ଉଚ୍ଛେଦ ହେଲା ସମସ୍ତ ଜଗୁଆଳିବିହୀନ ରେଳ ଫାଟକ

0

ଭୁବନେଶ୍ୱର  : ଗୋଟିଏ ପଟେ ଜଗୁଆଳିବିହୀନ ରେଳ ଫାଟକ (ଲେବଲ୍ କ୍ରସିଂ) ଦୁର୍ଘଟଣାର ଦ୍ବାର ପାଲଟିଥିବାବେଳେ ବ୍ୟାପକ ଧନଜୀବନହାନିର କାରଣ ସାଜିଛି। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ପୂର୍ବତଟ ରେଳପଥ ସମସ୍ତ ଜଗୁଆଳିବିହୀନ ଫାଟକକୁ ଉଚ୍ଛେଦ କରିବାରେ ସଫଳତା ପାଇଛି। ଚଳିତ ବର୍ଷ ଏହାର ପରିସୀମା ମଧ୍ୟରେ ଥିବା ୧୧୭ଟି ଜଗୁଆଳି ବିହୀନଫାଟକ ବନ୍ଦ କରାଯାଇଛି।
ଉତ୍ତର ପ୍ରଦେଶରରେ ଟ୍ରେନ୍ ଧକ୍କାରେ ସ୍କୁଲ ବସ୍‌ରେ ଯାଉଥିବା ୧୩ ଜଣ ପିଲାଙ୍କର ଅକାଳ ମୃତ୍ୟୁ ହେଉ ଅବା ୨୦୧୨ରେ ସମ୍ବଲପୁର ଠାରେ ଅଟୋ-ଟ୍ରେନ୍ ଧକ୍କାରେ ୧୩ ଜଣ ଲୋକଙ୍କର ପ୍ରାଣହାନି ଘଟଣା, ମାନବବିହୀନ ରେଳ ଫାଟକ ସର୍ବଦା ସଡ଼କ ସୁରକ୍ଷା ଦିଗରେ ଅନ୍ତରାୟ ହୋଇ ରହିଥିଲା। ଦେଶତମାମ୍ ଏପରି ଦୁର୍ଘଟଣାର ବର୍ଦ୍ଧିତ ସଂଖ୍ୟାକୁ ଦେଖି ୨୦୧୨-୧୩ରେ ଭାରତୀୟ ରେଳବାଇ ସମସ୍ତ ଜଗୁଆଳୀବିହୀନ ଫାଟକ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରିଥିଲା। ଏହିକ୍ରମରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଏପରି ଲେବଲ୍ କ୍ରସିଂ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ୨୦୨୦ ସୁଦ୍ଧା ପୂର୍ବତଟ ରେଳପଥ ଅଧୀନରେ ଥିବା ପାଖାପାଖି ୫୦୦ ଜଗୁଆଳି ବିହୀନ ଫାଟକ ଉଚ୍ଛେଦ କରିବା ପାଇଁ କାମ ଆରମ୍ଭ ହୋଇଥିଲା। ତେବେ ୨୦୧୪ରେ ଧାର୍ଯ୍ୟ ସମୟରେ ପରବର୍ତ୍ତନ କରାଯାଇ ୨୦୧୮ ସୁଦ୍ଧା ସମସ୍ତ ଫାଟକ ଉଚ୍ଛେଦ କରିବା ପାଇଁ କୁହାଯିବା ପରେ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ୨୦୧୪ରୁ ୨୦୧୮ ମଧ୍ୟରେ ସମୁଦାୟ ୪୧୪ଟି ଜଗୁଆଳି ବିହୀନ ଫାଟକ ଉଚ୍ଛେଦ ହୋଇପାରିଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜଗୁଆଳି ରହୁଥିବା ଲେବଲ୍ କ୍ରସିଂ ଦୁର୍ଘଟଣାର ଏକ ପ୍ରମୁଖ କାରଣ ଥିଲା।
ଯେଉଁ ସବୁ ସ୍ଥାନରେ ମାନବବିହୀନ ଲେବଲ୍ କ୍ରସିଂ ଉଚ୍ଛେଦ କରାଯାଇଛି ସେଠାରେ ରେଳପଥ ରୋଡ଼ ଅଣ୍ଡର ବ୍ରିଜ୍, ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ, ରାସ୍ତାର ଦିଗ ପରିବର୍ତ୍ତନ ତଥା ଜଗୁଆଳି ବନ୍ଦୋବସ୍ତ କରାଯାଇଛି। ଏଥିସହ କିଛି ସ୍ଥାନରେ ଗେଟ୍‌ମିତ୍ର ଓ ଗେଟ୍ ପରାମର୍ଶଦାତାଙ୍କୁ ନିଯୁକ୍ତ କରାଯାଇ ସୁରକ୍ଷିତ ଭାବେ ରେଳଧାରଣା ଅତିକ୍ରମ ପାଇଁ ସଚେତନ କରାଯାଉଛି।

Leave A Reply