ବିବାହ ପରେ ବିଦେଶ ପଳାଉଥିବା ଏନଆରଆଇଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ!

0

ନୂଆଦିଲ୍ଲୀ : ବିବାହ ପରେ ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇ ଫେରୁନଥିବା ଏନ୍‍ଆରଆଇଙ୍କ ଭାରତରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବୋଲି କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରକାଶ କରିଛନ୍ତି। ଏହି ନୂଆ ଆଇନର ନାମ ବାହାରେ ରହୁଥିବା ଲୋକଙ୍କ ବିରୋଧରେ ପରୱାନା (ୱାରେଣ୍ଟ ଏଗନେଷ୍ଟ ପିପୁଲ୍ସ ଲିଭଂ ଆବ୍ରୋଡ) ରଖାଯାଇଛି। ସଂସଦର ଚଳିତ ଅଧିବେଶନରେ ଏହି ବିଧେୟକକୁ ଆଗତ କରିବା ପାଇଁ ବିଦେଶ ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି। ଯଦି ଚଳିତ ଅଧିବେଶନରେ ଏହା ଆଗତ ହୋଇ ନ ପାରେ ତେବେ ଆସନ୍ତା ଅଧିବେଶନରେ ଏହା ଆଗତ ହେବ। ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଦ୍ୱାରା ଶୁକ୍ରବାର ଏନ୍‍ଆରଆଇ ବିବାହ ଏବଂ ମହିଳା ଚାଲଣ ଶୀର୍ଷକ ବିଷୟ ଉପେର ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ସୁଷମା ଏହି ସୂଚନା ଦେଇଛନ୍ତି। ସେ ଏହି ସମ୍ମିଳନୀରେ କହିଥିଲେ ଯେ ବିଦେଶରେ ରହୁଥିବା କୌଣସି ଭାରତୀୟଙ୍କୁ ସମନ୍‍ ଜାରି ହେଲେ ସେ ନେଇ ସୂଚନା ମନ୍ତ୍ରାଳୟର ସରକାରୀ ୱେବସାଇଟ୍‍ରେ ପ୍ରକାଶ କରାଯିବ। ଏଠାରେ ବିବାହ କରି ବିଦେଶ ପଳାଉଥିବା ଲୋକେ ସେଠାରେ ନିଜର ଠିକଣା, ଇମେଲ ଏବଂ ଫୋନ୍‍ ନମ୍ବର ବଦଳାଇ ଦେଉଛନ୍ତି। ଏହାକୁ ଧ୍ୟାନରେ ରଖି ୱେବସାଇଟ୍‍ ପ୍ରସ୍ତୁତ କରାଯାଇଛି। ପଳାତକ ବରର ଭାରତରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ସହମ୍ମତି ଜଣାଇଛନ୍ତି। ଉଲ୍ଲେଖ ଯେ କେବଳ ପଞ୍ଜାବର ୧୫ ହଜାର ମହିଳା ଏନ୍‍ଆଆଇଙ୍କୁ ବିବାହ କରି ଫସିଛନ୍ତି। ସେମାନଙ୍କ ବର ଆଉ ବିଦେଶରୁ ଫେରୁନାହାନ୍ତି।

Leave A Reply