ଇଣ୍ଡିଆ ଟୁଡେ ସର୍ଭେ : ଏବେ ନିର୍ବାଚନ ହେଲେ ଏନ୍‌ଡିଏ ପାଇବ ୨୮୧ ଆସନ

0

ନୂଆଦିଲ୍ଲୀ : ଦେଶରେ ଯଦି ଏବେ ନିର୍ବାଚନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୨୮୧ଟି ଆସନ ପାଇବ। ଏଥିରୁ ବିଜେପିର ଭାଗ ରହିବ ୨୪୫। ସେହିପରି କଂଗ୍ରେସ ନେତୃତ୍ୱ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ୧୨୨ଟି ଆସନ ପାଇବ। ଏଥିରେ କଂଗ୍ରେସର ଭାଗ ରହିବ ୮୩। ଅନ୍ୟାନ୍ୟ ଦଳଗୁଡିକ ୧୪୦ଟି ଆସନ ପାଇବେ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି। ସର୍ଭେରେ ଆହୁରି କୁହାଯାଇଛି ଯେ ନିର୍ବାଚନରେ ଏନଡିଏର ଭୋଟ ସେୟାର ୩୬% ରହିବାକୁ ଥିବାବେଳେ ୟୁପିଏର ୩୧% ଓ ଅନ୍ୟାନ୍ୟ ଦଳର ୩୩% ରହିବ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୪୪ଟି ଆସନ ପାଇଥିଲା।
ଇଣ୍ଡିଆ ଟୁଡେ ଗ୍ରୁପ୍‍ କାର୍ଭି ଇନସାଇଟ ଦ୍ୱାରା ‘ମୁଡ ଅଫ ଦ ନେସନ’ ନାମରେ ହୋଇଥିବା ସର୍ଭେରୁ ଆହୁରି ଜଣାଯାଇଛି ଯେ ବେକାରୀ ସମସ୍ୟା ଦେଶବାସୀଙ୍କ ପାଇଁ ସବୁଠାରୁ ବଡ ପ୍ରସଙ୍ଗ। ସର୍ଭେରେ ସାମିଲ ବ୍ୟକ୍ତିଙ୍କ ମଧ୍ୟରୁ ୩୪% ବେକାରୀ ସମସ୍ୟାକୁ ସବୁଠାରୁ ବଡ ପ୍ରସଙ୍ଗ ବୋଲି ବିବେଚନା କରାଯାଇଛି। ସେହିପରି ୨୪% ଦରଦାମ ବୃଦ୍ଧି, ୧୮% ଦୁର୍ନୀତି, ୫% ମହିଳା ବିରୋଧୀ ହିଂସା, ୫% ଜିଏସଟି ଓ ବିମୁଦ୍ରାୟନ, ୩% କୃଷକ ସମସ୍ୟା, ୨% ବାୟୁ ପ୍ରଦୂଷଣ, ୨% ଗୋ ସୁରକ୍ଷା ନାମରେ ଗୋଷ୍ଠୀବଦ୍ଧ ହିଂସା, ଆତଙ୍କବାଦୀକୁ ୧% ଲୋକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ବିବେଚନା କରିଛନ୍ତି।
ଏହି ସର୍ଭେରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ୧୮% ଲୋକ ସବୁଠାରୁ ଖରାପ ବୋଲି ଦର୍ଶାଇଥିବାବେଳେ ୫୫% ଲୋକ ଭଲ ବୋଲି କହିଛନ୍ତି। ୨୫% ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଚଳନୀୟ ବୋଲି ଦର୍ଶାଇଛନ୍ତି। ୨୦୧୬ ଫେବୃଆରୀରେ ମୋଦୀଙ୍କ ଲୋକପ୍ରିୟତା ୪୦%ରେ ଥିବାବେଳେ ୨୦୧୮ ଜୁଲାଇରେ ଏହା ୪୯%କୁ ବୃଦ୍ଧି ପାଇଛି। ସେହିପରି ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଏହି ସମୟରେ ୨୨%ରୁ ୨୭%କୁ ବୃଦ୍ଧିପାଇଥିବା ସର୍ଭେରୁ ଜଣାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ପ୍ରମୁଖ ପ୍ରସଙ୍ଗ ହେବ କି ତା ଉପରେ ମଧ୍ୟ ଜନମତ ନିଆଯାଇଛି। ୨୦୧୮ ଜାନୁଆରୀରେ ୪୪% ଲୋକ ରାମ ମନ୍ଦିରକୁ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ବୋଲି ବିବେଚନା କରିଥିବାବେଳେ ୨୦୧୮ ଜୁଲାଇରେ ୫୫% ଲୋକ ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବେ ଅଭିହିତ କରିଛନ୍ତି। ୩୩% କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ନିର୍ବାଚନ ପ୍ରସଙ୍ଗ ନୁହେଁ। ସେହିପରି କଳାଧନ ଜବତକୁ ସରକାରଙ୍କ ସବୁଠାରୁ ବଡ ସଫଳତା ବୋଲି କୁହାଯାଇଛି। ୧୬% କଳାଧନକୁ ବଡ ସଫଳତା ବୋଲି କହିଥିବାବେଳେ ଦୁର୍ନୀତିମୁକ୍ତ ସରକାର ଗଠନ କ୍ଷେତ୍ରରେ ସରକାର ସଫଳତା ପାଇଥିବା ୧୫% ଲୋକ ମତାମତ ଦେଇଛନ୍ତି। ସେହିପରି ବିମୁଦ୍ରାୟନକୁ ୧୩%, ଜିଏସଟି କାର୍ଯ୍ୟକାରୀକୁ ୧୩%, ସ୍ୱଚ୍ଛ ଭାରତ ଅଭିଯାନକୁ ୧୨%, ଭିତ୍ତିଭୂମି ବିକାଶକୁ ୮%, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ୩%, ସର୍ଜିକାଲ ଷ୍ଟ୍ରାଇକକୁ ୨% ଲୋକ ସରକାରଙ୍କ ସଫଳତା ବୋଲି ଦର୍ଶାଇଛନ୍ତି। ସରକାରଙ୍କ ସବୁଠାରୁ ବଡ ବିଫଳତା ମଧ୍ୟରେ ରହିଛି ବେକାରୀ ସମସ୍ୟା। ୨୯% ଲୋକ ବେକାରୀ ସମସ୍ୟାକୁ ସରକାରଙ୍କ ବଡ ବିଫଳତା ବୋଲି ଦର୍ଶାଇଛନ୍ତି। ଦରଦାମ ବୃଦ୍ଧିକୁ ୨୪%, ବିମୁଦ୍ରାୟନକୁ ୧୩%, କୃଷକ ସମସ୍ୟାକୁ ୧୩%, ନକ୍ସଲ ସମସ୍ୟାକୁ ୫%, ସୀମାପାର ଆତଙ୍କବାଦକୁ ୪% ଓ କୃଷିକ୍ଷେତ ସମସ୍ୟାକୁ ୬% ସରକାରଙ୍କର ବଡ ବିଫଳତା ବୋଲି ଦର୍ଶାଇଛନ୍ତି।
ଏହି ସର୍ଭେରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଦେଶବାସୀଙ୍କ ଆଗ୍ରହ ଏବଂ ଆବଶ୍ୟକତା ଉପରେ ତଥ୍ୟ ସଂଗ୍ରହ କରାଯାଇଥିଲା। ସର୍ଭେରେ ୧୨,୧୦୦ ଜଣଙ୍କ ମତାମତ ନିଆଯାଇଥିଲା। ଏଥିରେ ଦେଶର ୧୯ଟି ରାଜ୍ୟର ୯୭ଟି ସଂସଦୀୟ କ୍ଷେତ୍ର ଓ ୧୯୪ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ସାମିଲ କରାଯାଇଥିଲା। ସର୍ଭେରେ ସାମିଲ ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲାନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗକୁ ସାମିଲ କରାଯାଇଥିଲା। ୨୦୧୮, ଜୁଲାଇ ୧୮ରୁ ଜୁଲାଇ ୨୯ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। କାର୍ଭି ଇନସାଇଟର ଅଧ୍ୟକ୍ଷ ରଞ୍ଜିତ ଚିବଙ୍କ ନେତୃତ୍ୱରେ ଏହି ସର୍ଭେ କରାଯାଇଥିଲା।

Leave A Reply