ନିର୍ବାଚନ ବେଳେ ମୁଖ୍ୟ ଆୟୁକ୍ତ ଶୋଇଥିଲେ: ପାକିସ୍ତାନ ମୁଖ୍ୟ ବିଚାରପତି

0

ଇସଲାମାବାଦ୍‍: ପାକିସ୍ତାନ ନିର୍ବାଚନ ସରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଦେଶବିଦେଶରେ ଚର୍ଚ୍ଚା ଲାଗି ରହିଛି। ନିର୍ବାଚନରେ ହୋଇଥିବା ଅନିୟମିତତାର ନୂଆ ଅଧ୍ୟାୟ ପ୍ରତିଦିନ ସାମ୍ନାକୁ ଆସୁଛି। ଏବେ ସେଭଳି ଏକ ରୋଚକ ଘଟଣା ଶୁଣିବାକୁ ମିଳୁଛି। ‘ନିର୍ବାଚନ ଦିନ ମୁଖ୍ୟ ନିର୍ବାଚନ କମିଶନର ସର୍ଦ୍ଦାର ମହମ୍ମଦ ରାଜା ଶୋଇଥିଲେ’ – ଏଭଳି ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରଧାନ ବିଚାରପତି ସକିବ୍‍ ନିସାର।
ନିସାର କହିଛନ୍ତି ଯେ ନିର୍ବାଚନ ଦିନ ସେ ରାଜାଙ୍କୁ ତିନି ତିନି ଥର ଫୋନ୍‍ କରିଥିଲେ ହେଁ ରାଜା ଉଠାଇ ନଥିଲେ। ଏଭଳି ଏକ ସମ୍ବେଦନଶୀଳ ସମୟରେ ଜଣେ ଦାୟିତ୍ୱବାନ ଅଧିକାରୀ ହିସାବରେ ଯଦି କେହି ଫୋନ ନ ଉଠାନ୍ତି ତେବେ ସେ ଶୋଇ ପଡ଼ିଥିଲେ ବୋଲି ଧରି ନେବାକୁ ହେବ। ଇମ୍ରାନ୍‍ ଖାନ୍‍ଙ୍କ ନେତୃତ୍ୱାଧୀନ ପିଟିଆଇର ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରର ବୈଧତା ନେଇ ଚାଲିଥିବା ଏକ ଶୁାଣାଣି ଅବସରରେ ନିସାର ଏଭଳି ମନ୍ତବ୍ୟ ଦେଇଛନ୍ତି। ନିସାର କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ନିର୍ବାଚନ ସମୟରେ ହିଂସାକାଣ୍ଡରେ ଧନଜୀବନ ହାନି ହୋଇଛି। କିନ୍ତୁ ଏ ଦିଗରେ ମୁଖ୍ୟ ନିର୍ବାଚନ କମିଶନର କୌଣସି ତତ୍ପରତା ପ୍ରକାଶ କରି ନଥିଲେ।

Leave A Reply