ପେନ୍‍ସନ ଯନ୍ତ୍ରଣାରୁ ମିଳିବ ମୁକ୍ତି

0

ଭୁବନେଶ୍ୱର :ପେନ୍‍ସନ ଗଣ୍ଡାକ ପାଇଁ ସାଧାରଣ ଲୋକଙ୍କୁ ଆଉ ବିଶେଷ ଭାବେ ହଇରାଣ ହରକତ ହେବାକୁ ପଡିବ ନାହିଁ। ଡିଜିଟାଲ ମୋଡରେ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କ ଦସ୍ତଖତ ହେବାକ୍ଷଣି ପେନ୍‍ସନଧାରୀଙ୍କ ଆକାଉଣ୍ଟକୁ ମାସିକ ପେନ୍‍ସନ ଚାଲିଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‍ଲାଇନ ପୋର୍ଟାଲ ମାଧ୍ୟମରେ ହାତକୁ ନିଆଯାଇଥିବା ‘ଅର୍ପଣ’ ବ୍ୟବସ୍ଥାରେ ପେନ୍‍ସନଧାରୀମାନେ ଏହି ସବୁଧା ସେପ୍ଟେମ୍ବର ପହିଲାରୁ ପାଇବେ। ଯଦି ପେନ୍‍ସନଧାରୀମାନେ ଏହି ଯୋଜନାରେ ଉପକୃତ ହେଲେ ତେବେ ଅକ୍ଟୋବର ପହିଲାରୁ ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ରାଜକୋଷ ନିର୍ଦେଶାଳୟ ପକ୍ଷରୁ ଜଣାଯାଇଛି।
ଏସମ୍ପର୍କରେ ନିର୍ଦେଶାଳୟ ପକ୍ଷରୁ କ୍ଷୁଦ୍ର ଜମାକାରୀ ନିର୍ଦେଶକଙ୍କୁ ଅବଗତ କରାଯାଇଛି ଯେ ଅର୍ପଣ ପୋର୍ଟାଲରେ ଅନ୍‍ଲାଇନ ଓ ଅଫ୍‍ଲାଇନ ଜରିଆରେ ପେନ୍‍ସନ ଆବେଦନ ଗ୍ରହଣ କରାଯାଇପାରିବ। ଏହାକୁ ଅର୍ପଣ ପୋର୍ଟାଲରେ ଡିଜିଟାଲ ଦସ୍ତଖତ ସହିତ ଅପ୍‍ଲୋଡ କରାଯାଇ ଜିଲା ଟ୍ରେଜେରି ବ୍ରାଞ୍ଚକୁ ପଠାଯିବ। ଯଦି କୌଣସି ପେନ୍‍ସନଧାରୀଙ୍କ କିଛି ସଂଶୋଧନ ଥାଏ ତାକୁ ଟ୍ରେଜେରି କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଯେଉଁ ପେନ୍‍ସନଧାରୀଙ୍କ ପେନ୍‍ସନ ସଂଶୋଧନ ହେବ ତାକୁ ଜିଲା ଟ୍ରେଜେରି ବ୍ରାଞ୍ଚ ଏକ ଲେଜର ବୁକ୍‍ରେ ଉଲ୍ଳେଖ କରି ତାକୁ ଟ୍ରାକିଂ କରିବେ। ପେନ୍‍ସନ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ ପେନ୍‍ସନ ସଂଶୋଧନ କର୍ତ୍ତୃପକ୍ଷଙ୍କୁ ଯାଞ୍ଚବେଳେ କୌଣସି ପ୍ରକାର ଚାପ ପ୍ରୟୋଗ କରିପାରିବେ ନାହିଁ। ପେନ୍‍ସନଧାରୀଙ୍କୁ ତାଙ୍କର ପେନ୍‍ସନ ସଂକ୍ରାନ୍ତୀୟ ତଥ୍ୟ ବାର୍ତ୍ତା କିମ୍ବା ଅନ୍‍ଲାଇନ ଜରିଆରେ ପ୍ରଦାନ କରାଯିବ। ଯଦି ପେନ୍‍ସନଧାରୀମାନେ କୌଣସି ଅସୁବିଧାରେ ପଡନ୍ତି ତେବେ ସେମାନେ ପେନ୍‍ସନ ପ୍ରଦାନକାରୀ ରାଜକୋଷ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇପାରିବେ। ଏହି ପ୍ରକ୍ରିୟା ଜନସାଧାରଣଙ୍କ ପାଇଁ ସୁବିଧା ଓ ସରଳ ହେବ ବୋଲି ଆଶା କରି ସିଏଜିଙ୍କ ପକ୍ଷରୁ ଯୋଜନାକୁ ଅନୁମୋଦନ ମିଳିଛି। ସିଏଜିଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ମଧ୍ୟ ଅର୍ପଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସ୍ୱୀକୃତି ଦେଇଛନ୍ତି। ଅର୍ଥ ବିଭାଗର ନିର୍ଦେଶକ୍ରମେ ସେପ୍ଟେମ୍ବର ପହିଲାରୁ ପରୀକ୍ଷାମୂଳକ ଭାବେ ଅର୍ପଣ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

Leave A Reply