟ ପାଇଁ ସଂଘର୍ଷ ଜାରି ରଖିଛି। ତ୍ରିପୁରା ଦ୍ୱିତୀୟ ଇନିଂସରେ ୩୦୪ ରନରେ ଅଲଆଉଟ ହେବାସହିତ ଓଡ଼ିଶା ସମ୍ମୁଖରେ ୨୧୫ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାକୁ ପିଛା କରିବାକୁ ଯାଇ ଓଡ଼ିଶା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୫ ୱିକେଟ ବିନିମୟରେ ୧୧୧ ରନ କରିଛି। ଦଳର ପାଞ୍ଚଜଣ ପ୍ରମୁଖ ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଯାଇଥିବାବେଳେ ଦଳର ବିଜୟ ଆଶା ବର୍ତ୍ତମାନ ଦୁଇ ଅପରାଜିତ ବ୍ୟାଟସମ୍ୟାନ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି। ହାତରେ ୫ଟି ଦ୍ୱିତୀୟ ଇନିଂସ ୱିକେଟ ଥାଇ ଓଡ଼ିଶା ବିଜୟ ପାଇଁ ଆହୁରି ୧୦୪ ରନ ଆବଶ୍ୟକ କରୁଛି।
୨୧୫ ରନ୍‍ର ବିଜୟଲକ୍ଷ୍ୟ ଏତେଟା କଷ୍ଟସାଧ୍ୟ ଜଣାପଡୁନଥିଲେ ସୁଦ୍ଧା ତ୍ରିପୁରା ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ ଓଡ଼ିଶାକୁ ଏଭଳି ସ୍ଥିତି ଭୋଗିବାକୁ ପଡିଛି। ୨୩ ରନରେ ଅନୁରାଗ ଷଡଙ୍ଗୀ (୩) ଓ ଗୋବିନ୍ଦ ପୋଦ୍ଦାରଙ୍କ (୦) ୱିକେଟ ହରାଇ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅନ୍ୟତମ ଓପନର ରାଜେଶ ଧୁପର ଓ ଶୁଭ୍ରାଂଶୁ ସେନାପତି ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୩ୟ ୱିକେଟ ପାଇଁ ୫୧ ରନ ସଂଗ୍ରହ କରିଥିଲେ। ଧୁପର ବ୍ୟକ୍ତିଗତ ୩୭ ରନ କରି ଆଉଟ ହେବାଫଳରେ ଏହି ଯୋଡି ଭାଙ୍ଗିଯାଇଥିଲା। ଧୁପରଙ୍କ ପ୍ରସ୍ଥାନ ପରେ ଆଉ ୫ ରନ ମଧ୍ୟରେ ଦଳ ଅଧିନାୟକ ବିପ୍ଳବ ସାମନ୍ତରାୟ (୩) ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ (୦) ୱିକେଟ ହରାଇଥିଲା। ୭୯ ରନରେ ୫ଟି ୱିକେଟର ପତନ ଓଡ଼ିଶାର ଅଭିଯାନକୁ ବାଧାପ୍ରାପ୍ତ କରିଥିଲା। ତେବେ ଅଭିଷେକ ରାଉତଙ୍କଠାରୁ ଆବଶ୍ୟକ ସହଯୋଗ ପାଇ ଶୁଭ୍ରାଂଶୁ ୬ଷ୍ଠ ୱିକେଟ ପାଇଁ ଅବିଭାଜିତ ୩୨ ରନ ସଂଗ୍ରହ କରିଛନ୍ତି। ଷ୍ଟମ୍ପ ଅପସାରଣ ସମୟରେ ଶୁଭ୍ରାଂଶୁ ୪୩ ଓ ଅଭିଷେକ ୨୦ ରନରେ ଅପରାଜିତ ଅଛନ୍ତି। ତ୍ରିପୁରା ପକ୍ଷରୁ ମୁରା ସିଂହ ୩୭ ରନରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଏ.ଏସ.ସରକାରଙ୍କୁ ଗୋଟିଏ ୱିକେଟ ମିଳିଛି।
ତ୍ରିପୁରା ପୂର୍ବଦିନ ସ୍କୋର ୫/୧୩୦ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ପ୍ରତ୍ୟୁଷ ସିଂହଙ୍କୁ (୩୨) ଆଉଟ କରି ରାଜେଶ ଓଡ଼ିଶା ପାଇଁ ଦିନର ପ୍ରଥମ ସଫଳତା ଆଣିଥିଲେ। ଦଳୀୟ ସ୍କୋର ୧୭୭ ରନରେ ରାଣା ଦତ୍ତ ୨୯ ରନ କରି ସପ୍ତମ ଖେଳାଳିଭାବେ ଆଉଟ ହେବାପରେ ଓଡ଼ିଶା ବୋଲର ଉତ୍ସାହିତ ହୋଇପଡିଥିଲେ। ତେବେ ମୁରା ସିଂହ ଓ ହରମିତ ସିଂହ ଚମତ୍କାର ବ୍ୟାଟିଂ କରି ଓଡ଼ିଶା ବୋଲରଙ୍କୁ ନିରାଶ କରିବା ସହ ୮ମ ୱିକେଟ ପାଇଁ ମୂଲ୍ୟବାନ ୮୪ ରନ ସଂଗ୍ରହ କରିଥିଲେ। ହରମିତ ୪୨ ରନ କରି ଆଉଟ ହେବାରୁ ଏହି ଯୋଡି ଭାଙ୍ଗିଯାଇଥିଲା। ମୁରା ସିଂହ ଦଳ ପକ୍ଷରୁ ସର୍ବାଧିକ ୭୫ ରନ କରି ଆଉଟ ହେବାପରେ ତ୍ରିପୁରା ଦ୍ୱିତୀୟ ଇନିଂସରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ସାତଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିବାବେଳେ ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଛନ୍ତି।

Leave A Reply