ଅନୁଦାନ ଅର୍ଥ ବ୍ୟୟରେ ଓଡ଼ିଶା ପଛୁଆ

0

ନୂଆଦିଲ୍ଲୀ : ଓଡ଼ିଶାରେ ସଂଖ୍ୟାଲଘୁଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବହୁ କ୍ଷେତ୍ରୀୟ ବିକାଶ ଯୋଜନାରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ବ୍ୟୟ କମ୍‍ ରହିଛି। ଦ୍ୱାଦଶ ଯୋଜନା କାଳରେ ଓଡ଼ିଶା ସରକାର ମାତ୍ର ୨୩.୦୩ ପ୍ରତିଶତ ଅର୍ଥ ବ୍ୟୟକରି ଦେଶରେ ୧୮ତମ ସ୍ଥାନରେ ରହିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ କମ୍‍ ଯୋଜନା ବ୍ୟୟ ନେଇ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ସଂସଦୀୟ ଷ୍ଟାଣ୍ଡିଂ କମିଟି ଉଦ୍‍ବେଗ ପ୍ରକାଶ କରିଛନ୍ତି। ଓଡ଼ିଶା ସମେତ କମ ଖର୍ଚ୍ଚ କରିଥିବା ଆସାମ, ମଣିପୁର, ହରିଆଣା, କର୍ଣ୍ଣାଟକ ଓ ତେଲେଙ୍ଗାନା ସରକାରଙ୍କ ସହ କେନ୍ଦ୍ର ସରକାର ଯୋଗସୂତ୍ର ରଖି ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ସମସ୍ୟାକୁ ଦୂର କରିବା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛନ୍ତି।
ଜମି ବିବାଦ, ଟେଣ୍ଡରରେ ବିଳମ୍ବ, ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକୁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ମୁଖ୍ୟତଃ ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ଡେରି ହେଉଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଷ୍ଟାଣ୍ଡିଂ କମିଟି ଜାଣିବାକୁ ପାଇଛି। ତଥ୍ୟ ଅନୁଯାୟୀ ଦ୍ୱାଦଶ ଯୋଜନା କାଳରେ ଓଡ଼ିଶାରେ ୪୭୦୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ସେଥିମଧ୍ୟରୁ ମାତ୍ର ୧୯୦୪ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। କେନ୍ଦ୍ର ସରକାର ଦ୍ୱାଦଶ ଯୋଜନା କାଳରେ ପ୍ରକଳ୍ପ ବାବଦକୁ ୬୭.୧୧ କୋଟି ଟଙ୍କା ମଞ୍ଜୁର କରିଥିଲେ। କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୯.୪୮ କୋଟି ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ପ୍ରକଳ୍ପ ଖର୍ଚ୍ଚ ବାବଦକୁ ମାତ୍ର ୯.୦୯ କୋଟିର ଖର୍ଚ୍ଚପତ୍ର(ୟୁସି) କେନ୍ଦ୍ର ସରକାରଙ୍କୁ ମିଳିଛି। ତେବେ ଏକାଦଶ ଯୋଜନା କାଳରେ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଖୁବ୍‍ ଭଲ ରହିଥିଲା। ଓଡ଼ିଶା ସରକାର ୯୯.୮୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜ୍ୟ ସରକାର ସେତେବେଳେ ୨୫.୫୮ କୋଟି ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ। ଗତ ଆର୍ଥିକବର୍ଷ ୨୦୧୭-୧୮ରେ ଏହି ଯୋଜନାରେ ଓଡ଼ିଶାର କୌଣସି ପ୍ରକଳ୍ପକୁ ମଞ୍ଜୁର କରାଯାଇନାହିଁ ଏବଂ ପ୍ରକଳ୍ପ ବାବଦକୁ ରାଜ୍ୟକୁ ଅନୁଦାନ ଦିଆଯାଇନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରାଣଳୟ ତଥ୍ୟରୁ ଜଣାପଡ଼ିଛି। ପଚିଶ ପ୍ରତିଶତରୁ ଅଧିକ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଓ ପାର୍ସୀ ସଂପ୍ରଦାୟ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଆଦି ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ମଲ୍ଟି ସେକ୍ଟରାଲ ଡେଭଲପମେଣ୍ଟ ଯୋଜନା ପ୍ରଣୟଣ କରିଥିଲେ। ଏବେ ଏହି ଯୋଜନା ପ୍ରଧାନମନ୍ତ୍ରୀ ଜନବିକାଶ ଯୋଜନା ନାମରେ ନାମିତ ହୋଇଛି। ଗଜପତି ଜିଲାର ମୋହନା, ନୁଆଗଡ଼, ଆର ଉଦୟଗିରି, ଗୁମା, କାଶିନଗର, ସୁନ୍ଦରଗଡ଼ ଜିଲାର ବାଲିଶଙ୍କର, ସବଡେଗା, ବଡ଼ଗାଁ, କୁତ୍ରା, ନୂଆଗାଁ, ରାଜଗାଙ୍ଗପୁର, ଗୁରୁଣ୍ଡିଆ, କୁଆଁରମୁଣ୍ଡା, କନ୍ଧମାଳ ଜିଲାର ଦାରିଙ୍ଗବାଡି, କୋଟଗଡ଼, ରାୟଗଡ଼ା ଜିଲାର ଗୁଣୁପୁର, ଚନ୍ଦ୍ରପୁର ଓ ଭଦ୍ରକ ଜିଲାର ଭଦ୍ରକ ପୌରାଞ୍ଚଳ ଓ ବ୍ଲକ ଅଞ୍ଚଳରେ ମଲ୍ଟି ସେକ୍ଟରାଲ ଡେଭଲପମେଣ୍ଟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଜନବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି।

Leave A Reply