ବିଧାନସଭା ଲଢ଼ିବେ ନରସିଂହ, ଅନଙ୍ଗଙ୍କ ନିଷ୍ପତ୍ତି ଉପରେ ନଜର

0

ବଲାଙ୍ଗିର : ବଲାଙ୍ଗିର ବିଧାନସଭା ଆସନରୁ ପୁଣି ୨୦୧୯ରେ ନିର୍ବାଚନ ଲଢିବେ ରାଜ୍ୟ ବିରୋଧି ଦଳ ନେତା ନରସିଂହ ମିଶ୍ର। ଏନେଇ ଶ୍ରୀ ମିଶ୍ର ବଲାଙ୍ଗିର ସଦର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଚନ୍ଦନଭାଟି ଠାରେ ଅନୁଷ୍ଠିତ ନୂଅାଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଘୋଷଣା କରିଥିବା ବେଳେ ବଲାଙ୍ଗିର ରାଜନୀତି ପୁଣି ସରଗରମ ହୋଇଛି। ପୂର୍ବରୁ ଶ୍ରୀ ମିଶ୍ର ଏହି ଆସନ ନିଜ ପୁଅକୁ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଫଳରେ ବଲାଙ୍ଗିର ଆସନ ପାଇଁ ଅନ୍ୟ କଂଗ୍ରେସ ନେତା ମଧ୍ୟ ଆଶାୟୀ ହୋଇପଡ଼ିଥିଲେ। ଏପରି ସ୍ଥିତିରେ ବିଧାୟକ ଶ୍ରୀ ମିଶ୍ର ପୁଣି ନିର୍ବାଚନ ଲଢିବା ପାଇଁ ସବୁଜ ସଙ୍କେତ ଦେବା ପରେ ପୁଅକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଥିବା ଅନଙ୍ଗ ଉଦୟ କଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନଙ୍ଗ ପୁଣି ନିର୍ବାଚନ ଲଢିବେ ନା ପୁଅ ପାଇଁ ସ୍ଥାନ ଛାଡିବେ ତାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟ ବିରୋଧୀ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କିଛି ମାସ ତଳେ ବୟସାଧିକ କାରଣରୁ ପ୍ରତିଦ୍ୱନ୍ଦିତା ରାଜନୀତିରୁ ଓହରିବା ପାଇଁ ଘୋଷଣା କରିଥିଲେ। ୨୦୧୯ ନିର୍ବାଚନ ଲଢିବେ ନାହିଁ ବୋଲି ଶ୍ରୀ ମିଶ୍ର ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ହୋଇଥିଲା। ରାଜ୍ୟ କଂଗ୍ରେସ ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକଙ୍କୁ ମିଳିବା ପରେ ପୁଣି ନରସିଂହ ନିର୍ବାଚନ ଲଢିବାକୁ ତାଙ୍କ ସମର୍ଥକ ଅନୁରୋଧ କରୁଥିବା ନେଇ ତାଙ୍କ ଅନୁଗତ ପ୍ରକାଶ କରୁଥିଲେ। ଅନ୍ୟପକ୍ଷରେ ସାନ ପୁଅ ସମରେନ୍ଦ୍ରଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ପାଇଁ ଏହା ଭଲ ସମୟ ରହିଥିବା ବେଳେ ନିର୍ବାଚନ ପ୍ରତିଦ୍ୱନ୍ଦିତାକୁ ନେଇ ନରସିଂହ ନୀରବତା ଅବଲମ୍ବନ କରିଆସୁଥିଲେ। ଏପରିକି ସମରେନ୍ଦ୍ର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବୁଲୁଥିବା ଦେଖିବାକୁ ମିଲିଥିଲା। ଅପରପକ୍ଷରେ ରାଜନୈତିକ ଛକାପଞ୍ଝା ଭିତରେ ବିଜେଡି ଦଳରୁ ଅର୍କେଶ ନାରାୟଣ ସିଂଦେଓ ଆଗାମୀ ନିର୍ବାଚନ ଲଢିବା ପାଇଁ ଆଲୋଚନା ହେଉଥିଲା। ଏପରି ସ୍ଥିତିରେ ବାପା ମାନଙ୍କ ସ୍ଥାନରେ ପୁଅଙ୍କ ଲଢେଇ ଦେଖିବାକୁ ମିଳିବ ବୋଲି ଲୋକେ ଆଲୋଚନା କରୁଥିଲେ। ଏହି ପରିପ୍ରେକ୍ଷୀରେ ଚନ୍ଦନଭାଟି ଠାରେ ଅନୁଷ୍ଠିତ ନୂଅାଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣିଥରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ରାଜନୈତିକ ମହଲକୁ ସରଗରମ କରିଛନ୍ତି ଏହା ସହିତ ଶ୍ରୀ ମିଶ୍ରଙ୍କ ନିଷ୍ପତ୍ତି ବଲାଙ୍ଗିର କଂଗ୍ରେସରେ ଶରତ ପଟ୍ଟନାୟକ ଗୋଷ୍ଠୀକୁ ଅସନ୍ତୋଷ କରିଥିବା ମନେ ହେଉଛି। ଏପରିକି କିଛି ଆଶାୟୀ ନେତାଙ୍କ ନିର୍ବାଚନୀ ଦ୍ୱାର ବନ୍ଦ ହୋଇଯାଇଥିବା ବେଳେ ସମରେନ୍ଦ୍ରଙ୍କ ଆଗାମୀ ପଦକ୍ଷେପ କଣ ରହିବ ସେ ଉପରେ ସମସ୍ତଙ୍କ ନଜର। କିଛି ସମର୍ଥକ ସମରେନ୍ଦ୍ର ଆଗାମୀ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଆଶାୟୀ ତାଲିକାରେ ରହିଥିବା ବେଳେ କିଛି ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ନିର୍ବାଚନର ଗୁରୁତ୍ୱକୁ ଅନୁଭବ କରି ସେ ନିଜ ବାପାଙ୍କ ପାଇଁ ପୁଣିଥରେ ନିର୍ବାଚନ ପରିଚାଳନା କରିବେ ବୋଲି ପ୍ରକାଶ କରିଛନ୍ତି।
ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ନିଜ ସାନପୁଅ ଆର୍କେଶଙ୍କୁ ସଦର ଆସନ ଛାଡିଥିବା ନେଇ ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ନରସିଂହଙ୍କ ଭଳି ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କ ସମ୍ମୁଖରେ ଅର୍କେଶ ନାରାୟଣଙ୍କୁ ଠିଆ କରିବା ବିଜେଡି ପାଇଁ କେତେ ଠିକ ତାକୁ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ଅପରପକ୍ଷରେ ୨୦୧୪ ନିର୍ବାଚନର ପରାଜୟର ପ୍ରତିଶୋଧ ପାଇଁ ଅନଙ୍ଗ ପୁଣି ଥରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବେ ନା ପୁଅକୁ ଛାଡିବେ ସେନେଇ ସ୍ପଷ୍ଟ କରିନାହାନ୍ତି।

Leave A Reply