ବିଧାନସଭା, ସଂସଦରେ ମହିଳା ସଂରକ୍ଷଣ ୩୩%

0

ଭୁବନେଶ୍ୱର : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଧାସଭାରେ ମଙ୍ଗଳବାର ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ(୩୩%) ସଂରକ୍ଷଣ ନେଇ ସର୍ବସମ୍ମତ ସଙ୍କଳ୍ପ ପାରିତ କରିଛି। ଏହା କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟକୁ ପଠାଯିବ। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ବିଧାନସଭାରେ ଅତିକମରେ ୪୯ଟି ଆସନରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଙ୍କଳ୍ପ ଆଣି କହିଥିଲେ, ମହିଳା ସଶକ୍ତୀକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମହିଳାଙ୍କ ସଶକ୍ତୀକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ବା ଦେଶ ଆଗକୁ ବଢ଼ିପାରିବ ନାହିଁ। ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ନିମନ୍ତେ ରାଜ୍ୟ ସରାକର ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି। ବିଧାନସଭା ଓ
ସଂସଦରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସଙ୍କଳ୍ପକୁ ସର୍ବସମ୍ମତକ୍ରମେ ପାରିତ କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ ଯେ ମହିଳା ଆରକ୍ଷଣ ବିଧେୟକ ୧୯୯୬ରେ ଏଚ.ଡି.ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ଥିବା ବେଳେ ସଂସଦରେ ଆଗତ ହୋଇଥିଲା। ପରବର୍ତ୍ତୀ ସମୟରେ ଉପା ସରକାର ସମୟରେ ସମ୍ବିଧାନର ୧୦୮ତମ ସଂଶୋଧନ ଆଣି ପୁନଃ ଏହି ବିଧୟକ ଆଗତ କରାଯାଇଥିଲା। ୨୦୧୦ ମାର୍ଚ୍ଚରେ ଏହା ରାଜ୍ୟସଭାରେ ପାରିତ ହୋଇଥିଲେ ହେଁ ଲୋକସଭାରେ ଅଟକି ରହିଥିଲା ଓ ୨୦୧୪ରେ ବିଧେୟକର ଅବଧି ପୂରିଯାଇଥିଲେ ହେଁ ପାରିତ ହୋଇପାରିନଥିଲା। ଆଗାମୀ ଡିସେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନ ସମୟରେ ମୋଦୀ ସରକାର ଏହାକୁ ଲୋକସଭାରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହି ସଙ୍କଳ୍ପକୁ ପାରିତ କରିବା ନିଶ୍ଚିିତଭାବେ ଗୁରୁତ୍ୱପୂର୍ଣ୍ଣ।
ମୁଖ୍ୟମନ୍ତ୍ରୀ କହିଥିଲେ, ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ଏକ ଗୁରତ୍ୱପୂର୍ଣ୍ଣ ବିଷୟ ଭାବେ ସ୍ଥାନିତ ହୋଇଛି। ବିଜୁବାବୁ ଥିଲେ ମହିଳା ସଶକ୍ତୀକରଣର ପ୍ରକୃତ ଅଗ୍ରଦୂତ। ୧୯୯୨ ମସିହାରେ ପଞ୍ଚାୟତ ଓ ପୌର ସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସେମାନଙ୍କୁ ରାଜନୈତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିଥିଲେ। ଆମର ମା ଓ ଭଉଣୀମାନେ ଯେଭଳି ଦକ୍ଷତାର ସହ ପରିବାର ଚଳାଉଛନ୍ତି ସେହିଭଳି ଦକ୍ଷତାର ସହ ସେମାନେ ପଞ୍ଚାୟତ ସମିତି ଓ ଜିଲା ପରିଷଦକୁ ସଫଳ ପରିଚାଳନା କରିପାରିବେ ବୋଲି ବିଜୁ ବାବୁ କହିଥିଲେ। ଏହାପରେ ବିଜେଡି ସରକାର ପଞ୍ଚାୟତ ଓ ପୌର ସଂସ୍ଥାରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ୫୦%କୁ ବୃଦ୍ଧି କରିଛି। ୨୦୦୧ରେ ଆମେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଆଜି ଏହା ଏକ ଆନ୍ଦୋଳନାରେ ପରିଣତ ହୋଇଛି। ୬ ଲକ୍ଷ ଗୋଷ୍ଠୀର ୭୦ଲକ୍ଷ ମହିଳା ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଜୀବନରେ ପରିବର୍ତ୍ତନର ବାର୍ତ୍ତାବହ ହୋଇଛନ୍ତି। ମହିଳାଙ୍କ ପ୍ରତିିଧିତ୍ୱ ବଢ଼ିଲେ ନୂଆ ଓଡ଼ିଶା ଅଧିକ ଗତିରେ ଦୃଢ଼ ଭାବେ ଆଗକୁ ବଢ଼ିପାରିବ। ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା। ସେମାନେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କରୁଥିବା ଅନୁଷ୍ଠାନରେ ସେମାନଙ୍କ ଭୂମିକା ନିର୍ବାହ କରିବା ସୁଯୋଗ ପାଇପାରିବେ। ମୋ ସରକାର ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ୫୦%କୁ ବୃଦ୍ଧି କରିଛି। ବାସ୍ତବରେ ସେମାନଙ୍କ ଯେଗାଦାନ ୫୦%ରୁ ଅଧିକ ଥିବା ସେ କହିଛନ୍ତି।
ଏହି ସଙ୍କଳ୍ପ ମାଧ୍ୟମରେ ଓଡ଼ିଶା ସାରା ଦେଶକୁ ତାର ଦୃଢ଼ ସଙ୍କଳ୍ପ ଓ ପ୍ରତିବଦ୍ଧତା ଜଣାଇବାକୁ ଚାହେଁ ଯେ ଓଡ଼ିଶା ମାଟିରେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର୍ର ନିର୍ମାଣରେ ସେମାନଙ୍କ ଭୂମିକା ସଫଳଭାବେ ନିର୍ବାହ କରିପାରୁଛନ୍ତି। ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ମୋ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛି। ମିଶନଶକ୍ତି, ମମତା, ବାଳିକା ଶିକ୍ଷା, ମିଶନଶକ୍ତି ଗ୍ରୁପକୁ ୧ ପ୍ରତିଶତ ସୁଧରେ ଋଣ, ୫ଲକ୍ଷ ବାଳିକାଙ୍କ ପାଇଁ ଛାତ୍ରୀ ନିବାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଜାନାରେ ମହିଳାଙ୍କ ଚିକିତ୍ସା ପାଇଁ ସହାୟତା ରାଶି ୭ଲକ୍ଷ ଟଙ୍କାକୁ ବୃଦ୍ଧି ଏବଂ ମହିଳାଙ୍କ ଭୂମି ଅଧିକାର ଆଦି ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି। ଏହା ରାଜ୍ୟର ଲକ୍ଷ୍ୟ ଲକ୍ଷ୍ୟ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିବା ସେ ସୂଚନା ଦେଇଥିଲେ।
ସଙ୍କଳ୍ପ ଉପରେ ଆଲୋଚନାରେ ଭାଗ ନେଇ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ସଙ୍କଳ୍ପ ଆଣିଛନ୍ତି। ନର୍ବାଚନରେ ବିଜେଡି ୩୩% ଆସନରେ ମହିଳା ପ୍ରାର୍ଥୀ ଦେବ ବୋଲି ପ୍ରଥମେ ଘୋଷଣା କରିବାକୁ ସେ ଦାବି କରିଥିଲେ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ, ତାଙ୍କ ଦଳ ଏହି ସଙ୍କଳ୍ପକୁ ସମର୍ଥନ ଦେଉଛି। ମୁଖ୍ୟମନ୍ତ୍ରୀ ଯଦି ମହିଳାଙ୍କ ପ୍ରତିନିଧିତ୍ୱ ପ୍ରତି ଏତେ ଗୁରୁତ୍ୱ ଦେଉଛନ୍ତି ତେବେ ଚଳିତ ବିଧାନସଭାର ପ୍ରଥମ ଅଧିବେଶନରୁ ସଙ୍କଳ୍ପ ନଆଣି ଶେଷ ଅଧିବେଶନରେ କାହିଁକି ଆଣୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପ୍ରଦୀପ ପୁରୋହିତ, ରବିନାରାୟଣ ନାୟକ, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପଦ୍ମନାଭ ବେହେରା, ପ୍ରମିଳା ମଲ୍ଲିକ, ବେଦପ୍ରକାଶ ଅଗ୍ରୱାଲ, ମହେଶ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Leave A Reply