ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା: ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ବିହାର ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ରାଜ୍ୟ ସରକାର ଏହି ଆଶ୍ରୟ ସ୍ଥଳଗୁଡିକୁ ଆର୍ଥିକ ସହାୟତା ଦେଉଥିଲେ ମଧ୍ୟ ଏହା ସମ୍ବନ୍ଧରେ କାହିଁକି କୌଣସି ଅନୁଧ୍ୟାନ କରାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଯେକେହି ବ୍ୟକ୍ତି ଯେକୌଣସି ସ୍ଥାନରେ ବଳାତ୍କାର ପୀଡ଼ିତାଙ୍କୁ ପ୍ରଶ୍ନ କରିପାରିବେ ନାହିଁ। କେବଳ କାଉନ୍‍ସେଲରଙ୍କ ଉପସ୍ଥିତିରେ ଶିଶୁ ଅଧିକାର ସୁରକ୍ଷା ସମ୍ବନ୍ଧୀୟ ଜାତୀୟ ତଥା ରାଜ୍ୟସ୍ତରୀୟ ଆୟୋଗ (ଏନ୍‍ସିପିସିଆର୍‍ ଓ ଏସ୍‍ସିପିସିଆର୍‍)ର ସଦସ୍ୟମାନେ ସେମାନଙ୍କୁ ପ୍ରଶ୍ନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ବଳାତ୍କାର ମାମଲାଗୁଡିକରେ କୌଣସି ପରିସ୍ଥିତିରେ ମଧ୍ୟ ପୀଡ଼ିତାଙ୍କ ଫଟୋ ଏବଂ ଭିଡିଓ ବ୍ୟବହାର ନ କରିବାକୁ ସୁପ୍ରିମକୋର୍ଟ ନିଜ ରାୟର ପୁନରାବୃତ୍ତି କରିଛନ୍ତି।
ବିଚାରପତି ଏମ୍‍. ବି. ଲୋକରୁ, ଦୀପକ୍‍ ଗୁପ୍ତା ଏବଂ ନବନିଯୁକ୍ତ ବିଚାରପତି କେ. ଏମ୍‍. ଯୋଶେଫ୍‍ଙ୍କ ପୀଠ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‍ସିଆର୍‍ବି)ର ତଥ୍ୟ ଉପସ୍ଥାପନ କରି ସୁପ୍ରିମକୋର୍ଟ କହିଛନ୍ତି ଦେଶରେ ପ୍ରତି ଛ’ ଘଣ୍ଟାରେ ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଉତ୍ତର, ଦକ୍ଷିଣ ଓ କେନ୍ଦ୍ର ସବୁଠାରେ ମହିଳାଙ୍କୁ ବଳାତ୍କାର କରାଯାଉଛି। ଦେଶରେ ପ୍ରାୟ ୩୮,୦୦୦ ବଳାତ୍କାର ମାମଲା ରହିଛି। ମଧ୍ୟପ୍ରଦେଶ ଏହି ତାଲିକାରେ ଶୀର୍ଷରେ ଥିବା ବେଳେ ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ଦେଶରେ ଏସବୁ କ’ଣ ଚାଲିଛି ବୋଲି ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମୁଜାଫରପୁର ଆଶ୍ରୟସ୍ଥଳ ଚଳାଇବାକୁ ରାଜ୍ୟ ସରକାର ୨୦୦୪ରୁ ଆର୍ଥିକ ସହଯୋଗ ପ୍ରଦାନ କରି ଆସୁଛନ୍ତି। ଅଥଚ ଏଠାରେ କ’ଣ ଘଟୁଛି ସେ ସମ୍ବନ୍ଧରେ ସମୀକ୍ଷା କରିବାକୁ ରାଜ୍ୟ ସରକାର ଉଚିତ୍‍ ମଣି ନାହାନ୍ତି। ଆଶ୍ରୟସ୍ଥଳର ନାବାଳିକାମାନଙ୍କୁ ଅମାନୁଷିକ ଭାବେ ବଳାତ୍କାର କରାଯାଇଛି। ଏହି ଆଶ୍ରୟସ୍ଥଳଗୁଡିକ ସମ୍ବନ୍ଧରେ କୌଣସି ଅନୁଧ୍ୟାନ ନ କରି ଏଗୁଡିକୁ ରାଜ୍ୟ ସରକାର କିଭଳି ପ୍ରୋତ୍ସାହନ ଦେଉଥିଲେ ବୋଲି ପୀଠ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ଦଣ୍ଡିତ କରିବା ନିମନ୍ତେ ରାଜ୍ୟ ସରକାର ଏ ଯାବତ୍‍ କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିହାର ସରକାରଙ୍କୁ ପୀଠ ଜବାବ୍‍ ଲୋଡିଛନ୍ତି।
ରାଜ୍ୟର ପଦାଧିକାରୀମାନେ ଉକ୍ତ ଆଶ୍ରୟସ୍ଥଳ ପରିଦର୍ଶନରେ ଯାଇଥିଲେ; ମାତ୍ର ତତ୍‍ସମୟରେ ସେଠାରେ ସେମାନଙ୍କୁ କେହି ଏଭଳି କିଛି ଘଟଣା ଘଟୁଥିବାରୁ ସୂଚନା ଦେଇ ନ ଥିଲେ ବୋଲି ରାଜ୍ୟ ସରକାର ଶୁଣାଣି ବେଳେ ଦର୍ଶାଇଥିଲେ। ଏହି ଯୁକ୍ତି ସତ୍ତ୍ବେ ପୀଠ ରାଜ୍ୟ ସରକାରଙ୍କୁ ମୁଜାଫରପୁର ଘଟଣା ପାଇଁ ଦାୟୀ କରିଛନ୍ତି। ସରକାରୀ ଅଧିକାରୀମାନେ ଯଦି ଆଶ୍ରୟସ୍ଥଳର ନାବାଳିକାମାନଙ୍କ ସହିତ କଥା ହୋଇଥାଆନ୍ତେ ତା’ହେଲେ ଏଭଳି ଘଟଣା ସମ୍ବନ୍ଧରେ ନିଶ୍ଚିତ ସୂଚନା ହାସଲ କରିପାରିଥାଆନ୍ତେ ବୋଲି ପୀଠ କହିଛନ୍ତି। ସୂଚନା ଯୋଗ୍ୟ ଯେ ସୁପ୍ରିମକୋର୍ଟ ଅଗଷ୍ଟ ୨ରେ ଏହି ମାମଲାକୁ ନିଜ ଆଡୁ ବିଚାରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜବାବ୍‍ ଲୋଡିଥିଲେ। ଏହି ଆଶ୍ରୟସ୍ଥଳରେ ୩୦ରୁ ଊର୍ଦ୍ଧ୍ବ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଏହାର ପରିଚାଳକ ବ୍ରଜେଶ ଠାକୁରକୁ ଗିରଫ କରାଯାଇଛି।

Leave A Reply